ବିସିସିଆଇର ବଡ଼ କାର୍ଯ୍ୟାନୁଷ୍ଠାନ, ସହାୟକ କୋଚ୍ ସମେତ ୩ ଜଣ ଟିମରୁ ବିଦା

ଚଳିତବର୍ଷ ବର୍ଡର ଗାଭାସ୍କର ଟ୍ରଫି ସିରିଜ ଭାରତ ହାରିବା ପରେ ବିସିସିଆଇ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି । ଡ୍ରେସିଂ ରୁମରୁ କଥାବାର୍ତ୍ତା ଲିକ୍ ହେବା ଯୋଗୁଁ ବିସିସିଆଇ ଟିମ୍ ଇଣ୍ଡିଆର ସହାୟକ କୋଚ ଅଭିଷେକ ନାୟରଙ୍କୁ ବିଦା କରିଛି । ତାଙ୍କ କାର୍ଯ୍ୟକାଳ ୮ ମାସ ପୂର୍ବରୁ ଆରମ୍ଭ ହୋଇଥିଲା । ବର୍ଡର ଗାଭାସ୍କର ଟ୍ରଫି ସିରିଜ ହାରିବା ପରେ ବିସିସିଆଇ ରିଭ୍ୟୁ ମିଟିଂ କରିଥିଲା, ଏଥିରେ ଟିମ୍ ମ୍ୟାନେଜମେଣ୍ଟର ଜଣେ ସଦସ୍ୟ ଅଭିଯୋଗ କରିଥିଲେ କି, ଡ୍ରେସିଂ ରୁମରୁ କଥା ବାହାରକୁ ଯାଉଛି ।

ଖବର ମୁତାବକ, ଟିମ୍ ଇଣ୍ଡିଆର ସହାୟକ କୋଚ ଅଭିଷେକ ନାୟରଙ୍କ ବ୍ୟତୀତ ଫିଲ୍ଡିଂ କୋଚ ଟି ଦିଲ୍ଲୀପ ଏବଂ ଟ୍ରେନର ସୋହମ ଦେଶାଇଙ୍କୁ ମଧ୍ୟ ବିଦା କରାଯାଇଛି । ନାୟରଙ୍କ ସ୍ଥାନରେ ଟିମରେ କାହାକୁ ନିଯୁକ୍ତି ମିଳିବ ତାହାକୁ ନେଇ ଚର୍ଚ୍ଚା । ତେବେ ଟି ଦିଲ୍ଲୀପଙ୍କ କାମ ଆସିଷ୍ଟାଣ୍ଟ କୋଚ ରିୟାନ ଟେନ ଡିସ୍କାଟେ କରିବେ । ଟ୍ରେନର ସୋହମ ଦେଶାଇଙ୍କ ସ୍ଥାନରେ ଏଡ୍ରିଅନ ଲି ରୁ ନେବେ । ସେ ଏବେ ଆଇପିଏଲରେ ପଞ୍ଜାବ କିଙ୍ଗସ ଟିମ୍ ସହିତ ଜଡିତ ରହିଛନ୍ତି ।

ବର୍ଡର ଗାଭାସ୍କର ଟ୍ରଫିରେ ଟିମ୍ ଇଣ୍ଡିଆ ୧-୩ରେ ହାରିଥିଲା । ଏହି ସିରିଜ ପରେ ଅଶ୍ବିନ ହଠାତ୍ ସନ୍ନ୍ୟାସ ନେଇଥିଲେ । ରୋହିତ ଶର୍ମା ସିଡନୀ ଟେଷ୍ଟରୁ ବାଦ୍ ପଡିଥିଲା । ଏହାପରେ ଟିମରେ ସବୁକିଛି ଠିକ୍ ନାହିଁ ବୋଲି ଅନୁମାନ କରାଯାଉଥିଲା । ଭାରତୀୟ ଡ୍ରେସିଂ ରୁମରୁ ଖବର ବାହାରକୁ ଯାଉଛି ବୋଲି ଚର୍ଚ୍ଚା ଚାଲିଥିଲା । ଏହାକୁ ନେଇ ଜଣେ ସଦସ୍ୟ ବିସିସିଆଇ ନିକଟରେ ଅଭିଯୋଗ କରିଥିଲେ ।

Also Read : ବାଂଲାଦେଶ ସିରିଜ ପାଇଁ ବିସିସିଆଇ ଘୋଷଣା କଲା ଖେଳସୂଚୀ, ଜାଣନ୍ତୁ କେଉଁଠି ଖେଳାଯିବ ମ୍ୟାଚ