ଗ୍ଲୋବାଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋ ଫୁଟବଲ ମଇଦାନ ସହିତ ସୋସିଆଲ ମିଡିଆରେ ଧମାଲ କରିଛନ୍ତି । ରୋନାଲ୍ଡୋଙ୍କ ନାଁରେ ଯୋଡ଼ି ହୋଇଯାଇଛି ବିଶ୍ୱ ରେକର୍ଡ । ଫୁଟବଲ ପଡିଆରେ ନୁହେଁ ୟୁଟ୍ୟୁବରେ ରୋନାଲ୍ଡୋ ସୃଷ୍ଟି କରିଛନ୍ତି ନୂଆ ଇତିହାସ ।
ଖବର ମୁତାବକ, ବୁଧବାର ନିଜର ୟୁଟ୍ୟୁବ ଚ୍ୟାନେଲ ଖୋଲିଥିବା ବେଳେ ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ରୋନାଲ୍ଡୋଙ୍କ ସବସ୍କ୍ରାଇବର ସଂଖ୍ୟା ୧୦ ମିଲିୟନ ପାର କରି ଯାଇଛି । ଏତେ କମ ସମୟରେ କୌଣସି ୟୁଟ୍ୟୁବ ଚ୍ୟାନେଲର ସବସ୍କ୍ରାଇବରଙ୍କ ସଂଖ୍ୟା ୧୦ ମିଲିୟନ ପାର କରିବା ବିଶ୍ୱରେ ପ୍ରଥମ ଘଟଣା ।
ରୋନାଲ୍ଡୋ ବୁଧବାର ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଖୋଲିବାର ମାତ୍ର ୯୦ ମିନିଟରେ ସବସ୍କ୍ରାଇବରଙ୍କ ସଂଖ୍ୟା ୧ ମିଲିୟନରେ ପହଞ୍ଚିଯାଇଥିଲା । ହେଲେ ୨୪ ଘଣ୍ଟା ନ ପୁରୁଣୁ ଏହା ୧୦ ମିଲିୟନ ହୋଇଯାଇଥିଲା ।
ରୋନାଲ୍ଡୋ ୟୁଟ୍ୟୁବ ସବସ୍କ୍ରାଇବ ମାମଲାରେ ହାମଷ୍ଟେର କୋମବାତଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ହାମଷ୍ଟେର ୟୁଟ୍ୟୁବ ଚ୍ୟାନେଲ ଖୋଲିବାର ୭ ଦିନ ଭିତରେ ତାଙ୍କ ସବସ୍କ୍ରାଇବରଙ୍କ ସଂଖ୍ୟା ୧୦ ମିଲିୟନ ଛୁଇଁଥିଲା । ହେଲେ ରୋନାଲ୍ଡୋ ଦିନକ ଭିତରେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି ।
A present for my family ❤️ Thank you to all the SIUUUbscribers! ➡️ https://t.co/d6RaDnAgEW pic.twitter.com/keWtHU64d7
— Cristiano Ronaldo (@Cristiano) August 21, 2024
୩୯ ବର୍ଷୀୟ ରୋନାଲ୍ଡୋ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରୀଡ଼ାବିତ। ଏକ୍ସରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ୧୧୨.୬ ମିଲିୟନ ରହିଥିବା ବେଳେ ଫେସବୁକରେ ଏହି ସଂଖ୍ୟା ୧୭୦ ମିଲିୟନ । ସେହିପରି ଇନଷ୍ଟାଗ୍ରାମରେ ତାଙ୍କୁ ୬୩୬ ମିଲିୟନ ଲୋକ ଫଲୋ କରୁଛନ୍ତି ।
ତେବେ ରୋନାଲ୍ଡୋ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଚ୍ୟାନେଲ ଲଞ୍ଚ ହୋଇଥିବା କହିଛନ୍ତି । ଏହି ଭିଡିଓରେ ୯୦ ଲକ୍ଷ ଭ୍ୟୁ ମିଳିସାରିଛି । ୨୪ ଘଣ୍ଟାରେ ରୋନାଲ୍ଡୋଙ୍କୁ ଗୋଲଡେନ ପ୍ଲେ ବଟନ ମଧ୍ୟ ମିଳିଛି । ରୋନାଲ୍ଡୋଙ୍କ ପିଲା ମଧ୍ୟ ଗୋଲଡେନ ପ୍ଲେ ବଟନ ଦେଖି ନାଚି ଉଠିଛନ୍ତି ।
ରୋନାଲ୍ଡୋଙ୍କ ପ୍ରତିଦ୍ୱନ୍ଦ୍ୱୀ ଲିୟୋନେଲ ମେସିଙ୍କ ୟୁଟ୍ୟୁବ ଚ୍ୟାନେଲରେ ୨.୨୭ ମିଲିଅନ ସବସ୍କ୍ରାଇବର ରହିଛନ୍ତି । ମେସି ଏହାକୁ ୨୦୦୬ରେ ଲଞ୍ଚ କରିଥିଲେ ।