ଭାରତୀୟ ଟିମର ହେଡ କୋଚ୍ ଗୌତମ ଗମ୍ଭୀରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଏକ ପୁରୁଣା ଠକେଇ ମାମଲାରେ ରୋକ୍ ଲଗାଇଛନ୍ତି । ଗମ୍ଭୀର ଓ ଆଉ କିଛି ଲୋକ ଘର କିଣିବାକୁ ଚାହୁଁଥିବା ଉପଭୋକ୍ତାଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ତାଙ୍କ ବିରୋଧରେ ତଦନ୍ତ ଜାରି ରଖିବାକୁ ତଳ କୋର୍ଟ ରାୟ ଦେଇଥିଲେ । କିନ୍ତୁ ଆଜି ହାଇକୋର୍ଟ ଗମ୍ଭୀରଙ୍କ ବିରୋଧରେ ଜାରି ହୋଇଥିବା ରାୟ ଉପରେ ଅସ୍ଥାୟୀ ରୋକ ଲଗାଇଛନ୍ତି ।
ହାଇକୋର୍ଟ ବିଚାରପତି ଜଷ୍ଟିସ ମନୋଜ କୁମାର ଓହରି ଏପରି ରୁଲିଂ ଦେବା ସହ ଗମ୍ଭୀରଙ୍କ ଚ୍ୟାଲେଞ୍ଜ ଉପରେ ଜବାବ ରଖିବାକୁ ଦିଲ୍ଲୀ ସରକାରଙ୍କୁ କହିଛନ୍ତି । ଦିଲ୍ଲୀ ସରକାର ଜବାବ ଦେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେସନ୍ସ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ । ଅକ୍ଟୋବର ୨୯ରେ ସେସନ୍ସ କୋର୍ଟ କହିଥିଲେ ଯେ, “ଅଭିଯୋଗରେ ସାଂଘାତିକ କଥା କୁହାଯାଇଛି । ଏହାର ଅଧିକ ତଦନ୍ତ ହେବା ଦରକାର । ତଦନ୍ତ ହେବା ପରେ ଗୌତମ ଗମ୍ଭୀରଙ୍କ ଭୂମିକା ସମ୍ପର୍କରେ ଜଣାପଡ଼ିବ ।” ତେବେ ହାଇକୋର୍ଟ ଏହା ଉପରେ ରୋକ ଲଗାଇ ଦେଇଛନ୍ତି । ପରବର୍ତ୍ତୀ ଅବସ୍ଥାରେ ବିସ୍ତୃତ ରାୟ ପ୍ରକାଶ ପାଇବ ।
ସୂଚନାଯୋଗ୍ୟ, ଗୌତମ ଗମ୍ଭୀରଙ୍କ ପାଇଁ ବର୍ଡର ଗାଭାସ୍କର ଟ୍ରଫି ଅଗ୍ନିପରୀକ୍ଷା ଠାରୁ କମ୍ ନୁହେଁ । ନ୍ୟୁଜିଲାଣ୍ଡ ଟିମ ଠାରୁ ୦-୩ରେ ଭାରତ ହାରିବା ପରେ ଗମ୍ଭୀରଙ୍କ କୋଚିଂକୁ ନେଇ ପ୍ରଶ୍ନ ଉଙ୍କିମାରିଛି । ୨୨ ନଭେମ୍ବରରୁ ପର୍ଥରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ ।
ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଜସପ୍ରୀତ ବୁମରା(ଉପଅଧିନାୟକ), ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ଶାମି, ଅଭିମନୁ ଈଶ୍ବରନ, ଶୁବମନ ଗିଲ, ରବିନ୍ଦ୍ର ଜାଡେଜା, ଯଶସ୍ବୀ ଜୟସୱାଲ, ଧ୍ରୁବ ଜୁରେଲ, ସରଫରାଜ ଖାନ, ବିରାଟ କୋହଲି, ପ୍ରସିଦ୍ଧ କ୍ରିଷ୍ଣା, ରିଷଭ ପନ୍ତ, କେଏଲ ରାହୁଲ, ହର୍ଷିତ ରାଣା, ନୀତିଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର ।
ପ୍ରଥମ ଟେଷ୍ଟ : ୨୨-୨୬ ନଭେମ୍ବର
ଦ୍ବିତୀୟ ଟେଷ୍ଟ : ୬-୧୦ ଡିସେମ୍ବର
ତୃତୀୟ ଟେଷ୍ଟ : ୧୪-୧୮ ଡିସେମ୍ବର
ଚତୁର୍ଥ ଟେଷ୍ଟ : ୨୬-୩୦ ଡିସେମ୍ବର
ପଞ୍ଚମ ଟେଷ୍ଟ : ୩-୭ ଜାନୁଆରୀ