ନୀରଜ ଚୋପ୍ରାଙ୍କ ଅଜବ ଫ୍ୟାନ୍, ଦୁଇବର୍ଷରେ ୨୨ ହଜାର କିମି ସାଇକେଲ ଚଲାଇ ପହଞ୍ଚିଲେ ପ୍ୟାରିସ

ଟୋକିଓ ଅଲିମ୍ପିକ୍ସ ଭଳି ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିବାକୁ ସମସ୍ତ ପ୍ରସ୍ତୁତି କରିସାରିଛନ୍ତି ନୀରଜ ଚୋପ୍ରା । ଫ୍ୟାନ୍ସ ପ୍ୟାରିସ ଅଲିମ୍ପିକ୍ସରେ ନୀରଜଙ୍କ ଖେଳକୁ ଅପେକ୍ଷା କରି ରହିଛନ୍ତି । ନୀରଜ ଚୋପ୍ରାଙ୍କ କ୍ୱାଲିଫିକେସନ ରାଉଣ୍ଡ ୬ ଅଗଷ୍ଟରେ ରହିଛି । ଏହାପୂର୍ବରୁ ଜଣେ ଭାରତୀୟ ଫ୍ୟାନ୍ ନୀରଜଙ୍କୁ ଉତ୍ସାହିତ କରିବା ପାଇଁ ପ୍ୟାରିସ ପହଞ୍ଚିଛନ୍ତି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା, ଫ୍ୟାନ୍ ଜଣକ ବିମାନରେ ନୁହେଁ ନିଜ ସାଇକେଲରେ ପ୍ୟାରିସ ପହଞ୍ଚିଛନ୍ତି । ୨୨ ହଜାର କିମି ଯାତ୍ରା କରି ଫ୍ୟାନ୍ ଜଣକ ପ୍ୟାରିସରେ ପହଞ୍ଚିଛନ୍ତି ।
ନୀରଜଙ୍କ ଫ୍ୟାନ୍ଙ୍କ ନାମ ଫାୟିସ ଅସରଫ ଅଲ୍ଲୀ । ଫାୟିସ ୨୦୨୨ ଅଗଷ୍ଟରୁ ନିଜର ଯାତ୍ରା ଆରମ୍ଭ କରିଥିଲେ । ସେ ୧୭ଟି ଦେଶ ଭ୍ରମଣ କରି ପ୍ୟାରିସରେ ପହଞ୍ଚିବାକୁ ତାଙ୍କୁ ୨ ବର୍ଷ ଲାଗିଛି । ତାଙ୍କର ଉଦ୍ଦେଶ୍ୟ ହେଉଛି, ଭାରତରୁ ଲଣ୍ଡନ ପର୍ଯ୍ୟନ୍ତ ସାଇକେଲ ଚଲାଇ ଶାନ୍ତି ଏବଂ ଏକତା ବଜାୟ ରଖିବା । ଅଗଷ୍ଟ ୧, ୨୦୨୩ରେ ଫାୟିସ ବୁଦାପେଷ୍ଟରେ ପହଞ୍ଚିବା ବେଳେ ନୀରଜ ଚୋପ୍ରା ସେଠାରେ ଅଛନ୍ତି ବୋଲି ଜାଣିବାକୁ ପାଇଥିଲେ । ତେଣୁ ତାଙ୍କ ସାକ୍ଷାତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ।
ସେତେବେଳେ ନୀରଜ ତାଙ୍କ ସହିତ ସାକ୍ଷାତ କରି ପରାମର୍ଶ ଦେଇଥିଲେ କି, ଯଦି ତୁମେ ଲଣ୍ଡନ ଯାଉଛ, ତେବେ ପ୍ୟାରିସ ଯାଇପାରିବ ଏବଂ ଅଲିମ୍ପିକ୍ସ ମଧ୍ୟ ଦେଖ । ନୀରଜଙ୍କ ପରାମର୍ଶ ମାନି ଫାୟିସ ପ୍ଲାନ ପରିବର୍ତ୍ତନ କରି ପ୍ୟାରିସ ଅଲିମ୍ପିକ୍ସ ଯିବାକୁ ଯୋଜନା କରିଥିଲେ । ସେ ଭିସା ଆଣିବା ପରେ ପ୍ରଥମେ ବ୍ରିଟେନ ଓ ପରେ ପ୍ୟାରିସ ଯାଇଥିଲେ ।
କେରଳର କାଲ୍ଲିକଟର ଫାୟିସ ଦୁଇ ବର୍ଷରେ ୨୨ ହାଜର କିମିରୁ ଅଧିକ ବାଟ ସାଇକେଲ ଚଲାଇସାରିଲେଣି । ଏହି ଯାତ୍ରାରେ ସେ ୩୦ ଦେଶ ଅତିକ୍ରମ କରି ପ୍ୟାରିସରେ ପହଞ୍ଚିଛନ୍ତି । ଏହାପରେ ଫାୟିସ ପ୍ୟାରିସରେ ପହଞ୍ଚିଛନ୍ତି । ନିଜର ଇନଷ୍ଟାଗ୍ରାମରେ ଏଫିଲ ଟାଓ୍ଵାର ସାମ୍ନାରେ ଫଟୋ ସେୟାର କରିଛନ୍ତି ।
ଫାୟିସ ନିଜ ଯାତ୍ରା ସମୟରେ ୫୦ କେଜିର ଜିନିଷ ରଖିଛନ୍ତି । ସାଇକେଲରେ ନିଜର ପୋଷାକ, ଏକ ଟେଣ୍ଟ, ସ୍ଲିପିଂ ବ୍ୟାଗ ଏବଂ ଏକ ଚଟାଇ ରହିଛି । ସେ ହୋଟେଲରେ ରହିବା ପରିବର୍ତ୍ତେ ରାସ୍ତାରେ ଭଲ ସ୍ଥାନ ଦେଖି ଟେଣ୍ଟ କରି ରହିଯାଆନ୍ତି ।
ତେବେ ୟାସିଫ ଅସରଫ ନିଜ ଯାତ୍ରା ସମୟରେ ଅନେକ ସମସ୍ୟାକୁ ସାମ୍ନା କରିଛନ୍ତି । କିନ୍ତୁ କେବେ ବି ଆତ୍ମବିଶ୍ୱାସ ହରାଇନାହାନ୍ତି । ୩୦ ଦେଶ ଭ୍ରମଣ କରିବା ସମୟରେ ଅନେକ ଲୋକଙ୍କ ସହିତ ସାକ୍ଷାତ କରିଛନ୍ତି । ତେବେ ୟାସିଫଙ୍କ ଏଭଳି ଯାତ୍ରାକୁ କ୍ରିସ ଗେଲ, ହରଭଜନ ସିଂ, ସୁରେଶ ରାଇନା ଭଳି କ୍ରିକେଟ ଷ୍ଟାର ପ୍ରଶଂସା କରିଛନ୍ତି ।