ପ୍ରଥମ ଓଡ଼ିଆ ଭାବେ ଦିଲୀପ ତିର୍କି ହେଲେ ହକି ଇଣ୍ଡିଆର ନୂଆ ସଭାପତି

ଭୁବନେଶ୍ୱର (କେନ୍ୟୁଜ୍‌) : ଓଡ଼ିଶାର ଗୌରବ ପଦ୍ମଶ୍ରୀ ଦିଲୀପ ତିର୍କି ହକି ଇଣ୍ଡିଆ ମୁଖ୍ୟ ଭାବେ ମନୋନୀତ ହୋଇଛନ୍ତି । ଭାରତୀୟ ହକି ଦଳର ଏହି ପୂର୍ବତନ ଅଧିନାୟକ ଆଜି ବିନା ପ୍ରତିଦ୍ୱନ୍ଦ୍ୱିତାରେ ହକି ଇଣ୍ଡି ସଭାପତି ଭାବେ ନିର୍ବାଚିତ ହୋଛନ୍ତି । ଏହି ପଦବିରେ ରହିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ।

ହକି ଇଣ୍ଡିଆ ସଭାପତି ଭାବେ ନିର୍ବାଚିତ ହେବା ପରେ ଦିଲୀପ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଯେ ଭାରତୀୟ ହକିକୁ ଶୀର୍ଷରେ ପହଞ୍ଚାଇବା ପାଇଁ ପୂରା ପ୍ରୟାସ କରିବେ ।

ଜଣେ ସୁଦକ୍ଷ ଡଫେଣ୍ଡର ଭାବେ ୧୯୯୫ରୁ ୨୦୧୦ ମଧ୍ୟରେ ଦିଲୀପ ୪୧୨ଟି ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି । ବିନା ଇଞ୍ଜୁରୀରେ ଲଗାତର ମ୍ୟାଚ୍‌ ଖେଳିବାର ରେକର୍ଡ଼ ମଧ୍ୟ ରହିଛି ଦିଲୀପଙ୍କ ନାମରେ । ତାଙ୍କ ନିକଟରେ ହକି ଅଭିଜ୍ଞତା ଭରି ରହିଛି । ତେଣୁ ହକି ଇଣ୍ଡିଆ ମୁଖ୍ୟ ଭାବେ ସେ ନିଶ୍ଚିତ ଭାବେ ଭାରତୀୟ ହକିକୁ ଉଚ୍ଚସ୍ତରକୁ ନେଇ ପାରିବେ ବୋଲି ସବୁ ମହଲରେ ମତ ପ୍ରକାଶ ପାଇଛି ।
ଅନ୍ୟପକ୍ଷରେ ଜାତୀୟ କ୍ରୀଡ଼ା ହକିକୁ ପ୍ରୋତ୍ସାହନ ଦେବାରେ ସବୁଠାରୁ ଆଗରେ ରହିଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ସାଜିଛି ଓଡ଼ିଶା । ଏହା ପରେ ଉଭୟ ଦଳର କ୍ରୀଡ଼ାରେ ଉନ୍ନତି ମଧ୍ୟ ପରିଲକ୍ଷିତ ହୋଇଛି । ଏହାବ୍ୟତୀତ ବିଭିନନ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ସହିତ ବିଶ୍ୱକପ୍‌ ମଧ୍ୟ ଆୟୋଜିତ ହେଉଛି ଓଡ଼ିଶାରେ । ଏସବୁ ଦୃଷ୍ଟିରୁ ଦିଲୀପ ହକି ଇଣ୍ଡିଆର ସଭାପତି ହେବା ରାଜ୍ୟ ପାଇଁ ବଡ଼ ଗୌରବର ବିଷୟ ।
ଗତ ୧୮ ତାରିଖ ଦିନ ଦିଲୀପ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ । ତେବେ ତାଙ୍କ ବିପକ୍ଷରେ ଅନ୍ୟ କେହି ପ୍ରାର୍ଥୀ ହୋଇନଥିବାରୁ ଦିଲୀପଙ୍କୁ ସଭାପତି ଘୋଷଣା କରାଯାଇଛି ।
ତିନିଟି ଅଲିମ୍ପିକ ଖେଳିଥିବା ଦିଲୀପଙ୍କ ସମୟରେ ଦଳ ଦୁଇଥର ଏସୀୟ କପ୍‌ ଏବଂ ଥରେ ଏସିଆନ ଗେମ୍‌ସରେ ସ୍ୱର୍ଣ୍ଣ ପଦକ ଜିତିଛି । ହକିରୁ ଅବସର ନେବା ପରେ ଦିଲୀପ ଓଡ଼ିଶା କ୍ରୀଡ଼ରର ଉନ୍ନତି ଦିଗରେ କାମ କରୁଛନ୍ତି । ସେହପରି ନାମାଙ୍କନ ଦାଖଲ ବେଳେ ସେ କହିଥିଲେ କି ତାଙ୍କ ନିଜ ଜିଲ୍ଲା ସୁନ୍ଦରଗଡ଼ରେ କାହିଁକି ହକିର ମାନ କମିବାରେ ଲାଗିଛି ସେଥିପ୍ରତି ସେ ବିଶେଷ ଧ୍ୟାନ ଦେବେ । ସୂଚନା ଥାଉକି ଦିଲୀପ, ଲାଜରୁସ ବାର୍ଲା, ପ୍ରବୋଧ ତିର୍କି, ସୁଭଦ୍ରା ପ୍ରଧାନ ପ୍ରମୁଖଙ୍କ ଭଳି ଅନେକ ବିଶ୍ୱସ୍ତରୀୟ ଖେଳାଳି ସୃଷ୍ଟି କରିଥିବା ସୁନ୍ଦରଗଡ଼କୁ ହକିର ଗଡ଼ ବୋଲି କୁହା ଯାଉଥିଲା । ଏବେ ସେଠାରେ ସେହି ସ୍ତରର ଆଗ୍ରହ ଆଉ ଦେଖଶ ଯାଉନାହିଁ । ଅବଶ୍ୟ ଭୁବନେଶ୍ୱର ସମେତ ସୁନ୍ଦରଗଡ଼ରେ ମଧ୍ୟ ହକିର ବିକାଶ ପାଇଁ ରାଜ୍ୟ ସରକାର ଜୋରସୋର ଉଦ୍ୟମ ଜାରି ରଖିଛନ୍ତି । ଏବେ ଦିଲୀପ ହକି ଇଣ୍ଡିଆ ସଭାପତି ହେବା ପରେ ଏହି ବିକାଣର ଧାରା ଆହୁରି ଜୋର୍‌ ଧରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.