ଶହେ ମିଟରରେ ଦୂତୀ ଚାନ୍ଦଙ୍କ ନୂଆ ଜାତୀୟ ରେକର୍ଡ଼, ଅଲିମ୍ପିକ୍ସ ଯୋଗ୍ୟତାର ନିକଟତର

ରାଞ୍ଚି : ଏଠାରେ ଚାଲିଥିବା ନେସନାଲ ଓପନ୍‌ ଆଥଲେଟିକ୍ସରେ ଦୂତୀ ଚାନ୍ଦ ୧୦୦ ମିଟର ମହିଳା ଦୌଡ଼ରେ ନିଜ ରେକର୍ଡ଼ ଭାଙ୍ଗିଛନ୍ତି । ଦୂତୀ ୧୧.୨୨ ସେକେଣ୍ଡେ ନେଇ ନୂଆ ରେକର୍ଡ଼ କରିଛନ୍ତି । ପୂର୍ବର ଜାତୀୟ ରେକର୍ଡ଼ ସମୟ ଥିଲା ୧୧.୨୬ ସେକେଣ୍ଡ । ପୂର୍ବର ରେକର୍ଡ଼ ଉଭୟ ଦୂତୀ ଚାନ୍ଦ ଏବଂ ରଚିତା ମିସ୍ତ୍ରୀ (ପଣ୍ଡା)ଙ୍କ ନାଁରେ ଯୁଗ୍ମ ଭାବେ ଥିଲା ।


ଆଜି ୧୦୦ ମିଟର ସେମିଫାଇନାଲ୍‌ରେ ଦୂତୀ ପୂରା ଜୋର ଲଗାଇ ଦୌଡ଼ିଥିଲେ ଏବଂ ୧୧.୨୨ ସେକେଣ୍ଡେରେ ଦୌଡ଼ ଶେଷ କରିଥିଲେ । ତାଙ୍କର ଏହି ସଫଳତା ତାଙ୍କୁ ୨୦୨୦ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିବାର ନିକଟତର କରିଛି ।
ତେବେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାକୁ ଦୂତୀଙ୍କୁ ୧୧.୧୫ ସେକେଣ୍ଡ ଟାଇମିଂ ହାସଲ କରିବାକୁ ପଡ଼ିବ । ଆସନ୍ତା ବର୍ଷ ଜୁନ୍‌ ସୁଦ୍ଧା ସେ ଏହି ଟାଇମିଂ ହାସଲ କଲେ ଯାଇ ଟୋକିଓ ଅଲିମ୍ପିକ୍ସର ମହିଳା ୧୦୦ ମିଟର ଦୌଡ଼ ପାଇଁ ଯୋଗ୍ୟତା ଅର୍ଜନ କରିବେ ।

ତେବେ ଫାଇନାଲ୍‌ରେ ଦୂତୀ ୧୧.୨୫ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତାମିଲନାଡୁର ଅର୍ଚ୍ଚନା ସୁସିନ୍ଦ୍ରନ୍‌ (୧୧.୫୪ ସେକେଣ୍ଡେ) ଏବଂ ରେଳବାଇର ହିମାଶ୍ରୀ ରୟ (୧୧.୫୭ ସେକେଣ୍ଡେ) ତାଙ୍କ ଠାରୁ ବହୁ ପଛରେ ରହି ରୌପ୍ୟ ଓ ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି ।

DUTI-tweet

ଏହି ସଫଳତା ପାଇଁ ଦୂତୀଙ୍କୁ ସାରା ରାଜ୍ୟରୁ ଅଭିନନ୍ଦନର ବାର୍ତ୍ତା ଛୁଟିଛି । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ, ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପ୍ରମୁଖ ଦୂତୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

DUTI-3

ଅମୀୟ ମଲ୍ଲିକଙ୍କୁ ସ୍ୱର୍ଣ୍ଣ ପଦକ

ସେହିପରି ଏହି ୫୯ତମ ନେସନାଲ ଓପନ୍‌ ପ୍ରତିଯୋଗିତାରେ ଆଉ ଦୁଇ ଜଣ ଓଡ଼ିଆ ଖେଳାଳି ମଧ୍ୟ ସଫଳତା ହାସଲ କରିଛନ୍ତି । ଅମୀୟ ମଲ୍ଲିକ ଆଜି ପୁରୁଷ ୧୦୦ ମିଟରରେ ପ୍ରଥମ ହୋଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅମୀୟ ୧୦.୪୬ ସେକେଣ୍ଡେ ନେଇ ପ୍ରଥମ ହୋଇଥିବା ବେଳେ ମାଲେସିୟାର ଜୋନାଥନ୍‌ ଆନକ ନ୍ୟେପା (୧୦.୪୭ ସେକେଣ୍ଡ) ଏବଂ ପଞ୍ଜାବର ଗୁରିନ୍ଦରବୀର ସିଂହ (୧୦.୪୮ ସେକେଣ୍ଡ) ଦ୍ୱିତୀୟ ଏବଂ ତୃତୀୟ ହୋଇଛନ୍ତି ।

AMIYA
ମହିଳା ହର୍ଡଲ୍ସ ୪୦୦ ମିଟରରେ ଓଏନ୍‌ଜିସି ତରଫରୁ ଖେଳୁଥିବା ଓଡ଼ିଆ ଝିଅ ଜଉନା ମୁର୍ମୁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୫୮.୦୮ ସେକେଣ୍ଡ ନେଇ ପ୍ରଥମ, ପଞ୍ଜାବର ବୀରପାଲ କୌର ଦ୍ୱିତୀୟ ଏବଂ ରେଳବାଇର ଅର୍ପିତା ମଞ୍ଜୁନାଥ ତୃତୀୟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.