ଭାରତ-ଶ୍ରୀଲଙ୍କା ସିରିଜ ପାଇଁ ବଦଳିଲା ତାରିଖ, ଖୁବଶୀଘ୍ର ହେବ ଟିମ୍ ଘୋଷଣା

ଆଇସିସି ପୁରୁଷ ଟି୨୦ ବିଶ୍ୱକପ ୨୦୨୪ ବିଜେତା ହେବା ପରେ ଭାରତ ଏବେ ଜିମ୍ବାେଓ୍ଵ ବିପକ୍ଷରେ ଟି୨୦ ସିରିଜ ଖେଳୁଛି । ଭାରତ ୫ଟି ମ୍ୟାଚ ବିଶିଷ୍ଟ ସିରିଜକୁ ୩-୧ରେ ଜିତି ସିରିଜ କବଜା କରିସାରିଛି । ଜିମ୍ବାେଓ୍ଵ ପରେ ଭାରତୀୟ ଟିମ ଶ୍ରୀଲଙ୍କା ସହିତ ଦିନିକିଆ ଏବଂ ଟି୨୦ ସିରିଜ ଖେଳିବ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ସିରିଜ ଜୁଲାଇ ୨୬ ବଦଳରେ ଜୁଲାଇ ୨୭ରୁ ଆରମ୍ଭ ହେବ । ଏ ନେଇ ବିସିସିଆଲ ସୂଚନା ଦେଇଛି ।
ଜୁଲାଇ ୨୭ ତାରିଖରୁ ଟି୨୦ ସିରିଜ ଖେଳାଯିବ । ୩ଟି ମ୍ୟାଚ ବିଶିଷ୍ଟ ସିରିଜ ଜୁଲାଇ ୨୭ରୁ ଭାରତୀୟ ସମୟାନୁସାରେ ୭ଟାରେ ମ୍ୟାଚ ଖେଳାଯିବ । ଏହାପରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ପ୍ରଥମ ଦିନିକିଆ ମ୍ୟାଚ ୨ ଅଗଷ୍ଟରେ ଖେଳାଯିବ । ଏହି ସିରିଜର ମ୍ୟାଚ କଲମ୍ବୋରେ ଖେଳାଯିବ । ଦିନିକିଆ ମ୍ୟାଚ ଭାରତୀୟ ସମୟ ଅନୁସାରେ ୨.୩୦ରୁ ଖେଳାଯିବ ।
ତେବେ ଶ୍ରୀଲଙ୍କା ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇନାହିଁ । ଆଗାମୀ ସପ୍ତାହରେ ଟିମ୍ ଘୋଷଣା ହୋଇପାରେ । ଟି-୨୦ରେ ଭାରତୀୟ ଟିମର ନେତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟା ନେବାର ସମ୍ଭାବନା ରହିଛି । କାରଣ ଟି-୨୦ ବିଶ୍ୱକପ ପରେ ରୋହିତ ଶର୍ମା ଏହି ଫର୍ମାଟକୁ ଅଲବିଦା କହି ସାରିଛନ୍ତି । ସେହିପରି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ବେଳକୁ ରୋହିତ ପୁଣି ଅଧିନାୟକ ଦାୟିତ୍ୱକୁ ଫେରି ପାରନ୍ତି । ଯଦି ସେ ବିଶ୍ରାମ ନେବାକୁ ଚାହିଁବେ, ତା’ହେଲେ ବିସିସିଆଇ କେଏଲ ରାହୁଲଙ୍କୁ ଦିନିକିଆରେ ଅଧିନାୟକ କରିପାରେ । ଆଉ ପାଣ୍ଡ୍ୟା ଯଦି ବିଶ୍ରାମ ନେବେ, ତା’ହେଲେ ସୂର୍ଯ୍ୟ କୁମାରଙ୍କୁ ଟି-୨୦ର ଅଧିନାୟକ ଦାୟିତ୍ୱ ମିଳିପାରେ।
ରାହୁଲ ଦ୍ରାବିଡଙ୍କ କାର୍ଯ୍ୟାଳୟ ଶେଷ ହୋଇଛି । ଶ୍ରୀଲଙ୍କା ସିରିଜରୁ ଭାରତ ନୂଆ କୋଚ୍ ଗୌତମ ଗମ୍ଭୀରଙ୍କ ତତ୍ତ୍ୱାବଧାନରେ ଖେଳିବ ।
ଭାରତ-ଶ୍ରୀଲଙ୍କା ଖେଳସୂଚୀ :
୨୭ ଜୁଲାଇ: ପ୍ରଥମ ଟି୨୦, ପଲ୍ଲେକେଲ
୨୮ ଜୁଲାଇ: ଦ୍ୱିତୀୟ ଟି୨୦, ପଲ୍ଲେକେଲ
୩୦ ଜୁଲାଇ : ତୃତୀୟ ଟି୨୦, ପଲ୍ଲେକେଲ
୨ ଅଗଷ୍ଟ: ପ୍ରଥମ ଦିନିକିଆ, କଲମ୍ବୋ
୪ ଅଗଷ୍ଟ : ଦ୍ୱିତୀୟ ଦିନିକିଆ, କଲମ୍ବୋ
୭ ଅଗଷ୍ଟ : ତୃତୀୟ ଦିନିକିଆ, କଲମ୍ବୋ