ଝଟ୍‌କା ପରେ ଝଟ୍‌କା, ପାକିସ୍ତାନ ଟୁର୍‌ରୁ ଓହରି ଗଲା ଇଂଲଣ୍ଡ କ୍ରିକେଟ୍‌ ଟିମ୍‌

କେନ୍ୟୁଜ୍(ବ୍ୟୁରୋ):  ପାକିସ୍ତାନକୁ ଝଟ୍‌କା ପରେ ଝଟ୍‌କା। ପାକିସ୍ତାନ ଟୁର୍‌ରୁ ଓହରି ଯାଇଛି ଇଂଲଣ୍ଡ କ୍ରିକେଟ୍‌ ଟିମ୍‌। ଆସନ୍ତା ମାସରେ ଇଂଲଣ୍ଡର ଉଭୟ ପୁରୁଷ ଓ ମହିଳା କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତରେ ଯିବାର ଥିଲା। ଇଂଲଣ୍ଡ ଆଣ୍ଡ ୱେଲ୍‌ସ କ୍ରିକେଟ ବୋର୍ଡ କହିଛି, ଆମ ପାଇଁ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ମାନସିକ ଓ ଶାରୀରିକ ସୁସ୍ଥତା ସର୍ବୋଚ୍ଚ ପ୍ରାଥମିକତା। କୋଭିଡ୍‌ କଟକଣା ଚାପ ଭିତରେ ଖେଳାଳି ଖେଳୁଛନ୍ତି। ବର୍ତ୍ତମାନ ସମୟରେ ପାକିସ୍ତାନ ଗସ୍ତକୁ ନେଇ ଚିନ୍ତା ବଢିଛି। ଏଭଳି ସ୍ଥିତିରେ ପାକିସ୍ତାନ ଗସ୍ତ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଛି ଇଂଲଣ୍ଡ ଆଣ୍ଡ ୱେଲ୍‌ସ କ୍ରିକେଟ ବୋର୍ଡ। ଅକ୍ଟୋବର ୧୩ ଓ ୧୪ରେ ଦୁଇଟି ଟି ଟେ୍ଵଣ୍ଟି ମ୍ୟାଚ୍‌ ଖେଳିଥାନ୍ତା ଇଂଲଣ୍ଡ ପୁରୁଷ ଟିମ୍‌।

ସେହିପରି ଇଂଲଣ୍ଡ ମହିଳା ଟିମ୍‌ ତିନିଟି ଏକ ଦିବସୀୟ ମ୍ୟାଚ ଖେଳିଥାନ୍ତା। ପ୍ରଥମ ଥର ଇଂଲଣ୍ଡ ମହିଳା ଦଳ ପାକିସ୍ତାନ ଗସ୍ତରେ ଯିବାର ଥିଲା। ସେହିପରି ପୁରୁଷ ଟିମ୍‌ ୨୦୦୫ ପରେ ପ୍ରଥମ ଥର ପାକିସ୍ତାନ ଯାଇଥାନ୍ତା। ଏବେ ଏହି ଟୁର୍‌ ରଦ୍ଦ ହୋଇଛି। କିଛି ଦିନ ତଳେ ନ୍ୟୁଜିଲାଣ୍ଡ ଟିମ୍‌ ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ରଦ୍ଦ କରିଥିଲା। ଏପରିକି ନ୍ୟୁଜିଲାଣ୍ଡ ଟିମ୍‌ ପାକିସ୍ତାନରେ ପହଞ୍ଚିଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସୁରକ୍ଷା ଦୃଷ୍ଟିକୋଣରୁ ସିରିଜ ରଦ୍ଦ କରି ସ୍ୱଦେଶ ଫେରିଥିଲା ନ୍ୟୁଜିଲାଣ୍ଡ ଟିମ୍‌।