ସଚିନ ତେନ୍ଦୁଲକରଙ୍କୁ ଜୀବନ ବ୍ୟାପି ସାଧନା ପୁରସ୍କାରରେ ସମ୍ମାନିତ କରିପାରେ ବିସିସିଆଇ

କ୍ରିକେଟ କିମ୍ବଦନ୍ତୀଙ୍କୁ ମିଳିବ ବଡ଼ ସମ୍ମାନ  । ସଚିନ ତେନ୍ଦୁଲକରଙ୍କୁ ଜୀବନ ବ୍ୟାପି ସାଧନା ପୁରସ୍କାରରେ ସମ୍ମାନିତ କରିପାରେ ବିସିସିଆଇ । ମୁମ୍ବାଇରେ ବିସିସିଆଇ ଏହାର ବାର୍ଷିକ କାର୍ଯ୍ୟକ୍ରମରେ ସଚିନଙ୍କୁ ସମ୍ମାନିତ କରିବ ବୋଲି ଜଣାପଡିଛି । ରନ୍ ମେସିନ ଭାବେ ପରିଚିତ ସଚିନ ତେନ୍ଦୁଲକର ୧୯୮୯ ମସିହାରେ ମାତ୍ର ୧୬ ବର୍ଷ ବୟସରେ ପାକିସ୍ତାନ ବିପକ୍ଷ ଟେଷ୍ଟରୁ ଡେବ୍ୟୁ କରିଥିଲେ  । ୫୧ ବର୍ଷିୟ ସଚିନ, ୬୬୪ଟି ଅନ୍ତର୍ଜାତୀୟ ମ୍ୟାଚ୍ ରେ ୪୮.୫୨ ହାରରେ ୩୪,୩୫୭ ରନ୍ କରିଥିଲେ । ଏଥିରେ ୧୦୦ଟି ଶତକ ଏବଂ ୧୬୪ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ।

ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସ୍କୋରର। ସେ ଏକମାତ୍ର ଖେଳାଳି ଯିଏ ଶତକର ଶତକ ମାରିଛନ୍ତି। ଟେଷ୍ଟ କ୍ରିକେଟ ବ୍ୟତୀତ ସଚିନ ଏକଦିବସୀୟ ଫର୍ମାଟରେ ମଧ୍ୟ ଅନେକ ରେକର୍ଡ କରିଛନ୍ତି। ସେ ଏକଦିବସୀୟ ମ୍ୟାଚ୍ ରେ ୪୪.୮୩ ହାରରେ ୪୯ ଶତକ ଏବଂ ୯୬ ଅର୍ଦ୍ଧଶତକ ସହିତ ୧୮,୪୨୬ ରନ୍ ଏବଂ ଟେଷ୍ଟରେ ୫୩.୭୮ ହାରରେ ୫୧ ଶତକ ଏବଂ ୬୮ ଅର୍ଦ୍ଧଶତକ ସହିତ ୧୫,୯୨୧ ରନ୍ କରିଛନ୍ତି। ସେ ତାଙ୍କ ଚମତ୍କାର କ୍ୟାରିୟରରେ କେବଳ ଗୋଟିଏ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସଚିନଙ୍କୁ ୨୦୨୪ ବର୍ଷ ପାଇଁ ସିକେ ନାଇଡୁ ‘ଲାଇଫଟାଇମ୍ ଆଚିଭମେଣ୍ଟ’ ପୁରସ୍କାର ପ୍ରଦାନ କରାଯିବ।’ ଏହା ପୂର୍ବରୁ ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏବଂ ପୂର୍ବତନ କିମ୍ବଦନ୍ତୀ ୱିକେଟକିପର ଫାରୁକ ଇଞ୍ଜିନିୟର ଏହି ପୁରସ୍କାର ଗ୍ରହଣ କରିଛନ୍ତି।