ଫିଫା ବିଶ୍ୱକପ ୨୦୨୨: ନେମାରଙ୍କ ଦମ୍ଦାର ପ୍ରଦର୍ଶନ , କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ବ୍ରାଜିଲ

କେନ୍ୟୁଜ୍ ବ୍ୟୁରୋ: କତାରରେ ଚାଲିଥିବା ଫିଫା ବିଶ୍ୱକପ ୨୦୨୨ରେ ଚମତ୍କାର ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ୫ଥର ବିଶ୍ୱ ବିଜେତା ବ୍ରାଜିଲ । ସୋମବାର ଡିସେମ୍ବର ୬ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖେଳା ଯାଉଥିବା ମ୍ୟାଚ୍ରେ ଦକ୍ଷିଣ କୋରିଆକୁ ହରାଇ କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । କତାରରେ ଷ୍ଟାଡିୟମ ୯୭୪ରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ବ୍ରାଜିଲ ଦକ୍ଷିଣ କୋରିଆକୁ ୪-୧ରେ ପରାଜିତ କରି କ୍ୱାର୍ଟରରେ ପହଞ୍ଚିଛି । କ୍ୱାର୍ଟର ଫାଇନାଲରେ ବ୍ରାଜିଲ ଗତ ଥର ଉପବିଜେତା କ୍ରୋଏସିଆକୁ ଭେଟିବ । ସାନ୍ଦାର ପ୍ରଦର୍ଶନ କରି ବ୍ରାଜିଲ ଖେଳାଳି ନେମାର ମ୍ୟାଚ୍ର ହିରୋ ହୋଇଯାଛନ୍ତି । ଆହତ ସମସ୍ୟା କାରଣରୁ ନେମାର ଗତ ଦୁଇଟି ମ୍ୟାଚ୍ରେ ଭାଗ ନେଇ ପାରି ନଥିଲେ । ନେମାର ଏହି ମ୍ୟାଚ୍ରେ ଗୋଟିଏ ଗୋଲ୍ ଏବଂ ଗୋଟିଏ ଆସିଷ୍ଟ କରିଥିଲେ । ନେମାରଙ୍କ ଛଡ଼ା ଏହି ମ୍ୟାଚ୍ରେ ବିନିସିୟସ ଜୁନିୟର, ରିଚାର୍ଲିସନ ଏବଂ ଲୁକାସ ପେକ୍ୱେଟା ମଧ୍ୟ ବ୍ରାଜିଲ ପାଇଁ ଗୋଲ୍ ଦେବାରେ ସକ୍ଷମ ହୋଇଥିଲେ । ସୂଚନା ଅନୁସାରେ ବ୍ରାଜିଲ ତରଫରୁ ଏହା ନେମାରଙ୍କର ୭୬ତମ ଗୋଲ । ନେମାର ଆଉ ଦୁଇଟି ଗୋଲ୍ କଲେ ବ୍ରାଜିଲର କିମ୍ବଦନ୍ତୀ ଖେଳାଳି ପେଲେଙ୍କ ୭୭ଟି ଗୋଲ୍ ରେକର୍ଡର ସକ୍ଷମ ହେବେ । ଅନ୍ୟ ପକ୍ଷରେଏହି ୨ଟି ଗୋଲ୍ ସହାୟତାରେ ବ୍ରାଜିଲର ସବୁଠାରୁ ଅଧିକ ଗୋଲ ମାରିଥିବା ଖେଳାଳି ହୋଇଯିବେ ।
କେମିତି ରହିଥିଲା ବ୍ରାଜିଲ- ସାଉଥ କୋରିଆ ମ୍ୟାଚ୍ :
ଖେଳ ଆରମ୍ଭରୁ ବ୍ରାଜିଲ ଦକ୍ଷିଣ କୋରିଆ ଉପରେ ଚାପ ପକାଇ ରଖିଥିଲା । ଦେଖୁ ଦେଖୁ ମାତ୍ର ୭ ମିନିଟ୍ରେ ବ୍ରାଜିଲ ତାର ପ୍ରଥମ ଗୋଲ ଦେଇଥିଲା । ଏହି ଗୋଲ୍ ଟି ରାଫିନ୍ହାଙ୍କର କ୍ରସ୍ ଶଟ୍କୁ ଗୋଲ୍ରେ ରୂପାନ୍ତରିତ କରି ଦେଇଥିଲେ ବ୍ରାଜିଲ ଖେଳାଳି ବିନିସିୟସ । ବ୍ରାଜିଲ ଏତେ ଆକ୍ରମଣାତ୍ମକ ଢଙ୍ଗରେ ଖେଳୁଥିଲା ଯେ, ପ୍ରଥମ ଗୋଲର ମାତ୍ର ୬ ମିନିଟ୍ ପରେ ପୁଣି ଗୋଲ୍ ଦେଇଥିଲା । ଏଥର ଆଉ କେହି ନୁହେଁ ମ୍ୟାଚ୍ର ହିରୋ ନେମାର ଏକ ପେନାଲ୍ଟି ଶଟ୍ରେ ଗୋଲ୍ କରିଥିଲେ । ଏହି ଗୋଲ୍ ସହାୟତାରେ ବ୍ରାଜିଲ ୨-୦ରେ ଆଗରେ ଥିଲା । ଏହି ପେନାଲ୍ଟି କିକ୍ ମିଳିବାର କାରଣ ହେଉଛି ଦକ୍ଷିଣ କୋରିଆର ଜଙ୍ଗ୍ ବୁ ୟଙ୍ଗ୍ ରିଚାର୍ଲିସନ୍ଙ୍କୁ ପେନାଲ୍ଟି ଅଞ୍ଚଳରେ କଚାଡ଼ି ଦେଇଥିଲେ । ଏହି ପରି ଭାବରେ ବ୍ରାଜିଲ ବିନା ବାଧାରେ ଆଗକୁ ମାଡ଼ି ଚାଲିଥାଏ । ପୁଣି ୨୯ ମିନିଟ୍ରେ ରିଚାର୍ଲିସନ୍ ଥିୟାଗୋ ସିଲ୍ବାଙ୍କର ଏକ ପାସ୍କୁ ଗୋଲ୍ ପୋଷ୍ଟକୁ ପଠାଇ ଦେଇଥିଲେ । ଏହି ଗୋଲ୍ ସହାୟତାରେ ବ୍ରାଜିଲ ୩-୦ରେ ଆଗରେ ରହିଥାଏ । ବ୍ରାଜିଲ ୩ଟି ଗୋଲ୍ରେ ଆଗରେ ଥିଲେ ମଧ୍ୟ ଗୋଲ୍ ଧାରା ବନ୍ଦ କରୁ ନଥାଏ । ପୁଣି ୭ ମିନିଟ୍ ପରେ ଲୁକାସ ପେକ୍ୱେଟା ଆଉ ଗୋଟେ ଗୋଲ ଦେଇ ଦକ୍ଷିଣ କୋରିଆକୁ ପୁରା ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ । ଏହି ୪ଟି ଗୋଲ ବ୍ୟବଧାନ ଏକ ପ୍ରକାର ଅସମ୍ଭବ ମନେ ହେଉଥିଲା ଦକ୍ଷିଣ କେରିଆ ପାଇଁ । ଏହି ଗୋଲ ସହିତ ପ୍ରଥମାର୍ଦ୍ଧ ଖେଳ ଶେଷ ହୋଇଥିଲା ।
ପ୍ରଥମାର୍ଦ୍ଧରେ ୪-୦ରେ ଆଗରେ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଆରାମରେ ଖେଳିଥିଲା ବ୍ରାଜିଲ ଟିମ୍ । ଦ୍ୱିତୀୟାର୍ଦ୍ଧ ଖେଳରେ ବ୍ରାଜିଲ ମଧ୍ୟ ଗୋଲ୍ ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଦକ୍ଷିଣ କୋରିଆ ଗୋଲ୍ କିପର ସେୟୁଙ୍ଗ ଗ୍ୟୁ ବ୍ରାଜିଲକୁୁ ପ୍ରତିହତ କରିବାରେ ସକ୍ଷମ ହୋଇଥିଲେ । ପ୍ରଥମାର୍ଦ୍ଧ ଖେଳ ତୁଳନାରେ ଦ୍ୱିତୀୟାର୍ଦ୍ଧାରେ ଦକ୍ଷିଣ କୋରିଆ ବହୁତ ଭଲ ପ୍ରଦର୍ଶନ କରିଥିଲା । ଦ୍ୱିତୀୟାର୍ଦ୍ଧରେ ଦକ୍ଷିଣ କୋରିଆ ବି ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲା ଏବଂ ଏହାର ଫଳାଫଳ ମଧ୍ୟ ଆସିଥିଲା । ପାଇକ ସେଉଙ୍ଗ୍-ହୋ ୭୬ ମିନିଟ୍ରେ ଗୋଲ୍ ଦେଇ ଦକ୍ଷିଣ କୋରିଆ ପାଇଁ ଖାତା ଖୋଲିଥିଲେ । ଏହି ଗୋଟିଏ ଗୋଲ୍ କୋରିଆର ପରାଜୟର ଗୋଲ୍ ଅନ୍ତର କିଛି କମିଛି ।
ନେମାରଙ୍କ ଦମ୍ଦାର ପ୍ରଦର୍ଶନ , କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ବ୍ରାଜିଲ
Brazil progress to the Quarter-finals! 🇧🇷@adidasfootball | #FIFAWorldCup
— FIFA World Cup (@FIFAWorldCup) December 5, 2022
ଏସିଆ ଟିମ୍ମାନଙ୍କର ଯାତ୍ରା ଶେଷ:
ଦକ୍ଷିଣ କୋରିଆ ବ୍ରାଜିଲଠାରୁ ପରାଜିତ ହେବା ପରେ ଏସିଆନ ଟିମ୍ମାନଙ୍କର ଯାତ୍ରା ଶେଷ ହୋଇଛି । ଏହା ପୂର୍ବରୁ ଜାପାନ ଏବଂ ଅଷ୍ଟ୍ରେଲିଆ ପ୍ରି-କ୍ୱାର୍ଟର ଫାଇନାଲରେ ହାରିଥିବା ବେଳେ ଏବେ ଶେଷ ଟିମ୍ ବ୍ରାଜିଲ ମଧ୍ୟ ବିଶ୍ୱକପରୁ ବାଦ ପଡ଼ିଛି । ଯାହା ଫଳରେ ଏସିଆନ ଟିମ୍ (AFC) ର ଯାତା ବିଶ୍ୱକପରୁ ଶେଷ ହୋଇଯାଇଛି । ଏସିଆନ ଟିମ୍ ଭାବରେ ଜାପାନ କ୍ରୋଏସିଆ ଠାରୁ ପେନାଲ୍ଟି ଶୁଟ୍ ଆଉଟ୍ରେ ୩-୧ରେ ପରାଜିତ ହୋଇଥିଲା ଏବଂ ଅଷ୍ଟ୍ରେଲିଆ ଆର୍ଜେଣ୍ଟିନା ପାଖରୁ ୨-୦ରେ ପରାସ୍ତ ହୋଇ ବିଶ୍ୱକପରୁ ବାଦ ପଡ଼ିଥିଲା । ଏମାନଙ୍କ ବ୍ୟତୀତ ସାଉଦି ଆରବ, ଇରାନ ଏବଂ କତର ଟିମ୍ ଗ୍ରୁପ୍ ଷ୍ଟେଜ୍ରୁ ହିଁ ଆଗକୁ ବଢ଼ି ପରି ନଥିଲେ ।