ଫିଫା ବିଶ୍ୱକପ: ଅନ୍ୟ ଜଣଙ୍କ ଗୋଲ୍କୁ ନିଜର ଭାବିନେଲେ ରୋନାଲ୍ଡୋ, ଆଉ ତା’ ପରେ…

କେନ୍ୟୁଜ୍: କତାରରେ ଚାଲିଛି ଫିଫା ବିଶ୍ୱକପ, ଦିନ ଯେତେ ବଢ଼ୁଛି, ସେତେ ରୋମାଞ୍ଚଭରା ଦୃଶ୍ୟ ଦେଖିବାକୁ ମିଳୁଛି । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପର୍ତ୍ତୁଗାଲ ଏବଂ ଉରୁଗୁଏ ମଧ୍ୟରେ ମ୍ୟାଚ୍ ଚାଲିଥିଲା। ପର୍ତ୍ତୁଗାଲ ଏହି ମ୍ୟାଚ୍କୁ ୨-୦ରେ ଜିତିଥିଲା। ପର୍ତ୍ତୁଗାଲ ଟିମ୍ରୁ ଦୁଇଟି ଗୋଲ ଦେଇ ହିରୋ ବନିଥିଲେ ମିଡ୍ଫିଲ୍ଡର ବ୍ରୁନୋ ଫର୍ଣ୍ଣାଣ୍ଡିସ୍ । ଦୁଇଟି ଯାକ ଗୋଲ ଦେଇ ଫର୍ଣ୍ଣାଣ୍ଡିସ୍ ଧମାଲ ମଚାଇଥିଲେ ।
କିନ୍ତୁ, ଏହି ମ୍ୟାଚରେ ସବୁଠାରୁ ମଜାଦାର ଘଟଣା ଥିଲା, ଯେତେବେଳେ ଅନ୍ୟର ଗୋଲକୁ ପର୍ତ୍ତୁଗାଲର କ୍ରିଷ୍ଟିୟାନୋ ରୋନାଲ୍ଡୋ ନିଜର ଭାବି ଖୁସି ହୋଇଥିଲେ ଏବଂ ସେଲିବ୍ରେସନ କରିବାକୁ ଲାଗିଥିଲେ। ସେହି ସମୟର ଦୃଶ୍ୟ ଦେଖିବା ପରି ଥିଲା। ସେହି ସମୟରେ ମ୍ୟାଚ୍ ରେଫରୀ କିଛି ବୁଝି ପାରି ନ ଥିଲେ ଏବଂ ଚେକ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯେତେ ବେଳେ ରେଫରୀ ପ୍ରକୃତ କଥା କହିଥିଲେ ସେତେ ବେଳେ ସମସ୍ତଙ୍କ ହୋସ୍ ଉଡ଼ି ଯାଇଥିଲା। ସେହି ଗୋଲ୍ଟି ରୋନାଲ୍ଡଙ୍କର ନ ଥିଲା, ବରଂ ଗୋଲ ଫର୍ଣ୍ଣାଣ୍ଡିସ୍ଙ୍କ ଖାତାକୁ ଯାଇଥିଲା।
ଏମିତି କେମିତି ହେଲା :
ମ୍ୟାଚ୍ରେ ପ୍ରଥମ ଗୋଲ ପାଖାପାଖି ୫୪ ମିନିଟ୍ରେ ହେଲା । ଯେତେବେଳେ ପର୍ତ୍ତୁଗାଲ ଟିମ୍ର ବ୍ରୁନୋ ଫର୍ଣ୍ଣାଣ୍ଡିସ୍ ବଲ୍କୁ କ୍ରଶ୍ ହିଟ୍ କରିଥିଲେ, ତାହା ସିଧା ଗୋଲ ପୋଷ୍ଟ ଅଞ୍ଚଳକୁ ଯାଇଥିଲା । କିନ୍ତୁ ସେହି ଜାଗାରେ ଛିଡ଼ା ହୋଇଥିବା କ୍ରିଷ୍ଟିୟାନୋ ରୋନାଲ୍ଡୋ ବଲକୁ ହେଡ୍ ମାରିବା ପାଇଁ ଚେଷ୍ଟା କରିଥିଲେ । ତା’ ପରେ ବଲ ଗୋଲ ପୋଷ୍ଟକୁ ଯାଇଥିଲା । କିନ୍ତୁ ଏହି ଗୋଟିଏ ଗୋଲରେ ସମସ୍ତେ ଭାବିଲେ ଫର୍ଣ୍ଣାଣ୍ଡିସ୍ ମାରିଥିବା ବଲ ରୋନାଲ୍ଡୋଙ୍କ ମୁଣ୍ଡରେ ସାମାନ୍ୟ ବାଜି ଯାଇଛି ।
କିନ୍ତୁ, ରେଫରୀ ତାଙ୍କର ରାୟ ଶୁଣାଇଥିଲେ ଏବଂ ଗୋଲଟି ଫର୍ଣ୍ଣାଣ୍ଡିସ୍ଙ୍କ ଖାତାକୁ ଯାଇଥିଲା । ରେଫରୀଙ୍କ ଦ୍ୱାରା ଚେକ୍ କରାଯିବା ପରେ ଅସଲ କଥା ଜଣା ପଡ଼ିଥିଲା କି, ରୋନାଲ୍ଡଙ୍କ ମୁଣ୍ଡରେ ବଲ ବାଜିନି। ବ୍ରୁନୋ ଫର୍ଣ୍ଣାଣ୍ଡିସ୍ଙ୍କ କିକ୍ ଦ୍ୱାରା ବଲ୍ ଗୋଲ ପୋଷ୍ଟରେ ଯାଇ ପଡ଼ିଥିଲା । ତାହାରି ଭିତରେ ରୋନାଲ୍ଡୋ ସେଲିବ୍ରେସନରେ ଲାଗି ରହିଥିଲେ ଏବଂ ତାଙ୍କ ସହିତ ସବୁ ପ୍ଲେୟାର ଖୁସିରେ ଝୁମି ଯାଉଥିଲେ । ଏହି କଥା ଜଣା ପଡ଼ିବା ପରେ ରୋନାଲ୍ଡୋ ଏବଂ ଫର୍ଣ୍ଣାଣ୍ଡିସ୍ ଦୁହେଁ ଦୁହିଁଙ୍କୁ ଅନାଇ ହସିଥିଲେ ।
ବ୍ରୁନୋ ଫର୍ଣ୍ଣାଣ୍ଡିସ୍ କହିଥିଲେ, ପ୍ରଥମେ ଲାଗୁଥିଲା କି ମୁଁ ରୋନାଲ୍ଡଙ୍କ ପାଖକୁ ଠିକ୍ରେ ପାସ୍ ଦେଇଛି । କିନ୍ତୁ ଏହି ଗୋଲ ସିଧା ହୋଇ ଯାଇଥିଲା । ସେ ଆହୁରି କହିଥିଲେ, ଏହି ଘଟଣା ସବୁ କିଛି ମାନେ ରଖେନା ଆମେ ଆଗାମୀ ରାଉଣ୍ଡକୁ ଯାଉଛୁ । ଆଗକୁ କଡ଼ା ମୁକାବିଲା ବି ଦେଖିବାକୁ ମିଳିବ । ବିଶ୍ୱକପରେ ପର୍ତ୍ତୁଗାଲ ତା’ର ପ୍ରାରମ୍ଭିକ ମ୍ୟାଚ୍ ଜିତି ନେଇଛି । ତା’ର ପ୍ରଥମ ମ୍ୟାଚ୍ ଘାନା ସହିତ ୩-୨ରେ ଜିତିବା ପରେ ଏବେ ୨-୦ରେ ଉରୁଗୁଏକୁ ହରାଇଛି ।