ଫିଫା ବିଶ୍ୱକପ : କ୍ରୋଏସିଆଠୁ କ୍ୱାର୍ଟରଫାଇନାଲରେ ହାରିଲା ବ୍ରାଜିଲ, ସେମିରେ ଭେଟିବେ କ୍ରୋଏସିଆ ଓ ଆର୍ଜେଣ୍ଟିନା

ଫିଫା ବିଶ୍ୱକପରୁ ବ୍ରାଜିଲ ବିଦା । ସେମିଫାଇନାଲରେ କ୍ରୋଏସିଆ । ଗତକାଲି ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ କ୍ୱାର୍ଟରଫାଇନାଲରେ ପେନାଲଟି ସୁଟ୍‌ଆଉଟ୍‌ରେ ୫ଥରର ବିଜେତା ବ୍ରାଜିଲ ବିଦା ହୋଇଛି । ୨୦୧୮ର ଉପବିଜେତା କ୍ରୋଏସିଆ ୪-୨ରେ ବ୍ରାଜିଲକୁ ପରାସ୍ତ କରିଛି । ବ୍ରାଜିଲ ଶେଷ ୫ଟି ବିଶ୍ୱକପ କ୍ୱାର୍ଟରଫାଇନାଲରୁ ୪ଟିରେ ହାରିଛି ।

ଏପଟେ ନେମାର ବ୍ରାଜିଲ ପାଇଁ ସର୍ବାଧିକ ୭୭ଟି ଗୋଲ କରି ପେଲେଙ୍କ ସମକକ୍ଷ ହୋଇଛନ୍ତି । ଏପରିକି ବିଶ୍ୱକପରେ ତାଙ୍କର ଗୋଲ ସଂଖ୍ୟା ୮ରେ ପହଞ୍ଚିଛି । ଗତକାଲି ମ୍ୟାଚରେ ପ୍ରଥମାର୍ଦ୍ଧ ସୁଦ୍ଧା କୌଣସି ଗୋଲ ହୋଇନଥିଲା । ଦ୍ୱିତୀୟାର୍ଦ୍ଧରେ କ୍ରୋଏସିଆ ଦୁଇଥର ପେନାଲଟି ପାଇଁ ଆବେଦନ କରିଥିଲେ ବି ତାହା ଖାରଜ ହୋଇଥିଲା । ନିର୍ଧାରିତ ସମୟ ଗୋଲଶୂନ୍ୟ ରହିବାରୁ ଅତିରିକ୍ତ ସମୟକୁ ମ୍ୟାଚ ଚାଲିଯାଇଥିଲା । ୧୦୫ ତମ ମ୍ୟାଚରେ ଡିନିଲୋ ଗୋଲ ମିସ କରିବାର ଗୋଟିଏ ମିନିଟ ପରେ ନେମାର ଗୋଲ ଦେଇଥିଲେ । ତେବେ ୧୧୭ ମିନିଟରେ କ୍ରୋଏସିଆ ଗୋଲ ଦେଇଥିଲା । ଅତିରିକ୍ତ ସମୟ ୧-୧ରେ ବରାବର ରହିବାରୁ ସୁଟଆଉଟରେ ଫଳାଫଳ ନିର୍ଦ୍ଧାରଣ ହୋଇଥିଲା ।

ଏପଟେ ୩ ଥରର ଉପବିଜେତା ନେଦରଲାଣ୍ଡସ୍‌ ଚଳିତ ବିଶ୍ୱକପରୁ ବାଦ ପଡିଛି । କ୍ୱାର୍ଟରଫାଇନାଲରେ ୨ଥରର ବିଜେତା ଆର୍ଜେଣ୍ଟିନା ନେଦରଲାଣ୍ଡସ୍‌କୁ ସୁଟଆଉଟରେ ୪-୩ରେ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟରେ ୨-୨ ଗୋଲରେ ବରାବର ରହିବାରୁ ଫଳାଫଳ ପାଇଁ ମ୍ୟାଚ ଅତିରିକ୍ତ ସମୟ ଖେଳାଯାଇଥିଲା । ୩୦ ମିନିଟ ଅତିରିକ୍ତ ସମୟ ଗୋଲ ଶୂନ୍ୟ ରହିଥିଲା । ଶେଷରେ ସୁଟଆଉଟରେ ବାଜି ମାରିଥିଲା ଆର୍ଜେଣ୍ଟିନା । ଆସନ୍ତା ମଙ୍ଗଳବାର ସେମିରେ କ୍ରୋଏସିଆ ସହ ଆର୍ଜେଣ୍ଟିନାର ମୁକାବିଲା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.