ଚୟନକର୍ତ୍ତା କମିଟିକୁ ବରଖାସ୍ତ କରିବା ପରେ ରୋହିତ ଶର୍ମାଙ୍କୁ ନେଇ ବଡ ନିଷ୍ପତ୍ତି ନେଇପାରେ ବିସିସିଆଇ, ଯାଇପାରେ ଟି-୨୦ ଅଧିନାୟକ ପଦ !

ଟି-୨୦ ବିଶ୍ଵକପ୍ ୨୦୨୨ ସେମିଫାଇନାଲରୁ ବାହାରିବା ପରେ ବିସିସିଆଇ ଆକ୍ସନ ମୋଡରେ ରହିଛି। ବିସିସିଆଇର ଚୟନକର୍ତ୍ତା କମିଟି ଭାଙ୍ଗିସାରିଛି । ସମସ୍ତ ଚୟନକର୍ତ୍ତା କମିଟିକୁ ବରଖାସ୍ତ କରାଯାଇଛି। ଉତ୍ତରାଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ଚେତନ ଶର୍ମା, ହରବିନ୍ଦିର ସିଂ, ସୁନୀଲ ଯୋଶୀ ଏବଂ ଦେବାଶିଷ ମହାନ୍ତିଙ୍କୁ ବରଖାସ୍ତ କରାଯାଇଛି । ପାଞ୍ଚ ଜଣିଆ ଚୟନ କମିଟି ପାଇଁ ଆବେଦନ ମଗାଯାଇଛି।

ଭାରତୀୟ କ୍ରିକେଟ୍ ଦଳରେ ତିନୋଟି ଫର୍ମାଟ୍ ପାଇଁ ଜଣେ ଅଧିନାୟକ ରହିବାର ଟ୍ରେଣ୍ଡ ଶୀଘ୍ର ସରିବାକୁ ଯାଉଛି। ଏବେ ଭାରତୀୟ କ୍ରିକେଟ୍ ଦଳରେ ଅଲଗା ଅଲଗା ଫର୍ମାଟରେ ଅଲଗା ଅଲଗା ଅଧିନାୟକ କରାଯିବା ନେଇ ବିସିସିଆଇ ଚିନ୍ତା କରୁଛି। ସେହି ଅନୁସାରେ ରୋହିତ ଶର୍ମା ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ପଦରେ ରହିବେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଦଳର ଅଧିନାୟକ କରାଯାଇପାରେ। ପାଣ୍ଡ୍ୟା ଭାରତୀୟ ଟି-୨୦ କ୍ରିକେଟ୍ ଦଳର ଅଧିନାୟକ ହୋଇ ପାରନ୍ତି। ଚୟନ କମିଟି ଦାୟିତ୍ଵ ନେବା ପରେ ବିସିସିଆଇ ସହ ବିଚାର ବିମର୍ଶ କରି ପ୍ରତ୍ୟେକ ଫର୍ମାଟ୍ ପାଇଁ ଅଲଗା ଅଲଗା ଅଧିନାୟକ ନିଯୁକ୍ତ କରିବେ ବୋଲି ସୂଚନା ରହିଛି।

୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ପରେ ଭାରତ କୌଣସି ଆଇସିସି ଟ୍ରଫି ଜିତିନାହିଁ। ଏମିତି ଟି-୨୦ ବିଶ୍ୱକପ ପାଇଁ ସମସ୍ତେ ରୋହିତଙ୍କ ଉପରେ ଆଶା କରିଥିଲେ। କିନ୍ତୁ ଏହା ସଫଳ ହୋଇପାରିଲା ନାହିଁ । ରୋହିତଙ୍କ ଅଧିନାୟକତ୍ୱରେ ଟିମ୍‌ କିଛି ଖାସ୍‌ କରିପାରିଲା ନାହିଁ। ରୋହିତ ଶର୍ମା ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଖରାପ ପ୍ରଦର୍ଶନ କରିଛନ୍ତି। ସେ ୬ଟି ମ୍ୟାଚରେ ମାତ୍ର ୧୧୬ ରନ କରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ୍‌ ୧୦୬.୪୨ ରହିଥିଲା ।

ତେବେ ୨୦୨୩ରେ ଦିନିକିଆ ବିଶ୍ଵକପ୍ ହେବାକୁ ଥିବାରୁ ରୋହିତ ଶର୍ମା ଦିନିକିଆ ଦଳର ଅଧିନାୟକ ପଦ ବଜାୟ ରଖିବେ। ପୁଣି ୨୦୨୪ ଟି-୨୦ ବିଶ୍ଵକପକୁ ଦୁଇ ବର୍ଷ ବାକି ଥିବାରୁ ଏବେଠୁ ଟି-୨୦ ଦଳରେ ଜଣେ ପୂର୍ଣ୍ଣକାଳୀନ ଅଧିନାୟକ ରଖିବାକୁ ବିସିସିଆଇ ବିଚାର କରୁଛି।

ସୂଚନାଯୋଗ୍ୟ, ଏବେ ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆର ନେତୃତ୍ଵ ନେଇଛନ୍ତି। ଶିଖର ଧଓ୍ଵନଙ୍କୁ ଦିନିକିଆ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

 

Leave A Reply

Your email address will not be published.