ଚାମ୍ପିଅନ୍ସ ଟ୍ରଫି ଫାଇନାଲ : ପୁରସ୍କାର ସମାରୋହରେ ଗାଏବ ଥିଲେ ଆୟୋଜକ ପାକିସ୍ତାନ କ୍ରିକେଟ ବୋର୍ଡର ଅଧିକାରୀ, ସାମ୍ନାକୁ ଆସିଲା କାରଣ

ଦୀର୍ଘ ୧୨ ବର୍ଷ ପରେ ଭାରତ ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇଛି । ଏହାକୁ ନେଇ ସମସ୍ତ ଭାରତୀୟ ପ୍ରେମୀଙ୍କ ମଧ୍ୟରେ ଖୁସିର ମାହୋଲ । ଆଇସିସି ଚାମ୍ପିଅନ୍ସ ଟ୍ରଫିର ମୁକୁଟ ହାସଲ କରିବା ପରେ ଅଧିକ ହଙ୍ଗାମା ସୃଷ୍ଟି କରୁଥିବା ପାକିସ୍ତାନ କ୍ରିକେଟ୍ ବୋର୍ଡ ନିଜର ପ୍ରକୃତ ରୂପ ଦେଖାଇଛି ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ ଥିଲା ପାକିସ୍ତାନ । ହେଲେ ଭାରତ ଫାଇନାଲରେ ଖେଳିଥିବା ଯୋଗୁଁ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଦୁବାଇରେ ହୋଇଥିଲା । ଆଉ ଯେତେବେଳେ ପୁରସ୍କାର ପ୍ରଦାନ ଉତ୍ସବ ହୋଇଥିଲା । ହେଲେ ଉତ୍ସବରେ ପାକିସ୍ତାନ କ୍ରିକେଟ୍ ବୋର୍ଡର କୌଣସି ଅଧିକାରୀଙ୍କୁ ଦେଖାଯାଇନଥିଲେ । ଏମିତିକି ପିସିବି ଅଧ୍ୟକ୍ଷ ବି ନଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ନିଜ ଟିମ୍ ପ୍ରଥମ ରାଉଣ୍ଡରେ ହାରିବା ପରେ ଯେତେବେଳେ ବାଦ ପଡ଼ିଲା, ସେବେ ଏକ ଭଲ ଆୟୋଜକର ଦାୟିତ୍ୱ ମଧ୍ୟ ପୂରଣ କରିପାରିଲା ନାହିଁ ପାକିସ୍ତାନ ।
ଏହାକୁ ନେଇ ୱାସିମ ଆକ୍ରମଙ୍କ ନିଜ ମନ୍ତବ୍ୟ ଦେଇଛନ୍ତି । ପିସିବି ଅଧ୍ୟକ୍ଷ ମୋହସିନ ନକଭି ସ୍ୱାସ୍ଥ୍ୟବସ୍ଥା ଭଲ ନ ଥିବାରୁ ଫାଇନାଲ ପାଇଁ ଦୁବାଇ ନ ପହଞ୍ଚିବାର ପ୍ରକୃତ କାରଣ ଥିଲା । ଏକ ଚ୍ୟାନେଲରେ ଏ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ,ପିସିବି ଅଧ୍ୟକ୍ଷଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ, ଯାହା ଯୋଗୁଁ ସେ ଫାଇନାଲ୍ ପାଇଁ ଯାଇପାରିଲେ ନାହିଁ । ୱାସିମ ଆକ୍ରମ ଆହୁରି କହିଛନ୍ତି ଯେ, ପିସିବିର ଦୁଇ ଅଧିକାରୀ ସୁମେର ଅହମ୍ମଦ ଏବଂ ଉସମାନ ୱାଲା ସେଠାରେ ପହଞ୍ଚିଥିଲେ ମଧ୍ୟ ସେମାନେ କାହିଁକି ମଞ୍ଚକୁ ଗଲେ ନାହିଁ ତାହା ଏଯାଏଁ ଜଣାନାହିଁ ।
ପୂର୍ବରୁ ସୋଏବ ଅଖତର ମଧ୍ୟ ଫାଇନାଲର ଉପସ୍ଥାପନା ଉତ୍ସବରେ ପିସିବି ଅଧ୍ୟକ୍ଷ କିମ୍ବା ଅନ୍ୟ କୌଣସି ଅଧିକାରୀଙ୍କ ଅନୁପସ୍ଥିତି ଉପରେ ପ୍ରଶ୍ନ ଉଠାଇଥିଲେ । ଏହା ତାଙ୍କ ବୁଝିବା ବାହାରେ ବୋଲି ସେ କହିଛନ୍ତି ।
ଏହି ଘଟଣା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ଆଗରେ ଏହି ପ୍ରସଙ୍ଗ ଉଠାଇବାକୁ ଯୋଜନା କରୁଛି । ତେବେ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଆୟୋଜନ କରିଥିବା ବେଳେ କୌଣସି ପ୍ରତିନିଧି ଉଦଯାପନୀ ସମାରୋହରେ ଉପସ୍ଥିତ ନଥିଲେ ।
ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଫାଇନାଲରେ ୪ ୱିକେଟ ହରାଇ ଚାମ୍ପିଅନ୍ସ ଟ୍ରଫି ହାସଲ କରିଛି । ଏହା ଟିମର ତୃତୀୟ ଚାମ୍ପିଅନ୍ସ ଟ୍ରଫି ଟାଇଟଲ। ପୂର୍ବରୁ ସେ ୨୦୦୨ ଏବଂ ୨୦୧୩ରେ ଏହି ଟାଇଟଲ ଜିତିଥିଲା । ଚାମ୍ପିଅନ ହେବା ପରେ ଭାରତ ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କଠାରୁ ଟ୍ରଫି ଗ୍ରହଣ କରିଥିଲା । ଏହି ସମୟରେ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ସଚିବ ଦେବଜିତ ସୌକିୟା ପ୍ରମୁଖ ଉପସ୍ଥିତ ଥିଲେ ।
Also Read : ଦିନିକିଆରୁ ରିଟାୟର ହେବେନି ହିଟ୍ ମ୍ୟାନ୍, ନିଜେ ସ୍ପଷ୍ଟ କଲେ ରୋହିତ ଶର୍ମା