ମହିଳା ଚେସ୍ ବିଶ୍ବକପ-୨୦୨୫ ବିଜେତା ହେଲେ ଦିବ୍ୟା ଦେଶମୁଖ, ଅର୍ଜନ କଲେ ଗ୍ରାଣ୍ଡମାଷ୍ଟର ମାନ୍ୟତା

ମାତ୍ର ୧୯ ବର୍ଷରେ ବିଶ୍ବ ଚାମ୍ପିଅନ । ଚେସରେ ବିଶ୍ବ ବିଜେତା ହେଲେ ଦିବ୍ୟା ଦେଶମୁଖ । ମହିଳା ଚେସ୍ ବିଶ୍ବକପ-୨୦୨୫ ଫାଇନାଲ୍ ମ୍ୟାଚରେ କୋନେରୁ ହମ୍ପିଙ୍କୁ ପରାସ୍ତ କରିଛନ୍ତି । ଜର୍ଜିଆ ବାଟୁମୀରେ ତିନି ସପ୍ତାହ ଧରି ଚାଲିଥିବା ଫାଇଡ୍ ମହିଳା ଚେସ୍ ବିଶ୍ବକପରେ ଟାଇଟଲ ଜିତିଛନ୍ତି ୧୯ ବର୍ଷୀୟା ଦିବ୍ୟା ଦେଶମୁଖ । ଡିଫେଣ୍ଡିଂ ଚାମ୍ପିଅନ ଭାରତ ନଂ-୧ କୋନେରୁ ହମ୍ପିଙ୍କୁ ପରାସ୍ତ କରିଛନ୍ତି ।

ଚେସ୍ ବିଶ୍ବକପ୍ ଜିତିବାରେ ଦିବ୍ୟା ଦେଶମୁଖ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି । ଗତ ବର୍ଷ ଦିବ୍ୟା ଜୁନିୟର ଚେସ୍ ବିଶ୍ବକପ ଜିତିଥିଲେ । ଏବେ ସେ ଓ୍ବାର୍ଲ୍ଡ ଚାମ୍ପିଅନ ହୋଇ ବିଶ୍ବ ରେକର୍ଡ କରିଛନ୍ତି । ଏହା ସହିତ ଚତୁର୍ଥ ଭାରତୀୟ ମହିଳା ଗ୍ରାଣ୍ଡମାଷ୍ଟର ହୋଇଛନ୍ତି । ଦିବ୍ୟା ବିଶ୍ବ ଚେସ୍ ଟାଇଟଲ ଜିତିବା ସହିତ ଭାରତର ୮୮ତମ ଗ୍ରାଣ୍ଡମାଷ୍ଟର ହେବାରେ ସୌଭାଗ୍ୟ ଅର୍ଜନ କରିଛନ୍ତି ।

ଅନ୍ତର୍ଜାତୀୟ ମାଷ୍ଟର ଦିବ୍ୟା ଫାଇଡ ମହିଳା ବିଶ୍ୱକପ୍ ଫାଇନାଲର ପ୍ରଥମ ଏବଂ ଦ୍ୱିତୀୟ ଗେମରେ କୌଣସି ସୁଯୋଗ ନ ଦେଇ ତାଙ୍କ ଉଚ୍ଚ ମାନ୍ୟତାପ୍ରାପ୍ତ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପିଙ୍କୁ ଡ୍ର ଖେଳିବାକୁ ବାଧ୍ୟ କରିଥିଲେ । ଏହା ଫଳରେ ମ୍ୟାଚଟି ଟାଇବ୍ରେକରକୁ ଯାଇଥିଲା ।

ନିୟମ ଅନୁସାରେ ଟାଇ-ବ୍ରେକରରେ ୧୫ ମିନିଟର ଦୁଇଟି ଖେଳ ରହିଥାଏ ଯେଉଁଥିରେ ପ୍ରତ୍ୟେକ ମୁଭ୍ ପରେ ୧୦ ସେକେଣ୍ଡ ଯୋଡାଯାଇଥାଏ। ଯଦି ଏହା ପରେ ବି ସ୍କୋର ସମାନ ରହେ, ତେବେ ଉଭୟ ଖେଳାଳି ପ୍ରତି ଖେଳ ପାଇଁ ୧୦ ମିନିଟ୍ ହାରରେ ଆଉ ଏକ ସେଟ୍ ଖେଳିବାର ସୁଯୋଗ ପାଇଥାନ୍ତି । ଏଥିରେ ମଧ୍ୟ ପ୍ରତ୍ୟେକ ମୁଭ୍ ପରେ ୧୦ ସେକେଣ୍ଡ ଯୋଡାଯାଇଥାଏ । ଉଭୟଙ୍କ ମଧ୍ୟରେ ପ୍ରଥମ ରାପିଡ୍ ଟାଇବ୍ରେକର ମଧ୍ୟ ଡ୍ର ଥିଲା । ତା’ପରେ ଦ୍ୱିତୀୟ ଟାଇବ୍ରେକରରେ ଫଇସଲା ଆସିଥିଲା । ଅଲ୍ ଇଣ୍ଡିଆ ଫାଇନାଲରେ ଦିବ୍ୟା ହମ୍ପିଙ୍କୁ ୨.୫-୧.୫ ରେ ପରାସ୍ତ କରିଥିଲେ ।

Also Read : ସେପଟେମ୍ବର ୧୪ରେ ଭାରତ-ପାକିସ୍ତାନ ଏସିଆ କପ୍ ଲଢ଼େଇ, ଟୁର୍ଣ୍ଣାମେଣ୍ଟର କ୍ରୀଡ଼ାସୂଚୀ ଘୋଷଣା