ସ୍ୱପ୍ନରେ ଟ୍ରଫି ଦେଖୁଥିଲା ବେଲଜିୟମ୍ ଦଳ, ଜିତିଗଲା ପରେ ଭାବୁଛି ବାସ୍ତବ ତ ?

ଭୁବନେଶ୍ୱର (କେ ନ୍ୟୁଜ୍) : ଗତକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଉଦଯାପିତ ହୋଇଛି ଚତୁର୍ଦ୍ଦଶ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ । ଏଥିରେ ନେଦରଲାଣ୍ଡସକୁ ହରାଇ ଚାମ୍ପିଅନ୍ ହୋଇଛି ବେଲଜିୟମ୍ । ପ୍ରଥମଥର ଟାଇଯଲ୍ ହାସଲ କରିଛି ବେଲଜିୟମ୍ ଦଳ । ଏହି ୟୁରୋପୀୟ ଦଳ ପାଇଁ ଯେମିତି ବିଶ୍ୱ ଟାଇଟଲ୍ ଏକ ସ୍ୱପ୍ନ ଥିଲା ।
କାରଣ ଫାଇନାଲ୍ରେ ସାମନାରେ ଥିଲା ଶକ୍ତିଶାଳୀ ନେଦରଲାଣ୍ଡସ ଦଳ । କିନ୍ତୁ ପୂରା ଦମ୍ରେ ଲଢ଼େଇ କରି, ସବୁ କୌଶଳକୁ ପ୍ରୟୋଗ କରି ବେଲଜିୟମ ଦଳ ନେଦରଲାଣ୍ଡସକୁ ଅଟକାଇବା ସହ ପେନାଲଟି ସୁଟ୍ଆଉଟ୍ରେ ଜିତିଗଲା । ଗତକାଲି ଯେତେବେଳେ ଦଳର ଖେଳାଳିମାନେ ଟ୍ରଫି ଧରିଲେ ସେତେବେଳେ ଖୁସିରେ ସୀମା ନଥିଲା । ରାତିରେ ଯେତେବେଳେ ଶୋଇବାକୁ ଗଲେ ସେତେବେଳେ ଅଧିନାୟକ ଥୋମାସ୍ ବ୍ରିଏଲ୍ସ ଟ୍ରଫିକୁ ନିଜ ପାଖରେ ଧରି ଶୋଇଥିଲେ । କହିଥିଲେ ଆଜି ଭଲ ନିଦ ହେବ ।ପୂର୍ବରୁ ବିଶ୍ୱ କପ୍ ଟ୍ରଫି ହାତରେ ଧରିଥିବାର ସ୍ୱପ୍ନ ଦେଖୁଥିଲେ । ଯେବେ ସ୍ୱପ୍ନ ବାସ୍ତବ ହେଲା ଲାଗିଲା ସତ ନା ନାହିଁ । ଏ କଥା କହିଛନ୍ତି ବେଲଜିୟମ ଅଧିନାୟକ ଥୋମାସ୍ । ଅବଶ୍ୟ ଚାମ୍ପିଅନ୍ ହେବା ପାଇଁ ସେମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ ବୋଲି ସେ କହିଛନ୍ତି ।
ଗଗନର୍ଡ଼ଙ୍କ ପାଇଁ ଦୁଃଖରେ ବି ଖୁସି
ଇଂଲଣ୍ଡ ସହ ବେଲଜିୟମ୍ର ସେମିଫାଇନାଲ୍ ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଦଳର ଟାର ଖେଳାଳି ସାଇମନ୍ ଗଗନର୍ଡଙ୍କୁ ମିଳିଲା ଦୁଃସମ୍ବାଦ । ଅନେକ ଦିନରୁ କର୍କଟ ରୋଗରେ ପୀଡ଼ିତ ତାଙ୍କ ବାପାଙ୍କର ଦେହାନ୍ତ ହୋଇଗଲା । ତଥାପି ଗଗନର୍ଡ଼ ସେମିଫାଇନାଲ୍ରେ ଖେଳିଲେ ଓ ୨ଟି ଗୋଲ୍ ଦେଇ ଦଳକୁ ଫାଇନାଲ୍ରେ ପହଞ୍ଚାଇଲେ । ସେମିଫାଇନାଲ୍ରେ ଜିତିବା ପରେ ସେ ଆକାଶକୁ ଚାହିଁ ନିଜ ପିତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପୁଣି ତାଙ୍କ ଦଳ ଗତକାଲି ଚାମ୍ପିଅନ୍ ହେବା ପରେ ଗଗନର୍ଡ଼ଙ୍କ ମନରେ ଥିଲା ସୁଖ ଆଉ ଦୁଃଖର ଫେଣ୍ଟାଫେଣ୍ଟି ଲହରି ।
ବିଶ୍ୱକପ୍କୁ ଆସିବା ପୂର୍ବରୁ ଗଗନର୍ଡ଼ ସବୁ ସମୟରେ ନିଜ ବାପାଙ୍କ ପାଖରେ କଟାଉଥିଲେ । ତାଙ୍କ ବାପା ଜଣେ ହକି ଖେଳାଳି ଥିଲେ । ତେଣୁ ହକିର ମର୍ଯ୍ୟାଦା ବୁଝନ୍ତି । ସେଥିଲାଗି ସେ ପୁଅ ସାଇମନ୍ଙ୍କୁ ମନା କରିଥିଲେ, ମୋର କିଛି ବି ହେଇଯାଉ ତୁମେ ବିଶ୍ୱ କପ୍ ଛାଡ଼ି ଆସିବ ନାହିଁ । ଦଳର ଅଧିନାୟକ ଓ କୋଚ୍ କହିଛନ୍ତି ଆମେ ସାଇମନ୍ଙ୍କ ପାଇଁ ଟ୍ରଫି ଜିତିବାକୁ ଚାହୁଁଥିଲୁ । କାରଣ ପିତାଙ୍କ ଦେହାନ୍ତ ସତ୍ତ୍ୱେ ସେ ପୂରା ନିଷ୍ଠାର ସହ ଦଳ ପାଇଁ ଖେଳିଛନ୍ତି । ଟ୍ରଫି ଜିତିବା ପରେ ଗଗନର୍ଡ଼ ଏହାକୁ ନିଜ ପିତାଙ୍କୁ ଉତ୍ସର୍ଗ କରିଛନ୍ତି ।