ବିସିସିଆଇର ନୂଆ ସଚିବ ହେଲେ ଦେବଜିତ ସୌକିୟା, ରୋଜର ବିନ୍ନି କଲେ ନିଯୁକ୍ତ

ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଦେବଜିତ ସୌକିୟାଙ୍କୁ ବୋର୍ଡର କାର୍ଯ୍ୟନିର୍ବାହୀ ସଚିବ ଭାବେ ନିଯୁକ୍ତ କରିଛନ୍ତି । ଦେବଜିତ ଜୟ ଶାହଙ୍କ ସ୍ଥାନରେ ବିସିସିଆଇର କାର୍ଯ୍ୟନିର୍ବାହୀ ସଚିବ ଭାର ସମ୍ଭାଳିବେ । ୧ ଡିସେମ୍ବରରେ ଜୟ ଶାହ ଆଇସିସିର ନୂଆ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି । ଜୟ ଶାହଙ୍କ ପରେ ଦେବଜିତଙ୍କୁ ବିସିସିଆଇର ଦାୟିତ୍ବ ମିଳିଛି ।

ବିସିସିଆଇ ନିୟମ ଅନୁସାରେ, ଯେପର୍ଯ୍ୟନ୍ତ ସ୍ଥାୟୀ ସଚିବ ନିଯୁକ୍ତି ନ ହୋଇଛନ୍ତି, ସେପର୍ଯ୍ୟନ୍ତ କାର୍ଯ୍ୟନିର୍ବାହୀ ସଚିବ ଦାୟିତ୍ବ ସମ୍ଭାଳିବେ । ଆସାମ ବାସିନ୍ଦା ସୌକିୟା ଜଣେ ପ୍ରଥମ ଶ୍ରେଣୀ କ୍ରିକେଟର ଭାବେ ଜଣାଶୁଣା । ସେ ଏବେ ବିସିସିଆଇର ସଂଯୁକ୍ତ ସଚିବ ରହିଛନ୍ତି । ସୌକିୟା ଆଗାମୀ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ପଦଭାର ସମ୍ଭାଳିବେ । ଏହାପରେ ସ୍ଥାୟୀ ଭାବେ ସଚିବ ନିଯୁକ୍ତ କରାଯିବ ।

ବିସିସିଆଇର ପୂର୍ବତନ ସଚିବ ଜୟ ଶାହ ଆଇସିସି ଅଧ୍ୟକ୍ଷ ହୋଇସାରିଲେଣି । ସେ ଡିସେମ୍ବର ୧ ତାରିଖରୁ ପଦଭାର ସମ୍ଭାଳିଛନ୍ତି । ଜୟ ଶାହ ଚଳିତ ବର୍ଷ ଅଗଷ୍ଟରେ ଆଇସିସି ଅଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚନ ହୋଇଛନ୍ତି । ଏହି ପଦ ସମ୍ଭାଳିବାରେ ଜୟ ଶାହ ସବୁଠାରୁ କନିଷ୍ଠ ଅଧ୍ୟକ୍ଷ । ପୂର୍ବରୁ ଜଗମୋହନ ଡାଲମିଆ, ଶରତ ପାଓ୍ଵାର, ଏନ ଶ୍ରୀନିବାସନ, ଶଶାଙ୍କ ମନୋହର ଆଇସିସିର ଚେୟାରମ୍ୟାନ ପଦ ସମ୍ଭାଳିଛନ୍ତି ।

ଆଇସିସି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଦୁଇ -ଦୁଇ ବର୍ଷ ପାଇଁ ତିନିଟି ଟର୍ମ ଥାଏ । ଜଗମୋହନ ଡାଲମିଆ ୧୯୯୭ରୁ ୨୦୦୦, ଶରଦ ପାଓ୍ଵର ୨୦୧୦ରୁ ୨୦୧୨, ଏନ ଶ୍ରୀନିବାସନ ୨୦୧୪ ରୁ ୨୦୧୫ ଏବଂ ଶଶାଙ୍କ ମନୋହର ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ଆଇସିସି ଚେୟାରମ୍ୟାନ ପଦବୀରେ ରହିଥିଲେ ।