ନେଦରଲାଣ୍ଡସ୍କୁ ହରାଇ ବେଲଜିୟମ ପ୍ରଥମଥର ହକି ବିଶ୍ୱ କପ୍ ଚାମ୍ପିଅନ୍

ଭୁବନେଶ୍ୱର (କେ ନ୍ୟୁଜ୍) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରାୟ ୨୦ ହଜାର ହକିପ୍ରିୟ ଦେଶୀ ବିଦେଶୀ ଦର୍ଶକଙ୍କ ହୋହଲ୍ଲା ଭିତରେ ଜିତିଲା ବେଲଜିୟମ । ବିଶ୍ୱ କପ୍ ଇତିହାସରେ ପ୍ରଥମଥର ସ୍ୱର୍ଣ୍ଣ ପଦକ ବିଜେତା ନିର୍ଣ୍ଣୟ ହୋଇଛି ପେନାଲଟି ସୁଟ୍ଆଉଟ୍ରେ । ଆଉ ପ୍ରଥମଥର ଫାଇନାଲ୍କୁ ଆସି ଟାଇଟଲ୍ ଜିତିଛି ବେଲଜିୟମ । ତିନି ଥର ଚାମ୍ପିଅନ୍ ଶକ୍ତିଶାଳୀ ନେଦରଲାଣ୍ଡସକୁ ୩-୨ ଗୋଲ୍ରେ ପରାସ୍ତ କରିଛି ।
ଆଜିର ଫାଇନାଲ୍ ମ୍ୟାଚ୍ ଠିକ୍ ଗତକାଲି ନେଦରଲାଣ୍ଡସ ଓ ଆଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଦ୍ୱିତୀୟ ସେମିଫାଇନାଲ୍ ଭଳି ପୂରା ସମାନ ଥିଲା । ନିର୍ଦ୍ଧାରିତ ସମୟରେ ଖେଳ ବିନା ଗୋଲ୍ରେ ଶେଷ ହେବା ପରେ ପେନାଲଟି ସୁଟ୍ଆଉଟ୍ ହୋଇଥିଲା । ଏଥିରେ ବାଜି ମାରିନେଲା ବେଲଜିୟମ୍ ।
ଆଗରୁ ଆମେ କେ ନ୍ୟୁଜ୍ରେ ଯାହା କହିଥିଲୁ ଯେ ଉଭୟ ଦଳର ଶକ୍ତି ପ୍ରାୟ ସମାନ । କେବଳ ଉଣେଶି ବିଶ୍ ଫରକ ଆସିବ । ପ୍ରଥମ କ୍ୱାର୍ଟରରୁ ମଧ୍ୟାନ୍ତର ପର୍ଯ୍ୟନ୍ତ ଠିକ୍ ସେଇଆ ଦେଖିବାକୁ ମିଳିଥିଲା । ଉଭୟ ଦଳର ପରସ୍ପର ଉପରେ ପ୍ରବଳ ଆକ୍ରମଣ କରିଥିଲେ ଓ ଦୁହିଙ୍କ ଶକ୍ତି ପୂରା ସମାନ ଥିଲା ଭଳି ଜଣାପଡୁଥିଲା । ବଲ୍ ନିୟନ୍ତ୍ରଣ ପ୍ରତିଶତ ମଧ୍ୟ ପ୍ରାୟ ସମାନ ରହିଥିଲା । ଉଭୟ କିଛି ସୁଯୋଗ ପାଇଥିଲେ ମଧ୍ୟ କେହି କାହାରିକୁ ଗୋଲ୍ ଦେଇ ପାରି ନଥିଲେ ।
ପରେ ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ଦୁଇ ଦଳ ରକ୍ଷଣାତ୍ମକ ଖେଳ ଦେଖାଇଥିଲେ । ଯାହାଫଳରେ ଖେଳ ପେନାଲଟି ସୁଟ୍ଆଉଟ୍ ଆଡ଼କୁ ଯାଇଥିଲା । ତେବେ ଦୁଇ ୟୁରୋପୀୟ ଦଳ ଭିତରେ ଯେଭଳି କଡ଼ା ସଂଘର୍ଷ ହୋଇଥିଲା ତାହା ଦର୍ଶକଙ୍କୁ ଖୁବ୍ ମଜା ଦେଇଥିଲା । ବେଲଜିୟମ୍ର ଭିନସେଣ୍ଟ ଭାନାସ୍କ ଫାଇନାଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି ।
Hertzberger misses! And Belgium win World Cup twice in one night pic.twitter.com/GmCeXyKukA
— Karan P. Saxena (@karanpsaxena92) December 16, 2018