ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ କୌଣସି ପଦକ ପାଇନଥିଲେ । ରେସଲର ଭିନେଶ ଫୋଗାଟଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସ ରୌପ୍ୟ ମିଳିବ କି ନାହିଁ ଆସିବ ଫଇସଲା । କୋର୍ଟ ଅଫ ଆରବିଟ୍ରେସନ୍ ଫର୍ ସ୍ପୋର୍ଟସ୍ ଆଜି ରାୟ ଶୁଣାଣି କରିବେ ।
କ୍ରୀଡ଼ାକୁ ନେଇ କୌଣସି ବିବାଦୀୟ ମାମଲାରେ ଏହି କୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇଥାଏ । ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ପାଇଁ ୫୦ କେଜି ବର୍ଗରେ ଖେଳୁଥିବା ଭିନେଶ ଫୋଗାଟ ଙ୍କୁ ଫାଇନାଲ ପୂର୍ବରୁ ଡିସକ୍ବାଲିଫାଏ ଘୋଷଣା କରାଯାଇଥିଲା । ଏହା ବିରୋଧରେ କାସ୍ କୁ ଯାଇଛନ୍ତି ଭିନେଶ ଫୋଗାଟ । ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିବାରୁ ରୌପ୍ୟ ଦାବି କରିଛନ୍ତି । ୟୁନାଇଟେଡ୍ ୱାର୍ଲଡ ରେସଲିଂ ଓ ଇଣ୍ଟରନେସନାଲ ଅଲିମ୍ପିକ୍ କମିଟି ବିରୋଧରେ କାସ୍ ର ଦ୍ବାରସ୍ଥ ହୋଇଛନ୍ତି ଭିନେଶ ଫୋଗାଟ । ତାଙ୍କ ପାଇଁ କାସ୍ ରେ ମାମଲା ଲଢ଼ୁଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ।
ପ୍ୟାରିସ ଅଲିମ୍ପିକ୍ସରେ ୭ ଅଗଷ୍ଟରେ ହେବାକୁ ଥିବା ଫାଇନାଲ ଦିନ ସକାଳେ ଭିନେଶଙ୍କୁ ଡିସକ୍ୱାଲିଫାଏ କରିଦିଆଯାଇଥିଲା । ଏହାପରେ ସେ କାସ୍ରେ ଅପିଲ୍ କରିଥିଲେ । ଏହାପରେ ସମଗ୍ର ଦେଶ ଭିନେଶଙ୍କ ଫଇସଲାକୁ ଅପେକ୍ଷା କରି ରହିଛନ୍ତି ।
ପ୍ରଥମ ଦିନରେ ଭିନେଶ ଲଗାତାର ତିନିଟି ଲଢ଼େଇ କରିଥିଲେ । ଏହି କାରଣରୁ ତାଙ୍କ ଶରୀର ସମ୍ପୂର୍ଣ୍ଣ କ୍ଳାନ୍ତ ହୋଇଯାଇଥିଲା । ସନ୍ଧ୍ୟା ସୁଦ୍ଧା ଭିନେଶଙ୍କ ଓଜନ ୨.୫ କିଲୋଗ୍ରାମରୁ ଅଧିକ ବୃଦ୍ଧି ପାଇ ୫୨.୭ କିଲୋଗ୍ରାମ ହୋଇଯାଇଥିଲା ।
କୋର୍ଟରେ ଯୁକ୍ତି ଉପସ୍ଥାପନ କରିବାବେଳେ ଆଇନଜୀବୀ ହରିଶ ସାଲଭେ କହିଥିଲେ, ଫାଇନାଲ ମ୍ୟାଚ୍ ସକାଳେ ଭିନେଶଙ୍କୁ ଓଜନ ହ୍ରାସ କରିବାକୁ କୌଣସି ସମୟ ମିଳି ନ ଥିଲା । ପ୍ୟାରିସରେ ଅଧିକ ଗରମ ଯୋଗୁଁ ଶରୀରରେ ଜଳର ପରିମାଣ ଅଧିକ ଥାଏ । ଏହି କାରଣରୁ ଶରୀରର ଓଜନ ସହଜରେ ୧୦୦ ଗ୍ରାମ ବୃଦ୍ଧି ପାଇପାରେ । ଏହା ବ୍ୟତୀତ, ଗୋଟିଏ ଦିନରେ ୩ଟି ପ୍ରତିଯୋଗିତାରେ ଜିତିବା ପରେ ମଧ୍ୟ ଆଥଲେଟଙ୍କ ଶରୀରରେ ଅଧିକ ରକ୍ତ ସଞ୍ଚାଳନ ହୋଇଥିଲା । ଯେଉଁ କାରଣରୁ ଓଜନ ବୃଦ୍ଧି ହେବାର ସମ୍ଭାବନା ରହିଥିଲା । ଏହି ଓଜନ କମାଇବା ପାଇଁ ଭିନେଶଙ୍କ ଟିମ୍ ଅନେକ ଚେଷ୍ଟା କରିଥିବା ସତ୍ତ୍ୱେ ଆଉ ମାତ୍ର ୧୦୦ ଗ୍ରାମ ଓଜନ ଅଧିକ ରହିଥିଲା । ଯେଉଁଥିପାଇଁ ତାଙ୍କୁ ଫାଇନାଲ ପୂର୍ବରୁ ଡିସକ୍ୱାଲିଫାଏ କରାଯାଇଥିଲା ।
ସୂଚନାଯୋଗ୍ୟ, ପ୍ୟାରିସ ଅଲିମ୍ପିକ୍ସରେ ଡିସକ୍ୱାଲିଫାଏ ହେବା ପରେ କୁସ୍ତିରୁ ସନ୍ନ୍ୟାସ ନେଇଥିଲେ ଭିନେଶ ଫୋଗାଟ ।