ଇଂଲଣ୍ଡକୁ ପସନ୍ଦ ଆସିଲାନି ପାକିସ୍ତାନର ଖାଦ୍ୟ, ବେନ୍‌ ଷ୍ଟୋକ୍ସ ଟିମ୍‌ ନିଯୁକ୍ତ କଲା ପର୍ସନାଲ ରୋଷେୟା

ଇଂଲଣ୍ଡ କ୍ରିକେଟ ଟିମ୍‌ ୩ଟି ଟେଷ୍ଟ ମ୍ୟାଚ୍‌ ସିରିଜ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିଛି। ଏହି ସିରିଜ ପାଇଁ ମ୍ୟାଚ୍‌ ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ। ଟିମ୍‌ ଏବେ ଆବୁଧାବିରେ ଅଭ୍ୟାସ କରୁଛି । ହେଲେ ଏହି ସିରିଜ ପୂର୍ବରୁ ଇଂଲଣ୍ଡ ଟିମ୍‌ ପାଇଁ ପର୍ସନାଲ ରୋଷେୟା ନିଯୁକ୍ତ କରାଯାଇଛି। କାରଣ, ଏହା ପୂର୍ବରୁ ପାକିସ୍ତାନକୁ ଇଂଲଣ୍ଡ ଟିମ୍‌ ଟି୨୦ ସିରିଜ ଖେଳିବାକୁ ଆସିଥିଲା। ଏହି ସମୟରେ ଖେଳାଳି ଏବଂ ଟିମ୍‌ ଷ୍ଟାଫଙ୍କୁ ପାକିସ୍ତାନ ତରଫରୁ ପରଷା ଯାଇଥିବା ଖାଦ୍ୟ ପସନ୍ଦ ଆସିନଥିଲା। ତେଣୁ ଏଥର ଏମିତି କିଛି ଅବ୍ୟବସ୍ଥାର ସାମ୍ନା ନ କରିବା ପାଇଁ ପୂର୍ବରୁ ଇଂଲଣ୍ଡ ଟିମ୍‌ ପର୍ସନାଲ ରୋଷେୟାଙ୍କୁ ନିଯୁକ୍ତି କରିଛି ।

ରିପୋର୍ଟ ମୁତାବକ, ଇଂଲଣ୍ଡ ଟିମ୍‌ ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ପର୍ସନାଲ ରୋଷେୟା ନିଯୁକ୍ତ କରିଛି। ଗତଥର ଖାଇବାକୁ ନେଇ ଖେଳାଳି ଏବଂ ଷ୍ଟାଫ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେଣୁ ଏଥର ସେମିତି ପରିସ୍ଥିତିରୁ ମୁକ୍ତି ପାଇବା ପାଇଁ ଏମିତି ପଦକ୍ଷେପ ନେଇଛି ଇଂଲଣ୍ଡ ଟିମ୍‌। ଗତ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଇଂଲଣ୍ଡ ଟିମ୍‌ ପାକିସ୍ତାନ ଟି୨୦ ସିରିଜ ଖେଳିବାକୁ ଆସିଥିଲା। ଏହି ସମୟରେ ଯେଉଁ ଖାଇବା ପରଷା ଯାଇଥିଲା, ସେଥିରେ ଖେଳାଳିଙ୍କ ପେଟ ଖରାପ ହୋଇଥିଲା। ଆଉ ଏଥର ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏମିତି କାମ କରିଛି ଇଂଲଣ୍ଡ ଟିମ୍‌।

ତେବେ ଇଂଲଣ୍ଡ ଟିମର ସେଫ ହେଉଛି ଓମାର ମେଜିୟନ। ଖାଦ୍ୟ ପ୍ରସ୍ତୁତ କରିବାରେ ବେଶ୍‌ ଅଭିଜ୍ଞତା ତାଙ୍କର ରହିଛି। ଓମାର ୨୦୧୮ରେ ଫିଫା ବିଶ୍ୱକପ ପାଇଁ ଇଂଲଣ୍ଡ ଫୁଟବଲ ଟିମ୍‌ ପାଇଁ ଖାଦ୍ୟ ରୋଷେଇ କରିଥିଲେ । ଏହାଛଡା ୨୦୨୦ରେ ୟୁରୋ କପ ସମୟରେ ମଧ୍ୟ ଇଂଲଣ୍ଡ ଟିମର ସେଫ୍‌ ଭାବେ କାମ କରିଛନ୍ତି ଓମାର ।

ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ୧ ଡିସେମ୍ବରରୁ ଆରମ୍ଭ ହେବ। ଏହି ସିରିଜ ୩ଟି ମ୍ୟାଚ୍‌ ବିଶିଷ୍ଟ ହେବ। ପ୍ରଥମ ମ୍ୟାଚ ରାଓ୍ଵଲପିଣ୍ଡିରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ ମୁଲତାନରେ ୯ ଡିସେମ୍ବରରେ ଆରମ୍ଭ ହେବ। ତୃତୀୟ ମ୍ୟାଚ୍‌ ୨୧ ଡିସେମ୍ବରରେ କରାଚୀରେ ଖେଳାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.