ଭାରତ ଷ୍ଟାଡିୟମରେ ଦେଖିବାକୁ ମିଳିବନି ତମାଖୁ ଏବଂ ଗୁଟଖା ବିଜ୍ଞାପନ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନେଇପାରେ ବଡ ପଦକ୍ଷେପ

ମ୍ୟାଚ ସମୟରେ ଆଉ ଷ୍ଟାଡିୟମରେ ଦେଖିବାକୁ ମିଳିବ ନାହିଁ ତମାଖୁ ଏବଂ ଗୁଟଖାର ବିଜ୍ଞାପନ । ଭାରତରେ ଖେଳାଯିବାକୁ ଥିବା ଆନ୍ତର୍ଜାତୀୟ ଏବଂ ଆଇପିଏଲ ମ୍ୟାଚ୍ ସମୟରେ ଷ୍ଟାଡିୟମରେ ତମାଖୁ ଏବଂ ଗୁଟଖାର ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ । ଆପଣ ପୂର୍ବରୁ ମ୍ୟାଚ ସମୟରେ ଅଧିକାଂଶ ସମୟରେ ଏହି ବିଜ୍ଞାପନ ଦେଖିବାକୁ ପାଉଥିଲେ । ଖେଳ ସମୟରେ ଏହି ବିଜ୍ଞାପନ ମାଧ୍ୟମରେ ବୋର୍ଡ଼ ଭଲ ରୋଜଗାର କରିଥାଏ । କିନ୍ତୁ ଖୁବ ଶୀଘ୍ର ଏହି ବିଜ୍ଞାପନ ବନ୍ଦ ହୋଇପାରେ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବଡ଼ ପଦକ୍ଷେପ ନେବା ପାଇଁ ଯୋଜନା କରୁଛି ।

ICMR ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭାଇଟାଲ ଷ୍ଟ୍ରାଟେଜି ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ, ୨୦୨୩ ମସିହାରେ ଧୂମ୍ରହୀନ ତମାଖୁ(SLT) ବ୍ରାଣ୍ଡର ସମସ୍ତ ତମାଖୁ ବିଜ୍ଞାପନ ମଧ୍ୟରୁ ୪୧.୩% କ୍ରିକେଟ ବିଶ୍ୱକପର ଗତ ୧୭ଟି ମ୍ୟାଚରେ ପ୍ରଦର୍ଶିତ ହୋଇଥିଲା ।

ରିପୋର୍ଟ ମୁତାବକ, ବର୍ତ୍ତମାନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସବୁ ବିଜ୍ଞାପନ ବନ୍ଦ କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛି ଯାହାକୁ ସେଲିବ୍ରିଟିମାନେ ପ୍ରମୋଟ୍ କରୁଛନ୍ତି । କ୍ରିକେଟ୍ ମ୍ୟାଚ୍ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଥିବାରୁ ଏଭଳି ବିଜ୍ଞାପନ ପରୋକ୍ଷରେ ସେମାନଙ୍କ ଧ୍ୟାନ ଆକର୍ଷିତ କରୁଛି । ଏନେଇ DGHS କୌଣସି ପ୍ରକାର ତମାଖୁ ବିଜ୍ଞାପନ ପ୍ରଦର୍ଶନ କରିବା ଉପରେ ରୋକ୍ ଲଗାଇବା ପାଇଁ ବିସିସିଆଇକୁ ଚିଠି ଲେଖି ଅନୁରୋଧ କରିପାରନ୍ତି ।

ଦିନିକିଆ ବିଶ୍ୱକପ କ୍ରିକେଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ । ଭାରତ ୨୦୨୩ରେ ହୋଇଥିବା ଦିନିକିଆ ବିଶ୍ୱକପର ଆୟୋଜନ କରିଥିଲା । ତେଣୁ ବଡ ଟୁର୍ଣ୍ଣାମେଣ୍ଟରେ ତମାଖୁ ଏବଂ ଗୁଟଖା ବିଜ୍ଞାପନ ଦ୍ୱାରା ଯୁବପିଢି ଉପରେ ଅଧିକ ପ୍ରଭାବ ପକାଇଛି ।