ପାକିସ୍ତାନ କ୍ରିକେଟ୍ ବୋର୍ଡ ଓ ବିସିସିଆଇ ମଧ୍ୟରେ ବିବାଦ ତୁଟିଲା, ହାଇବ୍ରିଡ୍ ମୋଡ୍ ରେ ହେବ ଚାମ୍ପିଅନ୍ସ ଟ୍ରଫି

ଚାମ୍ପିଅନ୍ସ ଟ୍ରଫି ନେଇ ଥିବା ବିବାଦ ତୁଟିଲା । ହାଇବ୍ରିଡ୍ ମଡେଲରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ ବୋଲି ବିସିସିଆଇ ଓ ପିସିବି ମଧ୍ୟରେ ବୁଝାମଣା ହୋଇଛି । ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବାବେଳେ ଦୁବାଇରେ ଅର୍ଥାତ୍ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବ ଭାରତର ସମସ୍ତ ମ୍ୟାଚ୍ । ଏପରିକି ଭାରତ ଯଦି ସେମି ଫାଇନାଲ କିମ୍ବା ଫାଇନାଲକୁ ଉନ୍ନିତ ହୁଏ, ତେବେ ସେହି ମ୍ୟାଚ୍ ମଧ୍ୟ ଦୁବାଇରେ ଖେଳାଯିବ । ବିସିସିଆଇର ଏହି ହାଇବ୍ରିଡ୍ ମଡେଲ ଓ ତାଉପରେ ପାକିସ୍ତାନ କ୍ରିକେଟ ବୋର୍ଡ- ପିସିବିର ସର୍ତ୍ତକୁ ମଧ୍ୟ ଗ୍ରହଣ କରିଛି ଆଇସିସି ।

ସର୍ତ୍ତ ଅନୁଯାୟୀ ୨୦୨୬ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଟି-20 ବିଶ୍ବକପ୍ ଖେଳିବାକୁ ପାକିସ୍ତାନ ଟିମ୍ ଭାରତ ଆସିବ ନାହିଁ । ସେତେବେଳେ ପାକିସ୍ତାନ ତାର ସମସ୍ତ ମ୍ୟାଚ୍ କଲମ୍ବୋରେ ଖେଳିବ ବୋଲି ସ୍ଥିର ହୋଇଛି ।  ଆସନ୍ତା ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୯ ମଧ୍ୟରେ ପାକିସ୍ତାନରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି । କିନ୍ତୁ ସୁରକ୍ଷା କାରଣକୁ ନେଇ ପାକିସ୍ତାନ ଯିବାକୁ ମନା କରିଥିଲା ଭାରତ । ବିସିସିଆଇ ହାଇବ୍ରିଡ୍ ମଡେଲ ପାଇଁ ପ୍ରସ୍ତାବ ଦେବାପରେ ସୃଷ୍ଟି ହୋଇଥିଲା ବିବାଦ ।  ଭାରତର ପ୍ରସ୍ତାବ ଉପରେ ଆଇସିସି ଅଡ଼ି ବସିଥିବା ବେଳେ ପିସିବି ରଖିଥିଲା ସର୍ତ୍ତ ।  ସର୍ତ୍ତ ଅନୁଯାୟୀ ଆଗାମୀ ଦିନରେ ଆଇସିସିର କୌଣସି ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜିତ ହେଲେ, ପାକିସ୍ତାନର ସମସ୍ତ ମ୍ୟାଚ୍ ନିରପେକ୍ଷ ସ୍ଥାନ ଅର୍ଥାତ୍ ନ୍ୟୁଟ୍ରାଲ ଭେନ୍ୟରେ ହେବ ବୋଲି ଆଇସିସିଠାରୁ ଲିଖିତ ନିଶ୍ଚିତତା ଦାବି କରିଥିଲା PCB । ଏହାସହିତ PCB ଏହାର ରାଜସ୍ୱ ଅଂଶ ବୃଦ୍ଧି ପାଇଁ ମଧ୍ୟ କହିଥିଲା ।