ଆବୁଧାବି : ଚେନ୍ନାଇ ସୁପର କିଙ୍ଗସ ଆଜି ଆଇପିଏଲ୍ରେ କୋଲକାତା ନାଇଟ୍ ରାଇଡର୍ସ ଠାରୁ ୧୦ ରନରେ ପରାସ୍ତ ହୋଇଛି । କେକେଆର ଦେଇଥିବା ୧୬୮ ରନ୍ର ଲକ୍ଷ୍ୟକୁ ଚେନ୍ନାଇ ନିର୍ଦ୍ଧାରିତ ଓଭର୍ରେ ହାସଲ କରି ପାରିନଥିଲା । କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଓପ୍ନର ରାହୁଲ ତ୍ରିପାଠୀ ୫୧ ବଲ୍ରେ ୮୧ ରନ୍ (୮ ଚୌକା ଓ ୩ ଛକା) କରି ୧୭ ଓଭର ପର୍ୟ୍ୟନ୍ତ ଲଢ଼େଇ କଲେ । ହେଲେ ଅନ୍ୟ ସାଥୀମାନଙ୍କ ଠାରୁ ବିଶେଷ ସହଯୋଗ ପାଇଲେ ନାହିଁ । ଫଳରେ କେକେଆର୍ ୧୬୭ ରନ୍ କରି ଠିକ୍ ୨୦ ଓଭରରେ ଅଲ୍ଆଉଟ୍ ହୋଇଥିଲା । ଚେନ୍ନାଇ ବୋଲରମାନେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ସାମ୍ କୁରାନ୍, ଶାର୍ଦ୍ଦୁଲ ଠାକୁର ଓ କରନ ଶର୍ମା ୨ଟି ଲେଖାଏଁ ଏବଂ ଡେ୍ଵନ୍ ବ୍ରାଭୋ ୩ ଓ୍ଵିକେଟ୍ ନେଇଥିଲେ ।
ଏହା ପରେ ସେନ ୱାଟସନ ୪୦ ବଲରେ ୫୦ ରନ କରି ଚେନ୍ନାଇକୁ ଭଲ ଷ୍ଟାର୍ଟ ଦେଇଥିଲେ । ପରେ ରାୟୁଡୁ ୩୦ ରନ କରିଥିଲେ ଏବଂ ଧୋନି ମାତ୍ର ୧୧ ରନ କରି ଆଉଟ ହୋଇଥିଲେ । ତେବେ ଏମାନେ ଯିବା ପରେ ଶେଷ ଓଭରରେ ୨୬ ରନ ଦରକାର ଥିଲା । ହେଲେ ଜାଡେଜା ଓ କେଦାର ଯାଦବ ଦଳକୁ ଲକ୍ଷ୍ୟରେ ପହଞ୍ଚାଇ ପାରିଲେ ନାହିଁ । ଲାଗୁଥିଲା ଯେମିତି ଚେନ୍ନାଇ ଏହି ମ୍ୟାଚ ଜିତିବା ଇଚ୍ଛାରେ ଖେଳୁ ନଥିଲା । ଦଳ ନିର୍ଧାରିତ ଓଭରରେ ୫ ହରାଇ ୧୫୭ ରନ ହିଁ କରି ପାରିଥିଲା ।
ଏହି ବିଜୟ ଫଳରେ କୋଲକାତା ଆଇପିଏଲ୍ ପଏଣ୍ଟ ତାଲିକାର ତିନି ନମ୍ବର ଓ ଚେନ୍ନାଇ ପାଞ୍ଚ ନମ୍ବର ସ୍ଥାନରେ ରହିଛି ।