ଟି-୨୦ ବିଶ୍ବକପ ପୂର୍ବରୁ ବଦଳିଲା ଟିମ ଇଣ୍ଡିଆର ସ୍କ୍ବାଡ: ଶାର୍ଦ୍ଦୁଲ ଇନ, ଅକ୍ଷର ପଟେଲ ଆଉଟ

ଆସନ୍ତା ୧୭ ତାରିଖରୁ ଓମାନ ଓ ୟୁଏଇରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ। ଏହା ପୂର୍ବରୁ ବଦଳିଯାଇଛି ଟିମ୍‌ ଇଣ୍ଡିଆର ସ୍କ୍ୱାଡ। ବିସିସିଆଇ ହଠାତ୍‌ ୧୫ ଜଣିଆ ସ୍କ୍ୱାଡରୁ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କୁ ବିଦା କରି ଇନଫର୍ମ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କୁ ଟିମରେ ସାମିଲ କରିଛି।

ସେହିପରି ପୂର୍ବରୁ ୧୫ ଜଣିଆ ତାଲିକାରେ ଥିବା ଅକ୍ଷର ଏବେ ଷ୍ଟାଣ୍ଡବାଇ ଖେଳାଳି ଭାବେ ଦଳ ସହ ୟୁଏଇରେ ରହିବେ। ଅକ୍ଷର ଆଇପିଏଲରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତଥାପି ଶେଷ ମୁହୂର୍ତ୍ତରେ କାହିଁକି ତାଙ୍କୁ ୧୫ ଜଣିଆ ତାଲିକାରୁ ବାଦ ଦିଆଗଲା ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି। ଅକ୍ଷରଙ୍କ ସହ ଷ୍ଟାଣ୍ଡବାଇରେ ଶ୍ରେୟସ ଆୟର ଓ ଦୀପକ ଚହର ପୂର୍ବଭଳି ରହିଛନ୍ତି।

ସେପ୍ଟେମ୍ବର ୮ରେ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ବିସିସିଆଇର ଚୟନ କମିଟି ବିଶ୍ୱକପ ପାଇଁ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଥିଲା। ଏଥିରେ ରବି ଅଶ୍ୱିନ, ରାହୁଲ ଚହର, ରବୀନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲଙ୍କ ଭଳି ୫ ଜଣ ସ୍ପିନର ଥିଲେ।

ଅନ୍ୟପକ୍ଷରେ ବିସିସିଆଇ ଟି-୨୦ ସମୟରେ ମୁଖ୍ୟ ଦଳକୁ ପ୍ରସ୍ତୁତିରେ ସହଯୋଗ କରିବା ପାଇଁ ୮ ଜଣ ଯୁବ ଖେଳାଳିଙ୍କ ନାଁ ଘୋଷଣା କରିଛି। ଏମାନେ ଟି-୨୦ ବିଶ୍ୱକପ ଶେଷ ହେବା ଯାଏ ଦଳ ସହ ୟୁଏଇରେ ରହିବେ। ଏହି ୮ ଜଣଙ୍କ ମଧ୍ୟରେ ଆଭେଶ ଖାନ, ଭେଙ୍କଟେଶ ଆୟର, ହର୍ଷଲ ପଟେଲ, ଉରମନ ମାଲିକ, ଲୁକମାନ ମେରିୱାଲ, କରଣ ଶର୍ମା, ଶାହବାଜ ଅହମଦ ଓ କ୍ରିଷ୍ଣାପ୍ପା ଗୌତମ ରହିଛନ୍ତି।
ଶାର୍ଦ୍ଦୁଲ ଆଇପିଏଲରେ ଚେନ୍ନାଇ ପକ୍ଷରୁ ଖେଳୁଛନ୍ତି। ସେ ତାଙ୍କ ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି। ଏଯାଏ ୧୫ଟି ମ୍ୟାଚ୍‌ରେ ୧୮ଟି ୱିକେଟ ନେଇଥିବା ଶାର୍ଦ୍ଦୁଲ ବ୍ୟାଟିଂରେ ମଧ୍ୟ ପୂର୍ବରୁ ନିଜର ଜଲୱା ଦେଖାଇ ସାରିଛନ୍ତି। ତେଣୁ ତାଙ୍କ ଉପରେ ବିସିସିଆଇ ଅଧିକ ଭରସା ଦେଖାଇଛି।

ଭାରତୀୟ ସ୍କ୍ୱାଡ୍: ରୋହିତ୍ ଶର୍ମା, ଲୋକେଶ ରାହୁଲ, ବିରାଟ୍ କୋହଲି (କ୍ୟାପଟେନ୍), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଈଶାନ କିଷନ, ରାହୁଲ ଚହର, ଶାର୍ଦ୍ଦୁଲ ଠାକରୁ, ରବି ଅଶ୍ୱିନ ଓ ବରୁନ୍ ଚକ୍ରବର୍ତ୍ତୀ।

ଷ୍ଟାଣ୍ଡବାଇ: ଅକ୍ଷର ପଟେଲ, ଦୀପକ ଚହର ଓ ଶ୍ରେୟସ ଆୟର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.