ପାକିସ୍ତାନ: କ୍ରିକେଟ୍‌ ଚାଲିଥିବା ବେଳେ ବଡ଼ ଧରଣର ବୋମା ବିସ୍ଫୋରଣ; ଅଳ୍ପକେ ବର୍ତ୍ତିଲେ ଖେଳାଳି, ବନ୍ଦ କରି ଦିଆଗଲା LIVE ମ୍ୟାଚ୍‌

ପାକିସ୍ତାନର କ୍ୱେଟାରେ ବଡ଼ ଧରଣର ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ମୁସା ଚୌକଠାରେ ହୋଇଥିବା ସୂଚନା ମିଳିଛି। ଏଥିରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ବୋମା ବିସ୍ଫୋରଣ ଯୋଗୁ ସେଠାରେ ଭୟର ବାତାବରଣ ଖେଳିଯାଇଛି। କ୍ୱେଟାରେ ଯେତେବେଳେ ବାବର ଆଜମ୍‌ ଓ ସରଫରାଜ ଅହମ୍ମଦଙ୍କ ଟିମ୍‌ ମଧ୍ୟରେ ମ୍ୟାଚ୍‌ ଖେଳାଯାଉଥିଲା, ସେହି ସମୟରେ ଏହି ବିସ୍ଫୋରଣ ଘଟିଥିଲା। କ୍ୱେଟାରେ ଚାଲିଥିବା ମ୍ୟାଚ୍‌ ପାକିସ୍ତାନ ସୁପର ଲିଗ୍‌ର ଏକ୍‌ଜିବିସନ ମ୍ୟାଚ୍‌ ଥିଲା।

ଏକ ରିପୋର୍ଟ ମୁତାବକ, ଯେଉଁ ସମୟରେ ବୋମା ଫାଟିଥିଲା, ସେହି ସମୟରେ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଚାଲିଥିଲା। ଧମାକା ପରେ ସଙ୍ଗେ ସଙ୍ଗେ ଲାଇଭ୍‌ ମ୍ୟାଚ୍‌କୁ ରୋକି ଦିଆଯାଇଥିଲା। କହି ରଖୁଛୁ ଯେ ପାକିସ୍ତାନରେ ବର୍ତ୍ତମାନ ସମୟରେ ବୋମା ବିସ୍ଫୋରଣର ଖବର ସାମ୍ନାକୁ ଆସୁଛି।

ତେବେ ପାକିସ୍ତାନ ସୁପର ଲିଗ୍‌ ଇତିହାସରେ ଏହା ପ୍ରଥମ ଥର ଘଟିଛି, ଯେତେବେଳେ କି, କୌଣସି ଏକ୍‌ଜିବିସନ ମ୍ୟାଚ୍‌ ଚାଲିଥିବା ସମୟରେ ବୋମା ବିସ୍ଫୋରଣ ହୋଇଛି। ସରଫରାଜ ଅହମ୍ମଦଙ୍କ କ୍ୱୋଟା ଗ୍ଲାଡିଆଟର୍ସ ଓ ବାବର ଆଜମ୍‌ଙ୍କ ପେଶାଓ୍ଵର ଜାଲ୍‌ମୀ ମଧ୍ୟରେ ଏହି ମ୍ୟାଚ୍‌ କ୍ୱେଟାର ବୁଗାଟି ଷ୍ଟାଡିୟମ୍‌ରେ ଚାଲିଥିଲା। ହଠାତ୍‌ ସେହି ସମୟରେ ବୋମା ବିସ୍ଫୋରଣ ହୋଇଥିଲା, ଯାହାପରେ ମ୍ୟାଚ୍‌କୁ ତୁରନ୍ତ ରୋକିବାକୁ ପଡ଼ିଥିଲା।

ସୂଚନାଥାଉ କି, ଏହି ମ୍ୟାଚ୍‌ ପାଇଁ ୧୩୦୦୦ରୁ ଅଧିକ ଟିକେଟ୍‌ ବିକ୍ରି ହୋଇଥିଲା ଏବଂ ୪୦୦୦ରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ। ମ୍ୟାଚ୍‌ ଦେଖିବା ପାଇଁ ଶାହିଦ୍‌ ଆଫ୍ରିଦି, ମୋଇନ ଖାନ ଓ ଜାଭେଦ୍‌ ମିୟାଂଦାଦ ମଧ୍ୟ କ୍ୱେଟା ପହଞ୍ଚିଥିଲେ। ଏହାଛଡ଼ା ଅନେକ ପାକିସ୍ତାନ ସେଲିବ୍ରିଟି ମଧ୍ୟ ଷ୍ଟାଡିୟମ୍‌ରେ ଉପସ୍ଥିତ ଥିଲେ।