ଟି-୨୦ ବିଶ୍ୱକପ: ବିଜୟ ହେବା ଖୁସିରେ ମାତୁଆଲା ହେଲେ ପାକିସ୍ତାନୀ ସାମ୍ବାଦିକ, କୋହଲିଙ୍କୁ ପଚାରିଲେ ଏମିତି ପ୍ରଶ୍ନ

ଟି-୨୦ ବିଶ୍ୱକପ ପ୍ରଥମ ମ୍ୟାଚ ପରାଜୟର ପୋଷ୍ଟମର୍ଟମ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଧିନାୟକ ବିରାଟ୍‌ କୋହଲି । କୋହଲି କହିଛନ୍ତି ଆମେ ଯେଉଁ ଯୋଜନା କରିଥିଲୁ ,ତାକୁ କାର୍ଯ୍ୟକାରୀ କରିପାରିନଥିଲୁ । ସମସ୍ତ ବିଭାଗରେ ଦୁର୍ବଳ ପ୍ରଦର୍ଶନ କରିଥିଲୁ । ଆରମ୍ଭରୁ ୩ଟି ସହଳ ଓ୍ଵିକେଟ୍‌ ଯିବା ପରେ ପ୍ରତ୍ୟାବର୍ତ୍ତନ କରିବା କଷ୍ଟକର ଥିଲା । ପାକିସ୍ତାନ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଆମକୁ ଆଗକୁ ବଢିବାକୁ ଦେଇନଥିଲା । ଉଭୟ ବ୍ୟାଟିଂ ଓ ବୋଲିଂରେ ପାକିସ୍ତାନ ପେସାଦାର ପ୍ରଦର୍ଶନକୁ କୋହଲି ପ୍ରଶଂସା କରିଥିଲେ । ଟୁର୍ଣ୍ଣାମେଣ୍ଟ ଏବେ ଆରମ୍ଭ ହୋଇଛି , ଅନ୍ତଃ ନୁହେଁ । ଏଣୁ ଏବେଠାରୁ ଆମେ ନିରାଶ ହେଉ ନାହୁଁ ବୋଲି କହିଥିଲେ ବିରାଟ୍‌ । ଗତକାଲି ସୁପର-୧୨ ମୁକାବିଲାରେ ପାକିସ୍ତାନ ଠାରୁ ୧୦ ଓ୍ଵିକେଟରେ ହାରିଛି ଟିମ ଇଣ୍ଡିଆ ।

ଅନ୍ୟପଟେ ଜଣେ ପାକିସ୍ତାନୀ ସାମ୍ବାଦିକ ସୟଦ ହାଇଦର , ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶ୍ନ ପଚାରିଥିଲେ ଯାହାକୁ ଶୁଣି ମୁଣ୍ଡରେ ହାତ ଦେଲେ ବିରାଟ୍‌ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଟି-୨୦ ବିଶ୍ୱକପର ପାକିସ୍ତାନ ବିପକ୍ଷ ମ୍ୟାଚ ହାରିବା ପରର ସାମ୍ବାଦିକ ସମ୍ମିଳନୀ ବେଳେ । ଜଣେ ସାମ୍ବାଦିକ କୋହଲିଙ୍କୁ ପଚାରିଥିଲେ ଯେ ଅଭ୍ୟାସ ମ୍ୟାଚରେ ଲୟରେ ଥିବା ଇଶାନ କିଶାନଙ୍କୁ ରୋହିତ ଶର୍ମାଙ୍କ ଜାଗାରେ ଖେଳାଇବା ଉଚିତ ଥିଲା କି ? ସାମ୍ବାଦିକଙ୍କ ଏଭଳି ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇପଡିଥିଲେ ବିରାଟ୍‌ । ଆଉ ସାମ୍ବାଦିକଙ୍କୁ ଓଲଟା ପ୍ରଶ୍ନ କରିଥିଲେ, କହିଥିଲେ ଏହା ଏକ ବାହାଦୁରୀ ଭରା ପ୍ରଶ୍ନ । ଆପଣଙ୍କ ରାୟ କଣ ? ଟି-୨୦ ଇଣ୍ଟରନ୍ୟାସନାଲରେ କଣ ଆପଣ ରୋହିତ ଶର୍ମାଙ୍କୁ ଡ୍ରପ କରିଥାନ୍ତେ ? ଅବିଶ୍ୱସନୀୟ ! ଯଦି ଆପଣଙ୍କୁ ବିବାଦ ସୃଷ୍ଟି କରିବାର ଅଛି ଆଗରୁ କହି ଦିଅନ୍ତୁ । ମୁଁ ସେହି ହିସାବରେ ଜବାବ ଦେବି ।

ପାକିସ୍ତାନର ବିଜୟରେ ମାତୁଆଲା ଅନ୍ୟ ଜଣେ ସାମ୍ବାଦିକ ସାଭିରା ପାଶା ବିରାଟ କୋହଲିଙ୍କୁ ପଚାରିଛନ୍ତି ଯେ, ଭାରତ ଅତ୍ୟଧିକ ଆତ୍ମବିଶ୍ୱାସ କାରଣରୁ ପାକିସ୍ତାନଠୁ ହାରିଛି କି? ଆଇସିସି ଟୁର୍ନାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଏହାର ରେକର୍ଡକୁ ବିଚାର କରି ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ଅଧିକ ଏକାଗ୍ରତା ଦେଖାଇ ନଥିଲା ଏବଂ ଆଗାମୀ ମ୍ୟାଚରେ ଭାରତ ଅଧିକ କେନ୍ଦ୍ରୀଭୂତ ହେବ ବୋଲି ଭାବିଥିଲା ​​କି?

ବିରାଟ ଏହି ପାକିସ୍ତାନୀ ସାମ୍ବାଦିକଙ୍କ ଉପରେ ବର୍ଷିଥିଲେ ଏବଂ କହିଥିଲେ, ‘ଯେଉଁମାନେ ବାହାରେ ପ୍ରଶ୍ନ ପଚାରୁଛନ୍ତି ସେମାନେ ଥରେ ଆମର କିଟ୍ ପିନ୍ଧି ପଡ଼ିଆକୁ ଆସିବା ଉଚିତ୍। ତା’ପରେ ସେମାନେ ଜାଣିବେ ଚାପ କ’ଣ। ପାକିସ୍ତାନ ଭଳି ଏକ ଦଳ ଯେକୌଣସି ଦିନକୁ କାହାକୁ ମଧ୍ୟ ପରାସ୍ତ କରିପାରନ୍ତି। ବିରାଟ ଆହୁରି ଉତ୍ତର ଦେଇଛନ୍ତି ଯେ, ତାଙ୍କ ଦଳ କୌଣସି ଦଳକୁ ହାଲୁକା ଭାବେ ଗ୍ରହଣ କରେ ନାହିଁ ଏବଂ ସମସ୍ତଙ୍କ ବିପକ୍ଷରେ ଭଲ ଖେଳିବାକୁ ପଡ଼ିଆକୁ ଆସେ। ସାମ୍ବାଦିକ ସମ୍ମିଳନୀର ଏହି କିଛି ସମୟର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.