ପନ୍ତଙ୍କ ଅନୁପସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସର ଦାୟିତ୍ୱ ସମ୍ଭାଳିବେ ଡେଭିଡ ଓ୍ଵାର୍ଣ୍ଣର, ଅକ୍ଷର ପଟେଲ ହେଲେ ଉପ ଅଧିନାୟକ

ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଅଧିନାୟକ ଡେଭିଡ ଓ୍ଵାର୍ଣ୍ଣର । ଆଇପିଏଲ ୨୦୨୩ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ପନ୍ତ ରହିଥିଲେ କିନ୍ତୁ ଅସୁସ୍ଥତା ଯୋଗୁଁ ଚଳିତବର୍ଷ ଆଇପିଏଲ ଖେଳିପାରିବେ ନାହିଁ ପନ୍ତ ।

ଆଇପିଏଲ୍‌ ସିଜିନ ୧୬ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ବଡ ନିଷ୍ପତ୍ତି ନେଇଛି। ରିଷଭ ପନ୍ତଙ୍କ ଅନୁପସ୍ଥିତିରେ ଟିମ୍‌ର ଦାୟିତ୍ୱ ଡେଭିଡ ଓ୍ଵାର୍ଣ୍ଣରଙ୍କୁ ଦିଆଯାଇଛି । ଏହାସହିତ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଗତ ୨ଟି ସିଜିନରୁ ଦିଲ୍ଲୀ କ୍ୟାପିଟାଲ୍ସର ଦାୟିତ୍ୱ ନେଇଥିଲେ ରିଷଭ ପନ୍ତ । ଦୁର୍ଘଟଣା ପରେ ଗୁରୁତର ଆହତ ହୋଇଥିବାରୁ ଚଳିତଥର ଆଇପିଏଲରୁ ବାଦ୍‌ ପଡିଛନ୍ତି ।

ଗତ କିଛିଦିନ ହେଲାଣି ଡେଭିଡ ଓ୍ଵାର୍ଣ୍ଣର କ୍ୟାପଟେନ ହେବା ନେଇ ଚର୍ଚ୍ଚା ଚାଲିଥିଲା । ଟିମର ଡାଇରେକ୍ଟର ସୌରଭ ଗାଙ୍ଗୁଲି ପୂର୍ବରୁ ଓ୍ଵାର୍ଣ୍ଣର ଅଧିନାୟକ ହେବା ନେଇ ସଂକେତ ଦେଇଥିଲେ ।

ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଦାୟିତ୍ୱ ମିଳିବା ପରେ ଓ୍ଵାର୍ଣ୍ଣର କହିଛନ୍ତି, ପନ୍ତ ଦିଲ୍ଲୀ ପାଇଁ ଜଣେ ଭଲ ଲିଡର । ପନ୍ତଙ୍କ ଯୋଗଦାନକୁ ଟିମ୍‌ ନିଶ୍ଚିତ ମିସ୍‌ କରିବ । ତେବେ ମ୍ୟାନେଜମେଣ୍ଟ ମୋ ଉପରେ ଭରସା କରିଛି, ସେଥିପାଇଁ କୃତଜ୍ଞ । ଯୁବ ଖେଳାଳିଙ୍କ ଟିମକୁ ଲିଡ୍‌ କରିବା ମୋ ପାଇଁ ଗର୍ବର କଥା ।

ପ୍ରଥମ ଥର ପାଇଁ ନୁହେଁ, ଏହା ପୂର୍ବରୁ ଓ୍ଵାର୍ଣ୍ଣର ଦିଲ୍ଲୀ କ୍ୟାପିଟାଲ୍ସର ଦାୟିତ୍ୱ ନେଇଛନ୍ତି । ୨୦୦୯ ଏବଂ ୨୦୧୩ରେ ଦିଲ୍ଲୀ ଡେୟାରଡେଭିଲ୍ସରେ ଟିମର ଦାୟିତ୍ୱ ନେଇଥିଲେ ଓ୍ଵାର୍ଣ୍ଣର । ଏହା ପରେ ସନରାଇଜର୍ସ ହାଇଦ୍ରାବାଦ ତାଙ୍କ କିଣିନେଇଥିଲା । ଏହା ପରେ ତାଙ୍କୁ ଟିମର ଦାୟିତ୍ୱ ଦିଆଯାଇଥିଲା।

ଓ୍ଵାର୍ଣ୍ଣର ଏପର୍ଯ୍ୟନ୍ତ ଆଇପିଏଲରେ ୬୯ଟି ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି। ସେଥିମଧ୍ୟରୁ ୩୫ଟି ମ୍ୟାଚ୍‌ ଜିତିଥିବା ବେଳେ ୩୩ ମ୍ୟାଚ୍‌ ହାରିଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୩୦ରେ ପନ୍ତ ଡେରାଡୁନ ଯିବା ବାଟରେ ଭୟଙ୍କର କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ପନ୍ତଙ୍କ କାର ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ପନ୍ତ ପାଖାପାଖି ୬ ସପ୍ତାହ ପର୍ଯ୍ୟନ୍ତ ମୁମ୍ବାଇର କୋକିଲାବେନ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଆଣ୍ଠୁ ଲିଗାମେଣ୍ଟ ସର୍ଜରୀ ହୋଇଥିଲା । ତେବେ ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ସେ ସେବେଠାରୁ ଚିକିତ୍ସିତ ହେଉଛନ୍ତି। ଆଜି ପନ୍ତ ପାଣି ଭିତରେ ଚାଲୁଥିବା ଭିଡିଓକୁ ସେୟାର କରିଥିବା ବେଳେ ଏହାପୂର୍ବରୁ ସେ ଚେସ୍ ଖେଳୁଥିବା ଫଟୋ ଅପଲୋଡ କରିଥିଲେ। ସେହିପରି ସେ ଖରାରେ ବସିବା ବେଳର ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ଆହତ ସମସ୍ୟା ଯୋଗୁ ପନ୍ତ କ୍ରିକେଟରୁ ଦୂରେଇ ଯାଇଛନ୍ତି। ମ୍ୟାଚ୍ ଫିଟନେସ ପାଇଁ ତାଙ୍କୁ ଗୋଟିଏ ବର୍ଷ ସମୟ ଲାଗିବାର ସମ୍ଭାବନା ରହିଛି।