ଭାରତୀୟ କ୍ରିକେଟ ଟିମ୍ ସିଲେକ୍ଟର ପାଇଁ ଆବେଦନ କଲେ ଚେତନ ଶର୍ମା ଏବଂ ଅଜିତ୍ ଅଗରକର, ଚେତନଙ୍କୁ ପୂର୍ବରୁ ବିସିସିଆଇ କରିଥିଲା ବରଖାସ୍ତ

କେନ୍ୟୁଜ୍ ବ୍ୟୁରୋ: ଟି-୨୦ ବିଶ୍ୱକପ ୨୦୨୨ରେ ଭାରତ ବାଦ ପଡ଼ିବା ପରେ ବିସିସିଆଇ ଏକ ଦମ ଆକ୍ସନ ମୁଡ୍ରେ ଆସିଥିଲା । ତା ପରେ ଚେତନ ଶର୍ମାଙ୍କ ତେତୃତ୍ୱରେ ଥିବା ସିଲେକ୍ସନ କମିଟିକୁ ବରଖାସ୍ତ କରିଥିଲା । ଆନ୍ତର୍ଜାତୀୟ କ୍ରିକେଟରେ ଭାରତର ଲଗାତାର ପରାଜୟ ଏହାର କାରଣ ଥିଲା । ବିସିସିଆଇ ସିଲେକ୍ସନ କମିଟିକୁ ବରଖାସ୍ତ କରିବା ପରେ ଏହି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ପଦ ଏବେ ଖାଲି ପଡ଼ିଥିବା ବେଳେ ଭାରତର ବହୁତ ପୂର୍ବତନ ସିନିୟର ଖେଳାଳି ଆବେଦନ କରିଛନ୍ତି । ଏହି ଆବେଦନ ପ୍ରକ୍ରିୟାରେ ପୂର୍ବରୁ ବରଖାସ୍ତ ହୋଇଥିବା ସିଲେକ୍ସନ କମିଟିର ମୁଖ୍ୟ ଚେତନ ଶର୍ମା ବି ସାମିଲ ଅଛନ୍ତି ।
ସିଲେକ୍ଟର ରେସ୍ରେ ଚେତନ ଶର୍ମା :
ଟି-୨୦ ବିଶ୍ୱକପ ୨୦୨୨ରେ ସେମିଫାଇନାଲ ମ୍ୟାଚ୍ରେ ଭାରତ ଇଂଲଣ୍ଡଠାରୁ ହାରି ବିଶ୍ୱକପରୁ ବିଦା ହୋଇଥିଲା । ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରି ପାରିନଥିଲା । ତା ପରେ ବିସିସିଆଇ ଚେତନ ଶର୍ମାଙ୍କ ନେତୃତ୍ୱରେ ଥିବା ସିଲେକ୍ସନ କମିଟିକୁ ବରଖାସ୍ତ କରିଥିଲେ । ପୁଣି ଏବେ ପୂର୍ବ ସିଲେକ୍ସନ କମିଟିରେ ଥିବା ଦୁଇଜଣ ସଦସ୍ୟ ଚେତନ ଶର୍ମା ଏବଂ ହରିବିନ୍ଦର ସିଂ ସିଲେକ୍ଟରଙ୍କ ରେସ୍ରେ ଅଛନ୍ତି । ଏବେ ଦେଖିବାକୁ ବାକି ରହିଲା କି ଏହି ପୂର୍ବ ଚିଫ୍ ସିଲେକ୍ଟର ଚେତନ ଶର୍ମା ଏଥର କମିଟିରେ ସାମିଲ ହେଉଛନ୍ତି କି ନାହିଁ ।
ଆବେଦନ କରିଛନ୍ତି ଅଗରକର ଏବଂ ମୋଙ୍ଗିଆ :
ବିସିସିଆଇ ସିଲେକ୍ଟରସଙ୍କ ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ୬୦ରୁ ଉର୍ଦ୍ଧ୍ୱ ପୂର୍ବତନ ଖେଳାଳି ଆବେଦନ କରିଛନ୍ତି । ଏହି ଆବେଦନରେ ପ୍ରକ୍ରିୟାରେ ସାମିଲ ଅଛନ୍ତି ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ଏବଂ ଅଲରାଉଣ୍ଡର ଅଜିତ୍ ଅଗରକର ଏବଂ ଓ୍ଵିକେଟ୍ କିପର ନୟନ ମୋଙ୍ଗିଆ । ଏହି ଦୁଇ ଜଣଙ୍କୁ ଛାଡ଼ି ଶିବରାମ କୃଷ୍ଣନ ଏବଂ ସଲିଲ ଅଙ୍କୋଲା ବି ସାମିଲ ଅଛନ୍ତି । ପୂର୍ବ ସିଲେକ୍ସନ କମିଟିରେ ଥିବା ଦେବାଶିଷ ମହାନ୍ତି ଏବଂ ସୁନିଲ ଯୋଶୀ ଏହି ଥର ଆବେଦନ କରିନାହାଁନ୍ତି । ଏହି ସମିତିରେ ୫ ଜଣଙ୍କ ସଦସ୍ୟଙ୍କ ଭିତରୁ ଯିଏ ଅଧିକ ଦକ୍ଷତା ପ୍ରତିପାଦନ କରିବେ ସେ ହିଁ ସିଲେକ୍ସନ କମିଟିରେ ମୁଖ୍ୟ ହେବେ ।