ଭୁବନେଶ୍ବର (କେନ୍ୟୁଜ୍) : ଏସୀୟ କ୍ରୀଡ଼ାରେ ସଫଳ ଧାବିକା ଓଡ଼ିଶାର ଦୂତି ଚାନ୍ଦ ଏବେ ଖବରର ଶିରୋନାମା ପାଲଟିଛନ୍ତି । ଦୂତିଙ୍କ ପାଇଁ ସମସ୍ତେ ଖୁସି । କାରଣ ଅନେକ ବାଧାବିଘ୍ନ ଅତିକ୍ରମ କରି ଦୂତି ପାଇଛନ୍ତି ସଫଳତା । ତେବେ ତାଙ୍କର ଏହି ସଫଳତା ପଛରେ ଯାହାର ବିଶେଷ ଅବଦାନ ରହିଛି ସିଏ ହେଉଛନ୍ତି ତାଙ୍କ ବ୍ୟକ୍ତିଗତ କୋଚ୍ ନାଗପୁରୀ ରମେଶ । ଏସୀୟ କ୍ରୀଡ଼ାର ୧୦୦ ଓ ୨୦୦ ମିଟ ଦୌଡ଼ରେ ଦୂତି ରୌପ୍ୟ ପଦକ ଜିତିଛନ୍ତି । ଏଥିପାଇଁ ସମସ୍ତଙ୍କ ଠାରୁ ଅଧିକ ଖୁସି ହୋଇଛନ୍ତି ରମେଶ । କାରଣ ଦୀର୍ଘ ୨୦ ବର୍ଷ ପରେ ଏସୀୟ କ୍ରୀଡ଼ାର ଏହି ଇଭେଣ୍ଟରେ ଭାରତ ପଦକ ଜିତିଛି । ୨୦୧୪ରେ ହାଇପରଆଣ୍ଡରୋଜେନିଜିମ୍ ମାମଲା ବେଳେ ଦୂତିଙ୍କ ସାଥୀରେ ଥିଲେ ରମେଶ । ତାଙ୍କୁ ମାନସିକ ଭାବେ ସମର୍ଥନ ଦେଇଥିଲେ । ରମେଶଙ୍କ କଥା ରଖି ପୁଲ୍ଲେଲା ଗୋପିଚାନ୍ଦ ହାଇଦ୍ରାବାଦ ସ୍ଥିତ ତାଙ୍କ ଏକାଡେମିରେ ଦୂତିଙ୍କୁ ରହିବା ସହ ପ୍ରଶିକ୍ଷ ପାଇଁ ଅନୁମତି ଦେଇଥିଲେ । ସେତେବେଳେ ସେ ନିଜ ବାଇକରେ ଦୂତିଙ୍କୁ ନେଇ ଗାଚିବାଓଲି ଷ୍ଟାଡିୟମରେ ଅଭ୍ୟାସ କରାଇବା ପରେ ପୁଣି ଆଣି ଏକାଡେମିରେ ଛାଡ଼ିଥାନ୍ତି । ଏକାଡେମିରୁ ତାଙ୍କ ଘର ହେଉଛି ୩୫ କିଲୋମିଟର ଦୂର । ସେତେବେଳେ ଏକାଡେମି ବାବଦରେ ଖର୍ଚ୍ଚ କରିବାକୁ ମଧ୍ୟ ଦୂତି ସମର୍ଥ ନଥିଲେ । ତେଣୁ ତାଙ୍କ ପାଇଁ ସବୁ ମାଗଣା ବ୍ୟବସ୍ଥା କରାଯାଇଥିଲା । ଦୂତିଙ୍କ ନିଷ୍ଠା ଦେଖି ଏକାଡେମିରେ ସମସ୍ତେ ତାଙ୍କୁ ଭଲ ପାଆନ୍ତି । ତାଙ୍କୁ ସାହାଯ୍ୟ ବି କରନ୍ତି ।
ରମେଶ କୁହନ୍ତି, ଦୂତି ଅତ୍ୟନ୍ତ ଦ୍ଢ଼ମନା । ଯେତେବେଳେ ହାଇପରଆଣ୍ଡରୋଜେନିଜିମ୍ ମାମଲା ହେଲୋ ସେତେବେଳେ ସେ ସ୍ଥିର କରିଥିଲେ ଯେମିତି ଅନ୍ୟ କେହି ଏଭଳି ପରିସ୍ଥିତିର ସାମନ ନକରନ୍ତି ସେଥିପାଇଁ ସେ ଲଢ଼ିବେ । ଦୂତିଙ୍କ ଉଚ୍ଚତା କମ୍ ଥିବାରୁ ସେ ନିଜ ବେଗ ଉପରେ ଧ୍ୟାନ ଦେଇଥାନ୍ତି । ବେଗ ବଢ଼ାଇବାକୁ ତାଙ୍କୁ ପରାମର୍ଶ ଓ ପ୍ରଶିକ୍ଷଣ ଦେଇଛନ୍ତି ରମେଶ । ଏସୀୟ କ୍ରୀଡ଼ା ପୂର୍ବରୁ ତାଙ୍କୁ ସ୍ପେସାଲ ସ୍ପିଡ୍ ରବର୍ ଟ୍ରେନିଂ ଦିଆଯାଇଥିଲା । ଯାହା ଫଳପ୍ରଦ ହୋଇଛି । ଏହି ଟ୍ରେନିଂରେ ଠିକ୍ ଆଂଠୁ ଉପରକୁ ରବର୍ ବାନ୍ଧି ଦୌଡ଼ିବାକୁ ପଡ଼େ । ଯାହା ମାଂସପେଶୀର ଶକ୍ତି ବଢ଼ାଇବା ସହ ଷ୍ଟାମିନା ମଧ୍ୟ ବଢ଼ାଇଥାଏ । ଗୌହାଟିରେ ଏହି ସ୍ପିଡ ରବର ଅଭ୍ୟାସ କରିଥିଲେ ଦୂତି । ଯାହାଫଳରେ ଶହେ ମିଟର ଦୌଡ଼ରେ ପ୍ରଥମ ୪୦ ମିଟରରେ ତାଙ୍କର ବେଗ ୪.୯୫ରୁ ୪.୮୦ ସେକେଣ୍ଡକୁ ଆସିଥିଲା ।
୨୦୧୬ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଥିଲା ରମେଶଙ୍କୁ । ତାଙ୍କର ଲକ୍ଷ୍ୟ ହେଉଛି କିଭଳି ଦୂତିଙ୍କ ୧୦୦ ମିଟର ଟାଇମିଂକୁ ୧୧ ସେକେଣ୍ଡ ତଳକୁ ଆଣିବେ । ଏସୀୟ କ୍ରୀଡ଼ାରେ ଦୂତି ୧୧.୩୨ ସେକେଣ୍ଡ ନେଇ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ତେଣୁ ଅଲିମ୍ପିକରେ ସଫଳ ହେବା ପାଇଁ ପ୍ରଥମେ ଦୂତିଙ୍କୁ ୧୧ ସେକେଣ୍ଡ ଭିତରେ ଟାଇମିଂ ରଖିବାକୁ ପଡ଼ିବ । ତେବେ ଏଥିଲାଗି ଅତ୍ୟାଧୁନିକ ପ୍ରଶିକ୍ଷଣ ଦରକାର ହେବ ବୋଲି ରମେଶ କହିଛନ୍ତି । ଦୂତିଙ୍କୁ ଏବେ ମାତ୍ର ୨୨ ବର୍ଷ ବୟସ । ତେଣୁ ସେ ଯେଭଳି ନିଷ୍ଠାବାନ ଓ ପରିଶ୍ରମୀ ସେଥିରେ ବିଶ୍ବ ସ୍ତରରେ ଆହୁରି ସଫଳତା ନିଶ୍ଚୟ ଆସିବ ବୋଲି ରମେଶଙ୍କ ବିଶ୍ବାସ ।

ରମେଶ ହେଉଛନ୍ତି ତେଲେଙ୍ଗାନା ରାଜ୍ୟର ପ୍ରଥମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା । ୱାରଙ୍ଗଲର ହାନାମାକୋଣ୍ଡା ଠାରେ ତାଙ୍କର ଜନ୍ମ । ସାଇ ବା ଭାରତୀୟ କ୍ରୀଡ଼ା ପ୍ରାଧିକାରଣର ଆଥଲେଟିକ୍ କୋଚ୍ ଥିଲେ ରମେଶ । ୧୯୯୨ରେ କୋଚ୍ ନିଯୁକ୍ତି ପାଇଁ କରାଯାଉଥିବା ଯୋଗ୍ୟତା ପରୀକ୍ଷରେ ଶ୍ରେଷ୍ଠ ବିବେଚିତ ହେବା ପରେ ତାଙ୍କୁ ସାଇରେ ସିଧାସଳଖ ନିଯୁକ୍ତି ମିଳିଥିଲା । ନିଜ ରାଜ୍ୟ ତେଲେଙ୍ଗାନାରେ ସେ ଅଲିମ୍ପିଆନ୍ ସତ୍ତି ଗୀତା, ଜାତୀୟ ଚାମ୍ପିଅନ୍ ପି. ଶଙ୍କରଙ୍କ ଭଳି ଖେଳାଳି ବାହାର କରିଛନ୍ତି । ତାଙ୍କର ନିଷ୍ଠା, କଠିନ ପରିଶ୍ରମ ଏବଂ ଶ୍ରଙ୍ଖଳା ହିଁ ତାଙ୍କର ପରିଚୟ । ସେ କୋଚିଂ କ୍ୟାମ୍ପରେ ରହିବା ବେଳେ ସବୁ କିଛି ଭୁଲି ଯାଆନ୍ତି । ଏମିତିକି ନିଜ ପରିବାର କଥା ମଧ୍ୟ ପାସୋରି ଯାନ୍ତି । ନିଜର ସଫଳତା ପାଇଁ ସେ ପତ୍ନୀ ଓ ଝିଅଙ୍କୁ ଶ୍ରେୟ ଦେଇଛନ୍ତି । ସେମାନଙ୍କ ସହଯୋଗ ଯୋଗୁଁ ସେ ଏତେଦୂର ଆସି ପାରିଲେ ବୋଲି କହିଛନ୍ତି କୋଚ୍ ନାଗପୁରୀ ରମେଶ ।