ରାଜକୋଟ : ଏବେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଯାହାବି କରୁଛନ୍ତି ସେ ସବୁ ରେକର୍ଡ଼ ଖାତାକୁ ଯାଉଛି । ରନ୍ ସ୍କୋର କରିବାର ଭୋକ କୋହଲିଙ୍କ ଭିତରେ ଯେ ପ୍ରବଳ ଭାବେ ରହିଛି ତାହା ତାଙ୍କ ଖେଳରୁ ସ୍ପଷ୍ଟ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ରାଜକୋଟରେ ଶତକ କରି ବ୍ୟକ୍ତିଗତ ଟେଷ୍ଟ ଶତକ ସଂଖ୍ୟାକୁ ୨୪ରେ ପହଞ୍ଚାଇଛନ୍ତି । ଶତକ କରିବାରେ ଭାରତୀୟ ଖେଳାଳି ଭାବେ ତାଙ୍କ ଠାରୁ ଆଗରେ ଅଛନ୍ତି ସଚିନ ତେନ୍ଦୁଲକର (୫୧), ରାହୁଲ ଦ୍ରାବିଡ଼ (୩୬), ସୁନୀଲ ଗାଭାସ୍କର (୩୪) । ବୀରେନ୍ଦ୍ର ସେହବାଗ (୨୩) ଅତିକ୍ରମ କରିଛନ୍ତି କୋହଲି ।
-ସର୍ବାଧିକ ଶତକ କରିବାରେ କୋହଲି ବିଶ୍ବର ଚତୁର୍ଥ ସ୍ଥାନରେ । ମୋଟ୍ ୨୪ଟି ଶତକ କରିଛନ୍ତି କୋହଲି ।
-ଡନ୍ ବ୍ରାଡମ୍ୟାନ ୬୬ଟି ଇନିଂସ ଖେଳି ଏବଂ ତେନ୍ଦୁଲକର ୧୨୫ ଇନିଂସ ଖେଳି ୨୪ତମ ଶତକ ହାସଲ କରିଥିଲେ । କୋହଲି ୧୨୩ ଇନିଂସ୍ ଖେଳି ସେହି ସଫଳତା ହାସଲ କରିଛନ୍ତି ।
-ଅଧିନାୟକ ଥିବା ବେଳେ କୋହଲି ସର୍ବାଧିକ ଶତକ କରିଛନ୍ତି । ଅଧିନାୟକ ଭାବେ ୩୦ରୁ ଅଧିକ ଶତକ କରିଛନ୍ତି ରିକି ପଣ୍ଟିଂ (୪୧) ଓ ଗ୍ରେମ୍ ସ୍ମିଥ୍ (୩୩) ।
-ଚତୁର୍ଥ ନମ୍ବର ବ୍ୟାଟ୍ସମ୍ୟାନ ଭାବେ ସେ ୮୨ ଇନିଂସରେ ୨୦ରୁ ଅଧିକ ଶତକ କରିଛନ୍ତି । ଏହା କରିବାରେ ତେନ୍ଦୁଲକର, ଲାରା, କାଲିସ୍ ଓ ଜୟବର୍ଦ୍ଧନେଙ୍କ ପରେ ସେ ହେଉଛନ୍ତି ବିଶ୍ବର ୫ମ ବ୍ୟାଟସମ୍ୟାନ ।
– ଗୋଟିଏ କ୍ୟାଲେଣ୍ଡର ଇୟରରେ କୋହଲି ୧୦୦୦ ଟେଷ୍ଟ ରନ୍ ପୂରଣ କରିଛନ୍ତି । ଚଳିତ ବର୍ଷ ଏହା ହେଉଛି ତାଙ୍କର ଚତୁର୍ଥ ଶତକ ।
-୨୦୧୬ରେ ବିରାଟ ୧୨ଟି ଟେଷ୍ଟ ଖେଳି ୧୨୧୫ ରନ୍ କରିଥିଲେ । ୨୦୧୭ରେ ୧୦ଟି ଟେଷ୍ଟରୁ ସଂଗ୍ରହ କରିଥିଲେ ୧୦୫୯ ରନ୍ । ଲଗାତର ଦ୍ବିତୀୟ ବର୍ଷ ପାଇଁ କ୍ୟାଲେଣ୍ଡର ଇୟରରେ ୧ ହଜାର ରନ୍ ପୂରଣ କରିବାରେ ସେ ହେଉଛନ୍ତି ପ୍ରଥମ ଅଧିନାୟକ ।
-ଘରୋଇ ପଡ଼ିଆରେ କୋହଲିଙ୍କର ଏହା ହେଉଛି ୧୧ତମ ଟେଷ୍ଟ ଶତକ । ଏହା ସହିତ ଭାରତ ମାଟିରେ ସେ ୩୦୦୦ ଟେଷ୍ଟ ରନ୍ ପୂରଣ କରିଛନ୍ତି ।
-ଚଳିତ ବର୍ଷ ବିରାଟ ୯ଟି ଟେଷ୍ଟ ଖେଳି ୬୪ ରନ୍ ହାରରେ ୪ଟି ଶତକ ଓ ୪ଟି ଅର୍ଦ୍ଧଶତକ କରିଛନ୍ତି ।
-୨୪ଟି ଶତକ କରିବାରେ ସେ ବିଶ୍ବର ଅନ୍ୟ ବ୍ୟାଟ୍ସମ୍ୟାନ୍ ୱେଷ୍ଟଇଣ୍ଡିଜର ଭିଭ୍ ରିଚାର୍ଡ଼ସ, ପାକିସ୍ତାନର ମହମ୍ମଦ ୟୁସୁଫ ଓ ଅଷ୍ଟ୍ରେଲିଆର ଗ୍ରେଗ୍ ଚାପେଲଙ୍କ ସମକକ୍ଷ ହେଲେ ।