ବ୍ରାଏନ ଲାରାଙ୍କୁ ମିଳିଲା ସନରାଇଜର୍ସ ହାଇଦ୍ରାବାଦ ଟିମର ହେଡ୍‌ କୋଚ୍‌ ଦାୟିତ୍ୱ, ବିଦା ହେଲେ ଟମ୍‌ ମୁଡି

ଆଇପିଏଲ୍‌ର ଆଗାମୀ ସିଜନ ଖୁବଶୀଘ୍ର ଆରମ୍ଭ ହେବ। ଚଳିତବର୍ଷ ଆଇପିଏଲ୍‌ରେ ୧୦ଟି ଟିମ୍‌ ଖେଳିଥିଲେ। ଆଗାମୀ ସିଜିନ ଆରମ୍ଭ ହେବା ପୂର୍ବରୁ ବଡ ପଦକ୍ଷେପ ନେଇଛି ସନରାଇଜର୍ସ ହାଇଦ୍ରାବାଦ। ଇଣ୍ଡିଆନ ପ୍ରିମିଅର ଲିଗ (IPL) ର ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦରେ ବଡ ପରିବର୍ତ୍ତନ ହୋଇଛି। ଟିମର ହେଡ କୋଚ୍‌ ଟମ୍‌ ମୁଡି ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି। ଏହି ଦାୟିତ୍ୱ ଟିମର ବ୍ୟାଟସମ୍ୟାନ୍‌ ବ୍ରାଏନ ଲାରାଙ୍କୁ ଦିଆଯାଇଛି। ସନରାଇଜର୍ସ ହାଇଦ୍ରାବାଦ ଅଫିସିଆଲ ଟ୍ଵିଟର ପେଜରେ ଏହି ସୂଚନା ଦେଇଛି।

ସନରାଇଜର୍ସ ହାଇଦ୍ରାବାଦ ଲେଖିଛି, ‘ଆମ ସହିତ ଟମ୍‌ ମୁଡିଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି। ସନରାଇଜର୍ସ ହାଇଦ୍ରାବାଦକୁ ଦେଇଥିବା ସେବା ପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ। ଗତ କିଛି ବର୍ଷ ମଧ୍ୟରେ ତାଙ୍କ ସହିତ କାମ କରିବା ବହୁତ ଭଲ ଥିଲା। ତେବେ ତାଙ୍କ ଭବିଷ୍ୟ ପାଇଁ ବହୁତ ବହୁତ ଶୁଭକାମନା।

ଏହା ପରେ ସନରାଇଜର୍ସ ହାଇଦ୍ରାବାଦ ଆଉ ଏକ ଟ୍ଵିଟ୍‌ କରି କହିଛି କି, ଆସନ୍ତା ଆଇପିଏଲ୍‌ ସିଜିନରେ ବ୍ରାଏନ ଲାରା ହେଡ କୋଚ ଦାୟିତ୍ୱ ତୁଲାଇବେ।

ଅଷ୍ଟ୍ରେଲିଆର ପୂର୍ବ କ୍ରିକେଟର ଟମ୍‌ ମୁଡି ୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ର ହେଡ କୋଚ୍‌ ଥିଲେ। ଏହି ସମୟ ମଧ୍ୟରେ ଟିମ୍‌ ୫ ଥର ପ୍ଲେ ଅଫରେ ପହଞ୍ଚିଥିଲା ଏବଂ ଥରେ ଚାମ୍ପିଅନ ହୋଇଥିଲା। ଏହାପରେ ୨୦୨୦ରେ ଅଷ୍ଟ୍ରେଲିଆ ଟ୍ରାଭେଲ ବେଲିସ ସନରାଇଜର୍ସ ହାଇଦ୍ରାବାଦର ହେଡ କୋଚ୍‌ ଭାବେ ଦାୟିତ୍ୱ ନେଇଥିଲେ। ଏହା ପରେ ପୁଣି ଟମ୍‌ ମୁଡିଙ୍କୁ ଟିମର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଏଥର ନିଜ ଦାୟିତ୍ୱକୁ ସୁଚାରୁରୂପେ ପରିଚାଳିତ କରିପାରିନଥିଲେ ଟମ୍‌ ମୁଡି। ଆଇପିଏଲ୍‌ ୨୦୨୨ରେ ସନରାଇଜର୍ସ ହାଇଦ୍ରାବାଦ ୧୪ଟି ମ୍ୟାଚରୁ ୮ଟି ମ୍ୟାଚ ହାରି ୮ନଂ ସ୍ଥାନରେ ରହିଥିଲା।

ଗତ ସିଜିନରେ ବ୍ରାଏନ ଲାରା ସନରାଇଜର୍ସ ହାଇଦ୍ରାବାଦ ଟିମର ବ୍ୟାଟିଂ କୋଚ ଥିଲେ। ଏହି ସମୟରେ ଟିମ୍‌ ଖେଳାଳିଙ୍କ ସହିତ ତାଙ୍କର ତାଳମେଳ ଭଲ ଥିଲା। ଏପରି ସ୍ଥଳେ ସନରାଇଜର୍ସ ହାଇଦ୍ରାବାଦ ବ୍ରାଏନ ଲାରାଙ୍କୁ ଟିମର ହେଡ କୋଚ ଭାବେ ନିଯୁକ୍ତ କରିଛି। ସୂଚନାଯୋଗ୍ୟ, ସନରାଇଜର୍ସ ହାଇଦ୍ରାବାଦର ବୋଲିଂ କୋଚ ମୁଥୈୟା ମୁରଲିଧରନ ମଧ୍ୟ ଟିମ୍‌ ହେଡ କୋଚ୍‌ର ଦାୟିତ୍ୱ ନେବା ପାଇଁ ଇଚ୍ଛୁକ ରହିଥିଲେ।

ନିକଟରେ ଇଣ୍ଡିଆ ଏବଂ େଓ୍ଵଷ୍ଟ ଇଣ୍ଡିଜ ବିପକ୍ଷ ସିରିଜ ଚାଲୁଥିବା ବେଳେ ରାହୁଲ ଦ୍ରାବିଡଙ୍କ ଅନୁରୋଧ କ୍ରମେ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମକୁ ଆସିଥିଲେ ବ୍ରାଏନ ଲାରା। ଲାରା ଅଧିକାଂଶ ଟିମ୍‌ ଇଣ୍ଡିଆର ଅଧିନାୟକ ଶିଖର ଧଓ୍ଵନ ଏବଂ ୟୁଜବେନ୍ଦ୍ର ଚହଲଙ୍କ ସହିତ ବିତାଇଥିଲେ। ଲାରା ଶ୍ରେୟସ ଆୟରଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଲାରା ଖେଳାଳିଙ୍କ ସହିତ ୧୫ ମିନିଟରୁ ଊର୍ଦ୍ଧ୍ୱ ସମୟ କଥା ହୋଇଥିଲେ। ଲାରା ଶିଖର ଧଓ୍ଵନଙ୍କୁ ଆଲିଙ୍ଗନ କରିଥିଲେ। ଚହଲଙ୍କ ସହିତ ହାତ ମିଶାଇ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.