ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି, କେକେଆର ଏବଂ ଶାହରୁଖଙ୍କ ମିଳିଲା ଶୁଭେଚ୍ଛା

ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ ଖଲିଫାରେ କୋଲକତା ନାଇଟ ରାଇଡର୍ସ ଆଇପିଏଲ ଟ୍ରଫି ଜିତିବା ପରେ ଶୁଭେଚ୍ଛା ବାର୍ତ୍ତ ଦେଖିବାକୁ ମିଳିଥିଲା । ଟିମର ମାଲିକ ତଥା ବଲିଉଡର ବାଦଶାହ ଶାହରୁଖ ଖାନଙ୍କୁ ମଧ୍ୟ ଶୁଭେଚ୍ଛା ମିଳିଥିଲା । ଆଇପିଏଲ ୨୦୨୪ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଥିଲା କୋଲକତା ନାଇଟ ରାଇଡର୍ସ । ରବିବାର ୨୬ ମଇରେ ଚେନ୍ନାଇର ଚେପାକ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ମ୍ୟାଚରେ ଆଇପିଏଲ ୨୦୨୪ ଚାମ୍ପିଅନ ହୋଇଥିଲା କେକେଆର ।

ଆଇପିଏଲ ୨୦୨୪ ଚାମ୍ପିଅନ ହେବାର ଦୁଇଦିନ ପରେ ଦୁବାଇର ବୁର୍ଜ ଖଲିଫା ପର୍ପଲ ରଙ୍ଗରେ ଦେଖିବାକୁ ମିଳିଥିଲା । ଏଥିରେ ଟିମକୁ ଶୁଭେଚ୍ଛା ବାର୍ତ୍ତା ଲେଖାଯାଇଥିଲା । କେକେଆର ଏହି ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛି । କିଛି ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି କି, ବୁର୍ଜ ଖଲିଫାରେ ପ୍ରଥମ ଥର କେକେଆର ଆଇପିଏଲ ଚାମ୍ପିଅନ ହୋଇଥିବାରୁ ଶୁଭେଚ୍ଛା ମିଳିଛି । ଶାହରୁଖଙ୍କୁ ମଧ୍ୟ ଶୁଭେଚ୍ଛା ମିଳିଛି । ତେବେ ଏହାର ଆୟୋଜନ ବୁର୍ଜ ଖଲିଫା କିମ୍ବା ନିଜେ ଶାହରୁଖ କରିଛନ୍ତି, ତାହା ଜଣାପଡିନାହିଁ ।

ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି କେକେଆର ଇଣ୍ଡିଆନ୍ ପ୍ରିମିଅର ଲିଗ୍ ୨୦୨୪ ଟ୍ରଫି ଉପରେ କବ୍ଜା କରିଥିଲା । ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ କେକେଆର ଟିମ୍‌ ହାଇଦ୍ରାବାଦକୁ ମାତ୍ର ୧୧୩ ରନରେ ଅଲଆଉଟ କରିଥିଲା । ଯାହାକୁ କେକେଆର ୧୦.୩ ଓଭରରେ ୮ ଓ୍ଵିକେଟ ଥାଇ ଜିତିଯାଇଥିଲା । ଟସ୍‌ ଜିତି ବ୍ୟାଟିଂ କରି ହାଇଦ୍ରାବାଦ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୬ ରନରେ ଦଳ ନିଜର ଦୁଇ ଓପନର ଟ୍ରାଭିସ ହେଡ ଓ ଅଭିଷେକ ଶର୍ମା ପାଭିଲିୟନ ଫେରିଥିଲେ । ପରବର୍ତ୍ତୀ କୌଣସି ବ୍ୟାଟ୍ସମ୍ୟାନ ଦଳକୁ ବିପର୍ୟ୍ୟୟରୁ ଉଦ୍ଧାର କରିପାରିନଥିଲେ ।  ଦଳ ପକ୍ଷରୁ ପାଟ୍ କିମନ୍ସ ସର୍ବାଧିକ ୨୪ ରନ କରିଥିବା ବେଳେ ମାର୍କ୍ରମ ୨୦ ରନ୍ କରିଥିଲେ । ଦଳ ୧୮ ଓଭର ୩ ବଲରେ ୧୧୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା ।

ଦଳ ମାତ୍ର ୧୦ ଓଭର ୩ ବଲରେ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।  ବିଜେତା କେକେଆରକୁ ଟ୍ରଫି ସହ ୨୦ କୋଟି ଓ ରନରଅପ୍ ହାଇଦ୍ରାବାଦକୁ ୧୩ କୋଟି ଟଙ୍କା ପୁରସ୍କାର ଦିଆଯାଇଛି । ସେହିପରି ଏହି ସିଜିନରେ ସର୍ବାଧିକ ରନ୍ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିରାଟ କୋହଲି (୧୫ମ୍ୟାଚ୍, ୭୪୧ ରନ୍) ଅରେଞ୍ଜ କ୍ୟାପ୍ ଓ ସର୍ବାଧିକ ୱିକେଟ୍ ନେଇଥିବା ପଞ୍ଜାବ କିଙ୍ଗ୍ସର ହର୍ଷଲ ପଟେଲ୍ (୧୪ମ୍ୟାଚ୍, ୨୪ ୱିକେଟ୍) ପର୍ପଲ୍ କ୍ୟାପ୍ ପାଇଛନ୍ତି । ଉଭୟଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିଛି ।

Leave A Reply

Your email address will not be published.