ଗୁଆହାଟୀ : ଦ୍ବିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଠାରୁ ୪୦୮ ରନରେ ପରାଜୟ । ଟେଷ୍ଟ ଇତିହାସରେ ଭାରତର ଏହା ରନ୍ ବ୍ୟବଧାନରେ ସବୁଠାରୁ ବଡ଼ ପରାଜୟ ଘଟିଛି । ସବୁ ମହଲରୁ ଭାରତୀୟ ଦଳକୁ ସମାଲୋଚନାର ଶରବ୍ୟ ହେବାକୁ ପଡୁଛି । ତେବେ ଲଗାତର ଦୁଇଟି ଟେଷ୍ଟ ଓ ଦୁଇଟି ଟେଷ୍ଟ ସିରିଜ୍ ହାରିଥିବା ଟିମ୍ ଇଣ୍ଡିଆରେ କଣ ଅସୁବିଧା ରହିଲା ଯେ ଘରୋଇ ମାଟିରେ ଏଭଳି ଚିତପଟାଙ୍ଗ ମାରିଲା ? ଶେଷ ଖବର ହେଉଛି ପରାଜୟର ସବୁ ଦୋଷ ମୁଣ୍ଡାଇଛନ୍ତି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ।
ଗମ୍ଭୀର କହିଛନ୍ତି, ମୁଁ ଏହି ବିଫଳତା ପାଇଁ ଦଳଗତ ଭାବେ ସମସ୍ତେ ଦାୟୀ । ଯାହା ମୋ ଠାରୁ ଆରମ୍ଭ ହେଉଛି । ତେବେ ସେ ଆହୁରି କହିଛନ୍ତି ଯେ ମୁଁ ବଦଳି ନାହିଁ । ମୁଁ ସେଇ ଲୋକ ଯିଏ ଦଳକୁ ଚାମ୍ପିଅନ୍ସ ଟ୍ରଫିରେ ଜିତାଇଥିଲି ଓ ଇଂଲଣ୍ଡ ସହ ଟେଷ୍ଟ ସିରିଜ୍ ୨-୨ରେ ଡ୍ର ରଖିଥିଲି । ତେବେ ବର୍ତ୍ତମାନ ବିସିସିଆଇ ହିଁ ମୋର ଭାଗ୍ୟ ନିର୍ଦ୍ଧାରଣ କରିବ । ଆମକୁ ଆହୁରି ଭଲ ଖେଳିବାକୁ ହେବ । ଗୋଟେ ସମୟରେ ଆମେ ଗୋଟିଏ ୱିକେଟ୍ ହରାଇ ୯୫ ରନ୍ କରିଥିଲୁ ଆଉ ୧୨୨ ରନରେ ଅଲଆଉଟ୍ ହୋଇଗଲୁ । ଏହାକୁ କେହିବି ଗ୍ରହଣ କରିବେ ନାହିଁ । ମୁଁ କେବେ ବ୍ୟକ୍ତିଗତ ଭାବେ କାହାକୁ ଦୋଷ ଦିଏ ନାହିଁ କି ଆଗକୁ ମଧ୍ୟ ଦେବି ନାହିଁ ବୋଲି ମ୍ୟାଚ୍ ଶେଷରେ ଗମ୍ଭୀର କହିଛନ୍ତି ।
ଅବଶ୍ୟ ଯଦି କୋଚ୍ ଭାବେ ଟେଷ୍ଟରେ ଗମ୍ଭୀରଙ୍କ ପ୍ରଦର୍ଶନକୁ ବିଚାର କରାଯିବ ତେବେ ତାହା ଆଦୌ ଉତ୍ସାହଜନକ ନୁହେଁ । କାରଣ ଭାରତୀୟ ଦଳ ତାଙ୍କ ଅଧିନରେ ୧୮ଟି ଟେଷ୍ଟ ଖେଳି ୧୦ଟି ହାରିଛି । ଆଉ ସବୁଠାରୁ ବଡ଼ ଝଟକା ହେଲା ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଠାରୁ ଟେଷ୍ଟ ସିରିଜ୍ ହାରିବା । ଗମ୍ଭୀରଙ୍କ ଖେଳାଳି ଚୟନକୁ ନେଇ ପ୍ରଶ୍ନ ଉଠିଛି । କାରଣ ସେ ସ୍ପେସିଆଲିଷ୍ଟଙ୍କ ସ୍ଥାନରେ ଅଧିକ ଅଲରାଉଣ୍ଡରଙ୍କୁ ଦଳରେ ଦନବାକୁ ପସନ୍ଦ କରିଥିଲେ । ଯାହା ବିଫଳ ରଣନୀତି ଥିଲା । ତେବେ ଗମ୍ଭୀର କିନ୍ତୁ ସମାଲୋଚନାକୁ ଏଡ଼ାଇ କହିଛନ୍ତି ଯେ ଟେଷ୍ଟ କ୍ରିକେଟରେ ଅତି ଦକ୍ଷ କିମ୍ବା ଆକ୍ରମଣାଭିମୁଖୀ ବ୍ୟାଟ୍ସମ୍ୟାନଙ୍କର ଆବଶ୍ୟକତା ନାହିଁ । ଦକ୍ଷତା କମ୍ ଥିଲେ ଚଳିବ କିନ୍ତୁ କଠିନ ପରିସ୍ଥିତିର ସାମନା କରିବାର ସାମର୍ଥ୍ୟ ଥିବା ଦରକାର ।