ଟି-ଟ୍ବେଣ୍ଟି ଦଳରୁ କାହିଁକି ବାଦ୍ ପଡ଼ିଲେ ଧୋନି, ଆଉ ସୁଯୋଗ ପାଇବେ ତ ?

ମୁମ୍ବାଇ : ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂ ବିଫଳତା ଏବେ ଚିନ୍ତାରେ ପକାଇଛି ଟିମକୁ ଓ ଧୋନି ନିଜେ ମଧ୍ୟ ଏହାକୁ ନେଇ ବିବ୍ରତ । କାରଣ ୨୦୧୯ ବିଶ୍ବକପ୍ ପର୍ଯ୍ୟନ୍ତ ଖେଳିବା ଲାଗି ଧୋନି ଲକ୍ଷ୍ୟ ରଖିଛନ୍ତି । ହେଲେ ଏସିଆକପ୍ ଓ ଚଳିତ ୱେଷ୍ଟଇଣ୍ଡିଜ୍ ଦିନିକିଆ ସାରିଜରେ ବ୍ୟାଟିଂରେ ଫେଲ୍ ମାରିଛନ୍ତି ମାହି । ସେପଟେ ଋଷଭ ପନ୍ତଙ୍କ ଭଳି ଖେଳାଳି ଧୋନିଙ୍କ ଯୋଗୁଁ ବ୍ୟାକଡୋରରେ ରହୁଛନ୍ତି । ଅବଶ୍ୟ ଧୋନି ୱିକେଟକିପିଂରେ ଆଗୁଆ ଅଛନ୍ତି । ଗତକାଲିର ମ୍ୟାଚରେ ସେ ଦୌଡ଼ି ଦୌଡ଼ି ପୁଣି ଡାଇଭ୍ ମାରି ଯେଭଳି କ୍ୟାଚ୍ ଧରିଲେ ତାକୁ ସମସ୍ତେ ପ୍ରଶଂସା କରିଛନ୍ତି । କିନ୍ତୁ ବିଶ୍ବକପ୍ ଟିମ୍ ପାଇଁ ସେ ବୋଝ ହୋଇଯିବେନିତ ? ଏଭଳି ଏକ ଆଶଙ୍କା ଦେଖା ଦେଇଛି ।
ସେଥିପାଇଁ ଧୋନି ବାଦ୍ ପଡ଼ିଛନ୍ତି ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ସହ ଖେଳଯିବାକୁ ଥିବା ଆଗାମୀ ଟି-ଟ୍ବେଣ୍ଟି ସିରିଜରୁ । ତେବେ ଏଇଠାରୁ ତାଙ୍କର ଟି-ଟ୍ବେଣ୍ଟି କ୍ୟାରିୟର ସରିଗଲା ବୋଲି କେହି ଭାବିବା ଉଚିତ ନୁହେଁ ବୋଲି ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ କହିଛନ୍ତି । ବିକଳ୍ପ ଖେଳାଳି ଚୟନ ପାଇଁ ୩୭ ବର୍ଷ ବୟସ୍କ ଧୋନିଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ଜାଗାରେ ଅନ୍ୟ ଖେଳାଳିଙ୍କୁ ପରୀକ୍ଷା କରାଯିବ । ତେଣୁ ଦଳରେ ପନ୍ତ ଓ ଦୀନେଶ କାର୍ତ୍ତିକଙ୍କୁ ସାମିଲ କରାଯାଇଛି ।
ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଧୋନି ନିଜ ବ୍ୟାଟିଂକୁ ନେଇ ଚିନ୍ତିତ ଅଛନ୍ତି । ସେ ଆଗାମୀ ସରିଜରୁ ଓହରିଯିବା ପାଇଁ ନିଜେ ପ୍ରସ୍ତାବ ଦେଇଛନ୍ତି । ଏହା ଭିତରେ ସେ ନିଜ ବ୍ୟାଟିଂରେ ଥିବା ତ୍ରୁଟି ସୁଧାରିବେ । ତେବେ ଭାରତର ସବୁଠୁ ସଫଳ ଅଧିନାୟକ ଧୋନିଙ୍କ ଦଳ ପରିଚାଳନା ଅଭିଜ୍ଞତା ଏବଂ ୱିକେଟକିପିଂକୁ ନଜରରେ ରଖି ଆଗାମୀ ବିଶ୍ବ କପ୍ ଯାଏ ସେ ଖେଳନ୍ତୁ ବୋଲି ବିସିସିଆଇ ସମେତ ଅଧିନାୟକ ବିରାଟ କୋହଲି ମଧ୍ୟ ଚାହୁଁଛନ୍ତି ବୋଲି ଶୁଣିବାକୁ ମିଳୁଛି । ତଥାପି ଚୟନ କମିଟି ବୈଠକରେ ଉଭୟ କୋହଲି ଓ ଉପଅଧିନାୟକ ରୋତ ଶର୍ମା ଉପସ୍ଥିତ ଥିଲେ । ସେମାନଙ୍କ ସହମତି ବିନା ତ ଧୋନି ବିଦା ହୋଇନଥିବେ ? କାରଣ ଧୋନିଙ୍କ ଯୋଗୁଁ ଭାରତୀୟ ଦଳର ମଧ୍ୟଭାଗ ଦୁର୍ବଳ ହୋଇଥିବା ସ୍ପଷ୍ଟ ହୋଇଛି । ତେଣୁ ପରୋକ୍ଷରେ ବିରାଟ ତାଙ୍କ ପୂର୍ବ ଅଧିନାୟକଙ୍କୁ ରାସ୍ତା ଦେଖାଇ ଦେଉ ନାହାନ୍ତି ତ ?
ଏପଟେ ଅଧିନାୟକ ବିରାଟ କୋହଲି ମଧ୍ୟ ଇଣ୍ଡିଜ୍ ସହ ଆସନ୍ତା ମାସ ହେବାକୁ ଥିବା ଟି-ଟ୍ବେଣ୍ଟି ସିରିଜରେ ଖେଳିବେ ନାହିଁ । ଜୋରଦାର ଫର୍ମରେ ଥିଲେ ମଧ୍ୟ ତାଙ୍କୁ ବିଶ୍ରାମ ଦିଆଯାଇଛି ।