ଫିଫା ବିଶ୍ୱକପ ଖେଳାଳିଙ୍କ ଘରୁ ଲୁଟିନେଲେ ଚୋର, ବିଶ୍ୱକପ ଅଧାରୁ ଘରକୁ ଗଲେ ଖେଳାଳି

କେନ୍ୟୁଜ୍ ବ୍ୟୁରୋ: ଫିଫା ବିଶ୍ୱକପ ୨୦୨୨ ଏବେ ଅନ୍ତିମ ସୋପାନ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଜଣେ ଖେଳାଳିଙ୍କ ଘରେ ଗୋଟିଏ ଅଭାବନୀୟ ଘଟଣା ଘଟିଛି । ଯହା ଫଳରେ ତାଙ୍କୁ ଟୁର୍ଣ୍ଣାମେଣ୍ଟ ଛାଡ଼ି ଯିବାକୁ ପଡ଼ିଛି । ଏହି ଘଟଣାଟି ଘଟିଛି ଇଂଲଣ୍ଡର ଖେଳାଳି ରହିମ ଷ୍ଟେର୍ଲିଙ୍ଗ୍ଙ୍କ ଘରେ । ସେ ଫିଫା ବିଶ୍ୱକପରେ ଖେଳରେ ବ୍ୟସ୍ତ ଥିବା ବେଳେ ତାଙ୍କର ଇଂଲଣ୍ଡ ସ୍ଥିତ ନିଜ ଘରେ ଚୋର ପସି ଲୁଟ୍ପାଟ ୁକରିଛନ୍ତି । ଏହି ଘଟଣା ଶୁଣି ସେ ଚାଲିଯିବା ପରେ ଦଳକୁ ଏକ ଝଟ୍କା ଲାଗିଛି । କାରଣ ରହିମ ଖେଳକୁ ମଝିରେ ଛାଡ଼ି ଚାଲି ଯାଇଛନ୍ତି ।
ରବିବାର ଦିନ ଖେଳା ଯାଉଥିବା ମ୍ୟାଚ୍ରେ ଇଂଲଣ୍ଡ ସେନେଗାଲକୁ ୩-୦ରୁ ପରାଜିତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । କିନ୍ତୁ ଏହି ଖେଳରେ ରହିମ ଷ୍ଟାର୍ଲିଙ୍ଗ୍ ଭାଗ ନେଇ ନାହାଁନ୍ତି । ସେ ଏହି ଖବର ଶୁଣିବା ପରେ ତୁରନ୍ତ ତାଙ୍କ ଘରକୁ ଯାଇଛନ୍ତି ତାଙ୍କ ଘରେ ପରିବାର ଲୋକ ଉପସ୍ଥିତ ଥିବା ବେଳେ ସଶସ୍ତ୍ର ଡକାୟତ ତାଙ୍କ ଘରେ ପସିଥିଲେ ଯାହା ଦ୍ୱାରା ପରିବାର ଲୋକ ଫସି ରହିଥିଲେ ।
ଇଂଲଣ୍ଡର କୋଚ୍ ଗେରେଥ ସାଉଥଗେଟ୍ କହିଛନ୍ତି ପୁରା ଟିମ୍ ରହିମଙ୍କର ଏହି ଦଃୁଖ ସମୟରେ ତାଙ୍କ ସହିତ ରହିଛି । ଏହି ପରି ଘଡ଼ିସନ୍ଧି ମୁହୂର୍ତ୍ତରେ ରହିମ୍ଙ୍କୁ ତାଙ୍କର ପରିବାର ସହିତ ରହିବା ନିହାତି ଦରକାର । ବିଶେଷ ସୂତ୍ରରୁ ଖବର ମିଳିଛି ଯେ ଡକାୟତମାନେ ରହିମଙ୍କ ଘରୁ ପାଖା ପାଖି ୩ଲକ୍ଷ ପାଉଣ୍ଡର ଘଡ଼ି ଚୋରି କରି ନେଇଛନ୍ତି । କିନ୍ତୁ, ପୋଲିସ ଏବଂ ଇଂଲଣ୍ଡ ଟିମ୍ ତରଫରୁ କୌଣସି ଖବର ବିଧିବଦ୍ଧ ଭାବେ ମିଳି ନାହିଁ । କେବଳ ପରିବାର ଲୋକେ ସୁରକ୍ଷିତ ଥିବାର ଖବର ଆସିଛି ।
ଚଳିତ ସଂସ୍କରଣରେ ଇଂଲଣ୍ଡ ଟିମ୍ ଜବରଦସ୍ତ ପଦର୍ଶନ ଜାରି ରଖଛି । ଟିମ୍ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ପକ୍କା କରି ସାରିଛି । ବର୍ତ୍ତମାନ ପ୍ରି-କ୍ୱାର୍ଟର ଫାଇନାଲରେ ୧୬ଟି ଟିମ୍ରୁ ୪ଟି ଟିମ୍ କ୍ୱାର୍ଟର ଫାଇନାଲକୁ ଯାଇ ସାରିଛନ୍ତି । କ୍ୱାର୍ଟର ଫାଇନାଲକୁ ଯାଇଥିବା ୪ଟି ଟିମ୍ ଭିତରେ ଇଂଲଣ୍ଡ ମଧ୍ୟ ନିଜକୁ ସେହି ତାଲିକାରେ ଯୋଡ଼ିଛି । କ୍ୱାର୍ଟରରେ ଯୋଡ଼ିଥିବା ଟିମ୍ ହେଲେ ନେଦରଲାଣ୍ଡସ, ଇଂଲଣ୍ଡ, ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ । ଇଂଲଣ୍ଡ ଏବେ କ୍ୱାର୍ଟର ଫାଇନାଲରେ ଫ୍ରାନ୍ସକୁ ଭେଟିବ ।