କେତେ କେତେ ରେକର୍ଡ଼ ଭାଙ୍ଗିଲେ ବୁମରା, ଏ ବର୍ଷ ନେଇଛନ୍ତି ୬୧ଟି ୱିକେଟ୍, ଭାଇରାଲ ହେଉଛି ପତ୍ନୀଙ୍କ ଟ୍ବିଟ୍

ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଯଶପ୍ରୀତ ବୁମରା ପୁଣି ଏକ ରେକର୍ଡ଼ କରିଛନ୍ତି । ଆଜି ପର୍ଥରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନରେ ବୁମରା ଅଷ୍ଟ୍ରେଲିଆର ୫ଟି ୱିକେଟ୍ ଦଖଲ କରି ଇନିଂସର ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଛନ୍ତି । ତେବେ ଏହା ସହିତ ସେ କିମ୍ବଦନ୍ତୀ ବୋଲର କପିଳ ଦେବଙ୍କ ସମକକ୍ଷ ହୋଇଛନ୍ତି । ଏହା ସହିତ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଗୋଟିଏ ସଂସ୍କରଣରେ ସେ ୫୦ ୱିକେଟ୍ ନେବାରେ ପ୍ରଥମ ଭାରତୀୟ ପେସ୍ ବୋଲର୍ ମଧ୍ୟ ହୋଇଛନ୍ତି । ଏହା ସହିତ ଚଳିତ ବର୍ଷ ମଧ୍ୟ ସେ ସର୍ବାଧିକ ୱିକେଟ୍ ଦଖଲକାରୀ ହୋଇଛନ୍ତି । ବୁମରା ୧୮ଟି ଟେଷ୍ଟରେ ୬୧ଟି ୱିକେଟ୍ ନେଇଛନ୍ତି ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ବୁମରା ୩୦ ରନ୍ ଦେଇ ୫ଟି ୱିକେଟ୍ ହାସଲ କରିଛନ୍ତି । ଏହା ସହିତ ସେ SENA ବା ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଗୋଟିଏ ଇନିଂସରେ ୫ ୱିକେଟ୍ ନେବାର ନୂଆ ରେକର୍ଡ଼ କରିଛନ୍ତି । ପୂର୍ବରୁ ଭାରତୀୟ ବୋଲର ଭାବେ କେବଳ କପିଳ ଦେବଙ୍କ ନାମରେ ଏହି ରେକର୍ଡ଼ ରହିଥିଲା । ବୁମରା ଏସବୁ ଦେଶରେ ୭ ଥର ୫ ୱିକେଟ୍ ନେବାରେ ସଫଳ ହୋଇଛନ୍ତି । କପିଳ ଦେବ ଏହି ସଫଳତା ୬୨ଟି ଇନିଂସରେ ପାଇଥିବା ବେଳେ ବୁମରା ୫୫ ଇନିଂସରେ ସଫଳ ହୋଇଛନ୍ତି ।

ଏହି ସଫଳତା ପରେ ସୋସିଆଲ ମିଡିଆରେ ତାଙ୍କୁ ଖୁବ୍ ପ୍ରଶଂସା ମିଳୁଛି । ଜଣେ ଲେଖିଛନ୍ତି ‘ବୁମରା ହେଉଛନ୍ତି ଅଷ୍ଟ୍ରେଲିଆର ବାପା’ । ଆଉ କେହି ଲେଖିଛନ୍ତି ହମକୋ ସିର୍ଫ ବୁମରା କା ସାହାରା, ଯଶି ଜୈସା କୋଇ ନେହିଁ, ଯଶପ୍ରୀତ ବୁମରା ଦେଶ କି ଶାନ୍,  । ବର୍ତ୍ତମାନ ବୁମରାଙ୍କୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବୋଲର ଭାବେ ସମ୍ମାନ ମିଳୁଛି ।

ବୁମରାଙ୍କ ପତ୍ନୀ ସଞ୍ଜନା ଟ୍ବିଟ୍ କରି ଲେଖିଛନ୍ତି ‘ଗ୍ରେଟ୍ ବୋଲର, ଇଭିନ୍ ଗ୍ରେଟର ବୁଟ୍ଟି‘ । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।