ଭାରତକୁ ବିଜୟ ମୁକୁଟ ପିନ୍ଧାଇଲେ ତିଳକ, ନତମସ୍ତକ ହେଲେ ଅଧିନାୟକ : ଭିଡିଓ ଭାଇରଲ

ଚେନ୍ନାଇରେ ଖେଳାଯାଇଥିବା ଟି୨୦ ମ୍ୟାଚକୁ ଭାରତ ୨ ୱିକେଟରେ ଜିତିନେଇଛି । ଚେନ୍ନାଇ ମ୍ୟାଚରେ ହିରୋ ସାଜିଥିଲେ ତିଳକ ବର୍ମା । ତିଳକ ବର୍ମା ଅପରାଜିତ ରହି ୭୨ ରନ୍ କରିଥିଲେ । ଏଥିପାଇଁ ତିଳଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ପୁରସ୍କାର ମିଳିଥିଲା । ଆଉ ତିଳକଙ୍କ ଏଭଳି ଦମଦାର ବ୍ୟାଟିଂ ଯୋଗୁଁ ଅଧିନାୟକ ସୂର୍ଯ୍ୟକୁମାର ମୁଣ୍ଡ ନୁଆଁଇଥିଲେ । ଯାହାର ଭିଡିଓ ସାମ୍ନାକୁ ଆସିଛି ।

ଶେଷ ବଲରେ ୪ ମାରି ଭାରତକୁ ଜିତାଇବା ପରେ ତିଳକ ବର୍ମା ଭିନ୍ନ ଅନ୍ଦାଜରେ ସେଲିବ୍ରେସନ କରିଥିଲେ । ଏହାପରେ ଅଧିନାୟକ ସୂର୍ଯ୍ୟକୁମାର ମଇଦାନକୁ ଦୌଡି ଆସି ତିଳକଙ୍କ ଆଗରେ ମୁଣ୍ଡ ନୂଆଁଇଥିଲେ । ତିଳକ ମଧ୍ୟ ଅଧିନାୟକଙ୍କ ସମ୍ମାନ କରି ମୁଣ୍ଡ ନୁଆଁଇ ଅଭିବାଦନ ସ୍ବୀକାର କରିଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଗୋଟିଏ ସମୟରେ ହାରିବାକୁ ଥିବା ମ୍ୟାଚକୁ ଜିତିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ତିଳକ ବର୍ମା ଏବଂ ୱାଶିଂଟନ ସୁନ୍ଦରଙ୍କ ଯୋଡି । ୱାଂଶିଟନ ମାତ୍ର ୨୬ ରନ୍ କରି ଆଉଟ୍ ହୋଇଥିଲେ କିନ୍ତୁ ମ୍ୟାଚକୁ ବଞ୍ଚାଇବା ପାଇଁ ୨୬ ରନ୍ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା ।

ଭାରତ ୭୮ ରନରେ ୫ ୱିକେଟ ହରାଇଥିଲା । ସମସ୍ତଙ୍କୁ ଲାଗୁଥିବା ଭାରତୀୟ ଟିମ୍ ମ୍ୟାଚ ହାରିଯିବ । କିନ୍ତୁ ତିଳକ ବର୍ମାଙ୍କ ଉପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଭରସା କରିଥିଲେ । ପୂର୍ବରୁ ତିଳକଙ୍କ ସହିତ ସୂର୍ଯ୍ୟକୁମାର ୩୯ର ପାଟର୍ନରସିପ୍ କରିଥିଲେ । ଏହାପରେ ସୁନ୍ଦର ଏବଂ ତିଳକଙ୍କ ପାଟର୍ନରସିପ ମ୍ୟାଚକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲା ।

ପୂର୍ବରୁ ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ଅଧିନାୟକ ଜୋସ୍ ବଟଲରଙ୍କ ୪୫ ଓ ବ୍ରିଡନ କାର୍ସେଙ୍କ ୩୧ ରନ୍ ସହାୟତାରେ ୯ ୱିକେଟ ବିନିମୟରେ ୧୬୫ ରନ୍ କରିଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତି ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର ଓ ଅଭିଷେକ ଶର୍ମା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Also Read : ରଣଜୀ ଟ୍ରଫିରେ ବି ଫେଲ୍ ମାରିଲେ ରୋହିତ ଶର୍ମା, ଯଶସ୍ବୀ ଜୟସୱାଲ ବି ଫ୍ଲପ୍

You might also like