ଟ୍ରଫି ସହିତ ବିମାନ ଭିତରେ ମସ୍ତି କରୁଥିଲେ ଭାରତୀୟ ଟିମ୍‌ ଖେଳାଳି, ବିସିସିଆଇ ସେୟାର କଲା ଭିଡିଓ

ଭାରତୀୟ କ୍ରିକେଟ ଟିମ୍‌ ଖେଳାଳି ବିଶ୍ୱବିଜେତା ହେବା ପରେ ଟ୍ରଫି ସହିତ ସ୍ୱଦେଶ ଫେରିଛନ୍ତି । ଭାରତୀୟ ଟିମ ଖେଳାଳିଙ୍କ ଏକ ସ୍ପେଶାଲ ଭିଡିଓ ବିସିସିଆଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଖେଳାଳିମାନେ ବିମାନ ଭିତରେ ଥିବା ସମୟରେ ଟ୍ରଫି ସହିତ କିଭଳି ମସ୍ତି କରୁଥିବାର ଦେଖିବାକୁ ମିଳିଛି । ଆଉ ଏମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ରୋହିତ ଶର୍ମା ।

ବିସିସିଆଇ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି କି, ବାର୍ବାଡୋସରୁ ଦିଲ୍ଲୀ ପାଇଁ ଉଡାଣ ଭରିଥିବା ବିମାନରେ ରୋହିତ ଶର୍ମା ମସ୍ତି ଅନ୍ଦାଜରେ ନିଜର ଖୁସିକୁ ଜାହିର କରିଛନ୍ତି । ଏହାଛଡା ବୁମରା ମଧ୍ୟ ନିଜ ପୁଅ ସହିତ ଟ୍ରଫି ଉଠାଉଥିବାର ଦେଖିବାକୁ ମିଳିଛି । ଅର୍ଶଦୀପ ନିଜ ପରିବାର ସହିତ ବିମାନରେ ରହିଥିଲେ ।

ଭାରତୀୟ ଟିମର ଖେଳାଳି ମହମ୍ମଦ ସିରାଜ ଟ୍ରଫି ହାତରେ ନେଇ କହିଛନ୍ତି, ବିଶ୍ୱକପ ହାତରେ ଉଠାଇବାର ଏକ ଅଲଗା ଅନୁଭୂତି ରହିଛି । ଏଥିପାଇଁ ଆମେ କଠିନ ପରିଶ୍ରମ କରିଛୁ । ଏହି ଟ୍ରଫି ସହିତ ସ୍ପେଶାଲ ୧୫ ଜଣ ଖେଳାଳିଙ୍କ ସହିତ ଟିମର ସଦସ୍ୟ ରହିଥିବାରୁ ନିଜକୁ ବହୁତ ଭାଗ୍ୟଶାଳୀ ବୋଲି ଭାବୁଛି ।

ତେବେ ଏହାପରେ ଚହଲ କହିଥିଲେ, ଆପଣ ଏମିତି ଭାବନାକୁ ଶବ୍ଦରେ ପରିପ୍ରକାଶ କରିପାରିବେ ନାହିଁ । ମୁଁ ବହୁତ ଭାଗ୍ୟଶାଳୀ କି, ଏହା ଆମ ପାଖରେ ରହିଛି ।

ଜୁନ୍‌ ୨୯ରେ ବାର୍ବାଡୋସର କେନିଗ୍ସଟନ ଓଭାଲ ମଇଦାନରେ ଖେଳାଯାଇଥିବା ଟି୨୦ ବିଶ୍ୱକପ ୨୦୨୪ ଫାଇନାଲ ମ୍ୟାଚରେ ସାଉଥ ଆଫ୍ରିକା ଟିମକୁ ୭ ରନରେ ହରାଇଥିଲା ଭାରତ । ମ୍ୟାଚ ଜିତିବା ପରେ ଟିମ ଭାରତ ଫେରିବାର ଥିବା କିନ୍ତୁ ଘୂର୍ଣ୍ଣିଝଡ ଯୋଗୁଁ ଟିମ୍‌ ସ୍ୱଦେଶ ଫେରିପାରିନଥିଲା । ତେଣୁ ଭାରତୀୟ ଟିମରୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବିସିସିଆଇ ପକ୍ଷରୁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଥିଲା । ଏୟାର ଇଣ୍ଡିଆର ଚାର୍ଟର ବିମାନ ଖେଳାଳି, ସପୋର୍ଟିଂ ଷ୍ଟାଫ ଏବଂ ଭାରତୀୟ ମିଡିଆ କର୍ମୀଙ୍କୁ ନେଇ ଫେରିଥିଲା ।

ଟିମକୁ ନେଇ ଦିଲ୍ଲୀରେ ପହଞ୍ଚିଥିଲା ବିମାନ । ଆଜି ସକାଳେ ପହଞ୍ଚିବା ପରେ ଟିମ୍‌ ହୋଟେଲକୁ ଯାଇଥିଲା । ଏହାପରେ ଟିମ୍‌ ହୋଟେଲରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲା । ମୋଦିଙ୍କ ସହିତ କଥାବାର୍ତ୍ତା ହେବା ପରେ ଟ୍ରଫି ସହିତ ସମସ୍ତ ଖେଳାଳି ଫଟୋ ଉଠାଇଥିଲେ । ମୋଦିଙ୍କୁ ସାକ୍ଷାତ କରିବା ପରେ ଟିମ୍‌ ମୁମ୍ବାଇ ପାଇଁ ଉଡାଣ ଭରିଛି । ମୁମ୍ବାଇରେ ଭାରତୀୟ ଟିମ୍‌ ବିଜୟ ଶୋଭାଯାତ୍ରା କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.