ଦିନିକିଆ ଫର୍ମାଟରୁ ଅବସର ନେଲେ ବାଂଲାଦେଶ କ୍ରିକେଟର ମୁଶଫିକୁର ରହିମ, ୩ ବର୍ଷ ପୂର୍ବରୁ ଟି୨୦କୁ କରିଥିଲେ ବାଏ ବାଏ

ଅଷ୍ଟ୍ରେଲିଆ ପରେ ବାଂଲାଦେଶ କ୍ରିକେଟ ଟିମର ୱିକେଟ କିପର ମୁଶଫିକୁର ରହିମ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି । ଅଷ୍ଟ୍ରେଲିଆ ଟିମର ଅଧିନାୟକ ଷ୍ଟିଭ ସ୍ମିଥ ଦିନିକିଆ କ୍ରିକେଟକୁ ଅଲବିଦା କହିଥିବା ବେଳେ ଆଜି ବାଂଲାଦେଶୀ କ୍ରିକେଟର ଦିନିକିଆ କ୍ରିକେଟକୁ ବାଏ ବାଏ କହିଛନ୍ତି । ମୁଶଫିକୁର ନିଜ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି ।

ମୁଶଫିକୁର ଏହି ପୋଷ୍ଟରେ କହିଛନ୍ତି, ଦିନିକିଆ ଫର୍ମାଟରେ ବାଂଲାଦେଶ ଜର୍ସିରେ ନଜର ଆସିବେନି । ୩ ବର୍ଷ ପୂର୍ବରୁ ମୁଶଫିକୁର ଟି୨୦ ଫର୍ମାଟରୁ ସନ୍ନ୍ୟାସ ନେଇଥିଲେ ।

ମୁଶଫିକୁର ରହିମ ୧୯ ବର୍ଷ ପୂର୍ବେ ୨୦୦୬ରେ ଜିମ୍ବାୱେ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ । ବାଂଲାଦେଶ ପାର୍ଇ ମୁଶଫିକୁର ରହିମ ୨୭୪ ଦିନିକିଆ ଖେଳିଛନ୍ତି । ବାଂଲାଦେଶ ପାଇଁ ସବୁଠାରୁ ଅଧିକ ଦିନିକିଆ ଖେଳିଛନ୍ତି ମୁଶଫିକୁର । ଏହାଛଡା ଦିନିକିଆ ଫର୍ମାଟରେ ବାଂଳଶଦେଶ ପାଇଁ ସବୁଠାରୁ ଅଧିକ ରନ୍ କରିଥିବା ଦ୍ବିତୀୟ ବ୍ୟାଟର ।

ସେ ୨୭୪ ଦିନିକିଆ ମ୍ୟାଚରେ ୩୬.୪୨ ଆଭରେଜ ଏବଂ ୭୯.୭ ଷ୍ଟ୍ରାଇକ ରେଟରେ ୭୭୯୫ ରନ୍ କରିଛନ୍ତି । ମୁଶଫିକୁରଙ୍କ ଶ୍ରେଷ୍ଠ ସ୍କୋର ୧୪୪ ରହିଛି । ଏହାଛଡା ୯ ଶତକ ଏବଂ ୪୯ ଅର୍ଦ୍ଧଶତକ କରିଛନ୍ତି ।

ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବାଂଲାଦେଶର ପ୍ରଦର୍ଶନ ନୈରାଶଜନକ ରହିଥିଲା । ବାଂଲାଦେଶ ଟିମ୍ ଗ୍ରୁପ ଷ୍ଟେଜରୁ ବିଫଳ ହୋଇଥିଲା ବାଂଲାଦେଶ ଭାରତ ବ୍ୟତୀତ ନ୍ୟୁଜିଲାଣ୍ଡ ଠାରୁ ପରାଜୟ ବରଣ କରିଥିଲା । ଏହାପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ବର୍ଷା ଯୋଗୁଁ ଖେଳ ବାତିଲ ହୋଇଥିଲା । ତେଣୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲା ବାଂଲାଦେଶ ।

ସୂଚନାଯୋଗ୍ୟ, ଗତକାଲି ଅଷ୍ଟ୍ରେଲିଆ ଟିମର ଅଧିନାୟକ ଷ୍ଟିଭ ସ୍ମିଥ ଦିନିକିଆରୁ ସନ୍ନ୍ୟାସ ଘୋଷଣା କରିଥିଲେ । ଟେଷ୍ଟ ଏବଂ ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବେ । ସ୍ମିଥ ୨୦୧୦ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅଲରାଉଣ୍ଡର ଭାବେ ଡେବ୍ୟୁ କରିଥିଲେ । ଏହାପରେ ବ୍ୟାଟିଂରେ କମାଲ କରି ଦୁନିଆର ଶ୍ରେଷ୍ଠ ବ୍ୟାଟର ଭାବେ ଜଣାଶୁଣା ହେଲେ । ସେ ଅଷ୍ଟ୍ରେଲିଆ ପାଇଁ ୧୭୦ ଦିନିକିଆରେ ୪୩.୨୮ ପ୍ରତିଶତରେ ୫୮୦୦ ରନ୍ କରିଛନ୍ତି । ଏଥିରେ ୧୨ ଶତକ ଏବଂ ୩୫ ଅର୍ଦ୍ଧଶତକ ରହିଛି । ଏହାସହିତ ସେ ୨୮ ୱିକେଟ ମଧ୍ୟ ନେଇଛନ୍ତି ।

ସ୍ମିଥ ୨୦୧୫ରେ ଅଷ୍ଟ୍ରେଲିଆ ଟିମର ଦିନିକିଆ ଅଧିନାୟକ ହୋଇଥିଲେ । କିନ୍ତୁ ୨୦୧୮ରେ ସ୍ୟାଣ୍ଡ ପେପର ମାମଲାରେ ଜଡିତ ଥିବାରୁ ତାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା । ତାଙ୍କ ଉପରେ ବର୍ଷେ ଯାଏଁ ବ୍ୟାନ୍ ଲାଗିଥିଲା।

Also Read : ଚାମ୍ପିଅନ୍ସ ଟ୍ରଫିରେ ଭାରତ ଠାରୁ ହାରିବା ପରେ ଅବସର ନେଲେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ, ଦିନିକିଆକୁ କହିଲେ…