ଟି-୨୦ କ୍ରିକେଟକୁ ଫେରୁଛନ୍ତି କ୍ୟାପଟେନ କୁଲ୍‌, ଦ୍ରାବିଡଙ୍କ ଉପରୁ ଚାପ କୋହଳ ପାଇଁ ବିସିସିଆଇ ଦେଇପାରେ ବଡ ଦାୟିତ୍ୱ

ଆଇସିସି ଟି-୨୦ ବିଶ୍ୱକପ ସେମିଫାଇନାଲରୁ ଭାରତ ବାଦ୍‌ ପଡିବା ପରେ ବିସିସିଆଇ ଆକ୍ସନ ମୋଡରେ ରହିଛି। ଆଉ ଏଥିପାଇଁ ଖୁବଶୀଘ୍ର ଡ୍ରେସିଂ ରୁମରେ କ୍ୟାପଟେନ କୁଲ୍‌ ମହେନ୍ଦ୍ର ସିଂ ଧୋନିଙ୍କୁ ପୁଣିଥରେ ଦେଖିବାକୁ ମିଳିପାରେ। ଯାହାର ଯୋଜନା କରୁଛି ବିସିସିଆଇ । ରିପୋର୍ଟ ମୁତାବକ, ବିସିସିଆଇ ଟି-୨୦ କ୍ରିକେଟର ସେଟଅପ୍‌ ସହିତ ବଡ ଦାୟିତ୍ୱ ଦେବାକୁ ପ୍ରସ୍ତୁତ ରହିଛି । ଧୋନିଙ୍କୁ ଟିମର ଡାଇରେକ୍ଟର ଭାବେ ଦାୟିତ୍ୱ ଦିଆଯାଇପାରେ ବୋଲି ସୂଚନା ମିଳିଛି ।

ରିପୋର୍ଟ ମୁତାବକ, ବିସିସିଆଇ ତିନୋଟି ଫର୍ମାଟରେ କୋଚ୍ ଦ୍ରାବିଡ଼ଙ୍କ ଉପରୁ ଚାପ୍ କୋହଳ କରିବା ଏବଂ ଜଣେ ଅଭିଜ୍ଞ ଖେଳାଳିଙ୍କୁ ଟିମରେ ସାମିଲ୍ କରିବାକୁ ଚାହୁଁଛି । ତେବେ ଟିମରେ ଧୋନିଙ୍କୁ ବଡ଼ ଦାୟିତ୍ୱ ପ୍ରଦାନ ନେଇ ଆଗାମୀ ଦିନରେ ହେବାକୁ ଥିବା ବିସିସିଆଇର ଆପେକ୍ସ କମିଟି ଆଲୋଚନା ହେବ । ଏହା ପରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।

ସେପଟେ ବିସିସିଆଇର କିଛି ବରିଷ୍ଠ ଅଧିକାରୀ ମଧ୍ୟ ଏନେଇ ଧୋନିଙ୍କ ସହ ଆଲୋଚନା କରିଛନ୍ତି । ଯଦି ବିସିସିଆଇର ପ୍ରସ୍ତାବର ଧୋନି ରାଜି ହୁଅନ୍ତି ତେବେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ବଡ ଖୁସି ଖବର ହୋଇପାରେ । ତେବେ ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ ।

ପୂର୍ବରୁ ମଧ୍ୟ ଟିମ୍ ଇଣ୍ଡିଆର ମେଣ୍ଟର ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି ମହେନ୍ଦ୍ର ସିଂହ ଧୋନି । ୨୦୨୧ରେ ୟୁଏଇରେ ହୋଇଥିବା ଟି-୨୦ ବିଶ୍ୱକପରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଟିମର ମେଣ୍ଟର ଭାବେ ଦାୟିତ୍ୱ ଦେଇଥିଲା ବିସିସିଆଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.