ଗୌତମ ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ଧମକ, ISIS କାଶ୍ମୀରରୁ ମିଳିଛି ଧମକ

ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ । ISIS କାଶ୍ମୀରରୁ ମିଳିଛି ତାଙ୍କୁ ଏହି ଧମକ । ୨୩ ଏପ୍ରିଲରେ ଦିଲ୍ଲୀ ପୋଲିସରେ ଏଫଆଇଆର ଦାଖଲ କରିଛନ୍ତି ଗମ୍ଭୀର । ସେ ତାଙ୍କ ପରିବାର ପାଇଁ ସୁରକ୍ଷା ମଧ୍ୟ ଦାବି କରିଛନ୍ତି । କୁହାଯାଉଛି ଯେ, ଗମ୍ଭୀରଙ୍କୁ ଇମେଲ୍ ମାଧ୍ୟମରେ ଧମକ ଆସିଛି । ଯେଉଁଠି କେବଳ ତିନୋଟି ଶବ୍ଦ ଲେଖାହୋଇଛି ।

I Will Kill you । ଗମ୍ଭୀର ତୁରନ୍ତ ଏହି ଇମେଲ୍ ବିଷୟରେ ପୋଲିସକୁ ଜଣାଇଲେ । ମାମଲାର ଗମ୍ଭୀରତା ଦେଖି, ଦିଲ୍ଲୀ ପୋଲିସ ତୁରନ୍ତ ସକ୍ରିୟ ହୋଇଯାଇଛି । ପ୍ରାରମ୍ଭିକ ତଦନ୍ତ ଅନୁସାରେ, ଏହି ଧମକ ISIS କାଶ୍ମୀର ଦେଇଛି ।

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଇମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ, ସାଇବର ସେଲ୍ ଟିମ୍ ଇମେଲକୁ ଟ୍ରାକ୍ କରିବାକୁ ଚେଷ୍ଟା କରୁଛି । ଏହି ଇମେଲ୍ କିଏ ଓ କେଉଁଠାରୁ ପଠାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଗୌତମ ଗମ୍ଭୀର ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ନିନ୍ଦା କରିଥିଲେ । ଏହାଛଡା ମୃତକଙ୍କ ପ୍ରତି ସମବେଦନା ଜଣାଇ କହିଥିଲେ, ଭାରତ ଏହି ଘଟଣାର ଜବାବ ଦେବ ।

ଗୌତମ ଗମ୍ଭୀର ନିକଟରେ ତାଙ୍କ ପରିବାର ସହିତ ୟୁରୋପ ଭ୍ରମଣରେ ମଧ୍ୟ ଯାଇଥିଲେ । କିନ୍ତୁ ପହଲଗାମ ଆକ୍ରମଣର ମାତ୍ର ଗୋଟିଏ ଦିନ ପରେ ତାଙ୍କୁ ମିଳିଥିବା ହତ୍ୟା ଧମକ ସମସ୍ତଙ୍କୁ ଦୋହଲାଇ ଦେଇଛି ।

ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ପହଲଗାମରେ ବଡ଼ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଘଟଣାରେ ୨୫ ଭାରତୀୟଙ୍କ ସହିତ ଜଣେ ନେପାଳୀ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଲସ୍କର-ଏ-ତୋଏବାର ପ୍ରକ୍ସୀ ୱିଙ୍ଗ ଦ ଟିଆରଏଫ ନିଜକୁ ଦାୟୀ କରିଛି । ଜମ୍ମୁ କଶ୍ମୀରରେ ସର୍ଚ୍ଚ ଅପରେସନ ଜାରି ରଖିଛି ସେନା ।

Also Read : ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ସ୍ତବ୍ଧ କ୍ରିକେଟ ଜଗତ, କୋହଲି, ଗିଲଙ୍କ ସମେତ ଅନ୍ୟ କ୍ରିକେଟର ଦାବି କଲେ କଡ଼ା…