ଇଂଲଣ୍ଡ ଟିମକୁ ଝଟକା, ୩୦୩ ମ୍ୟାଚରେ ବେଟିଂ ଅଭିଯୋଗରେ ବ୍ୟାନ୍ ହେଲେ ଷ୍ଟାର କ୍ରିକେଟର
ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଟିମକୁ ଶକ୍ତ ଝଟକା ଲାଗିଛି । ବେଟିଂ କରିବା ଅଭିଯୋଗର ଟିମର ଷ୍ଟାର କ୍ରିକେଟରଙ୍କ ଉପରେ ବ୍ୟାନ୍ ଲାଗିଛି । ଇଂଲଣ୍ଡର ଷ୍ଟାର ବୋଲର ବ୍ରାୟଡନ୍ କାର୍ସେଙ୍କୁ ବ୍ୟାନ୍ କରିଛି ଇଂଲଣ୍ଡ କ୍ରିକେଟ ବୋର୍ଡ । କାର୍ସେଙ୍କୁ କ୍ରିକେଟର ସମସ୍ତ ଫର୍ମାଟରୁ ବାସନ୍ଦ କରିଥିବା ନେଇ ବୋର୍ଡ ତରଫରୁ ଘୋଷଣା ହୋଇଛି । ୨ ବର୍ଷ ମଧ୍ୟରେ ୩୦୩ ମ୍ୟାଚରେ ବେଟିଂ କରିଥିବା ଅଭିଯୋଗରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଇଂଲଣ୍ଡର ଷ୍ଟାର ବୋଲର ବ୍ରାୟଡନ୍ କାର୍ସେ ଗତ ୨୦୨୩ ଦିନିକିଆ ବିଶ୍ୱକପରେ ଦଳରେ ସାମିଲ କରିଥିଲା ଇଂଲଣ୍ଡ । ତେବେ ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ତାଙ୍କୁ ଦଳରେ ସ୍ଥାନ ମିଳି ନଥିଲେ ମଧ୍ୟ ୩ ମାସ ପାଇଁ ତାଙ୍କୁ ବ୍ୟାନ୍ ଆଦେଶ ଜାରି ହୋଇଛି । ଇଂଲଣ୍ଡ ବୋର୍ଡ ଦୋଷୀ ପାଇବା ପରେ ୧୬ ମାସ ଦଣ୍ଡାଦେଶ ଜାରି ହୋଇଥିଲା । ଏଥିରୁ ୧୩ ମାସ ନିଲମ୍ବିତ କରାଯାଇଛି ।
ବ୍ରାୟଡନ୍ କାର୍ସେ ୨୦୧୭-୨୦୧୯ ବର୍ଷ ମଧ୍ୟରେ ମୋଟ ୩୦୩ କ୍ରିକେଟ ମ୍ୟାଚ ଉପରେ ବେଟିଂ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ସେ ସ୍ୱୀକାର କରିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ଏହି ମ୍ୟାଚଗୁଡ଼ିକରେ ସେ କୌଣସି ଜିନିଷ ବାଜିରେ ଲଗାଇ ନଥିବାରୁ ତାଙ୍କୁ ମାତ୍ର ୩ ମାସ ପାଇଁ ଦଣ୍ଡ ଦେଇଛି ବୋର୍ଡ ।
କୌଣସି ଖେଳାଳି କ୍ରିକେଟର କୌଣସି ମ୍ୟାଚ ଉପରେ ମଧ୍ୟ ବେଟ୍ ଲଗାଇ ପାରିବେ ନାହିଁ । ଇଂଲଣ୍ଡ ପାଇଁ ୧୭ଟି ମ୍ୟାଚ ଖେଳିଥିବା ବ୍ରାୟଡନ୍ କାର୍ସେ ଆସନ୍ତା ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ କ୍ରିକେଟର ସମସ୍ତ ଫର୍ମାଟରୁ ଦୂରେଇ ରହିବେ ବୋଲି ବୋର୍ଡ ତରଫରୁ ସୂଚନା ମିଳିଛି । ଏ ନେଇ କାର୍ସ କହିଛନ୍ତି ଯେ, ଏହି ବେଟିଂ ଅନେକ ବର୍ଷ ତଳେ ହୋଇଥିଲା । ତେବେ ଏଥିପାଇଁ ନିଜକୁ ଦୋଷୀ ବୋଲି ସ୍ୱୀକାର କରିଛନ୍ତି ।
୨୦୨୩ରେ ଭାରତରେ ଖେଳାଯାଇଥିବା ବିଶ୍ୱକପରେ ଇଂଲଣ୍ଡର ଟିମରେ ଥିଲେ କାର୍ସେ ।କାର୍ସେ ଏବେ ଇଂଲଣ୍ଡ ପାଇଁ ହ୍ଵାଇଟ ବଲ୍ କ୍ରିକେଟ ଖେଳୁଛନ୍ତି । କିନ୍ତୁ ଆଣ୍ଡରସନଙ୍କ ରିଟାୟରମେଣ୍ଟ ପରେ ତାଙ୍କୁ ଟେଷ୍ଟ ବୋଲର ଭାବେ ସୁଯୋଗ ମିଳିଥିଲା । କିନ୍ତୁ ଏବେ ତାଙ୍କ ପାଇଁ ସମସ୍ୟା ବଢିଯାଇଛି ।
କାର୍ସେ ୨୦୨୧ରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ମ୍ୟାଚ ଜରିଆରେ ଇଣ୍ଟରନ୍ୟାସନାଲ ଡେବ୍ୟୁ କରିଥିଲେ । ସେ ୧୪ଟି ଦିନିକିଆ ଏବଂ ୩ଟି ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି । ୧୪ ଟି ଦିନିକିଆରେ ୧୫ଟି ଓ୍ଵିକେଟ ନେଇଛନ୍ତି ।