ବୀରେନ୍ଦ୍ର ଲାକ୍ରା ଓ ଅରୂପାନନ୍ଦ ରାଉତରାୟଙ୍କୁ ପ୍ରଦାନ କରାଯିବ ‘ଓସ୍ଜା’ ପୁରସ୍କାର

ଭୁବନେଶ୍ୱର(କେନ୍ଯୁଜ୍): ଆସନ୍ତା ୨୧ ତାରିଖ ଓସ୍ଜାର ସପ୍ତମ ପ୍ରତିଷ୍ଠା ଦିବସ ଅବସରରେ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତି ବଡ଼ ସଫଳତା ପାଇଥିବା ଭାରତୀୟ ପୁରୁଷ ହକି ଦଳର ସଦସ୍ୟ ବୀରେନ୍ଦ୍ର ଲାକ୍ରା ଏବଂ ଓଡ଼ିଶା ବାସ୍କେଟବଲ୍ର କିଂବଦନ୍ତି ଅରୂପାନନ୍ଦ ରାଉତରାୟଙ୍କୁ ଚଳିତ ବର୍ଷର ଓସ୍ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ) ବାର୍ଷିକ ପୁରସ୍କାର ପ୍ରଦାନ କରାଯିବ। ଅର୍ଜୁନ ପୁରସ୍କାର ବିଜେତା ବୀରେନ୍ଦ୍ରଙ୍କୁ ୨୦୨୧ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍ ଏବଂ ଅରୂପାନନ୍ଦଙ୍କୁ ଜୀବନବ୍ୟାପୀ ସେବା ପୁରସ୍କାର ପ୍ରଦାନ କରାଯିବ।
ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏହି ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ‘ଓସ୍ଜା’ ସଭାପତି ସନ୍ଦୀପ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ବରିଷ୍ଠ ସଦସ୍ୟ ସୁଶାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ ସମିତି ୨୦୨୧ ବର୍ଷ ପାଇଁ ବୀରେନ୍ଦ୍ର ଏବଂ ଅରୂପାନନ୍ଦଙ୍କୁ ମନୋନୀତ କରିଛି। ଏହି ଦୁଇ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ବିଶେଷ ଟ୍ରଫି, ମାନପତ୍ର ଏବଂ ୨୫ ହଜାର ଟଙ୍କା ଦେଇ ସମ୍ମାନିତ କରାଯିବ।