ଆଜି ଫିଫା ବିଶ୍ୱକପରେ ଦୁଇଟି ମୁକାବିଲା, ଟପ୍‌ ୮ ଉପରେ ରୋନାଲ୍ଡୋଙ୍କ ନଜର

କେନ୍ୟୁଜ୍‌ ବ୍ୟୁରୋ: ଫିଫା ବିଶ୍ୱକପରେ କ୍ୱାର୍ଟର ଫାଇନାଲ ଲଢ଼େଇ ଆରମ୍ଭ ହେବାକୁ ଯାଉଥିବା ବେଳେ ମଙ୍ଗଳବାର ଦିନ ୧୬ ରାଉଣ୍ଡରେ ଅନ୍ତିମ ଦୁଇଟି ମ୍ୟାଚ୍‌ ହେବାକୁ ଯାଉଛି । ଟପ୍‌ ୮ରେ ଜାଗା ପକ୍କା କରିବା ପାଇଁ ଜୋର ସୋରରେ କସରତ କରିବେ ଚାରି ଟିମ୍‌ । ପ୍ରଥମ ମୁକାବିଲାରେ ସ୍ପେନ ଓ ମରକ୍କୋ ଏବଂ ଦ୍ୱିତୀୟ ମୁକାବିଲାରେ ପର୍ତ୍ତୁଗାଲ ଓ ସ୍ୱିଜରଲାଣ୍ଡ ମୁହାଁମୁହିଁ ହେବେ । ପ୍ରଶଂସକମାନଙ୍କର ଅଧିକ ନଜର ରହିବ ପର୍ତ୍ତୁଗାଲ ଏବଂ ସ୍ୱିଜରଲାଣ୍ଡ ମୁକାବିଲା ଉପରେ କାରଣ ଏହି ବିଶ୍ୱକପ ହେଉଛି ପର୍ତ୍ତୁଗାଲର ଷ୍ଟାର ପ୍ଲେୟାର କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କର ଶେଷ ବିଶ୍ୱକପ । ସେ ତାଙ୍କ ଟିମ୍‌କୁ କ୍ୱାର୍ଟର ଫାଇନାଲ ଜିତାଇ ବିଶ୍ୱକପ ବିଜେତା କରାଇବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ ।

ପ୍ରଥମ ମୁକାବିଲା ସ୍ପେନ ଓ ମରକ୍କୋ ମଧ୍ୟରେ ହେବାକୁ ଯାଉଥିବା ବେଳେ ସ୍ପେନ ତାର ପୂର୍ବ ମ୍ୟାଚ୍‌ରେ ଜାପାନ ଠାରୁ ହାରିଥିଲା । ଜପାନ ସ୍ପେନକୁ ୨-୧ରେ ପରାଜିତ କରିଥିଲା । ଅବଶ୍ୟ ଏବେ ଜାପାନ କ୍ରୋଏସିଆ ପାଖରୁ ହାରି ବିଶ୍ୱକପରୁ ବାଦ ପଡ଼ି ସାରିଛି । ଏହା ଭିତରେ ସ୍ପେନ ମଧ୍ୟ ଦାବି କରିଛି ଆମେ ମରକ୍କୋ ସହିତ ଟକ୍କର ଦେବା ପାଇଁ ପୁରା ପୁରି ପ୍ରସ୍ତୁତ ଅଛୁ । ଏମିତି କି ଯଦି ପେନାଲ୍‌ଟି ଶୁଟ୍‌ ଆଉଟ୍‌ ଖେଳିବାକୁ ପଡ଼େ ତେବେ ମଧ୍ୟ ଆମେ ପ୍ରସ୍ତୁତ ଅଛୁ ।

ଅନ୍ୟପଟରେ ପର୍ତ୍ତୁଗାଲର ମୁକାବିଲା ସ୍ୱିଜରଲାଣ୍ଡ ସହିତ ହେଉଛି । ଅନ୍ତିମ ମ୍ୟାଚ୍‌ରେ ପର୍ତ୍ତୁଗାଲ ମଧ୍ୟ ଦକ୍ଷିଣ କୋରିଆ ଠାରୁ ୧-୨ ବ୍ୟବଧାନରେ ପରାଜିତ ହୋଇ ଆସିଛି । ହେଲେ ଦକ୍ଷିଣ କୋରିଆ ୧୬ ରାଉଣ୍ଡରେ ବ୍ରାଜିଲଠାରୁ ପରାଜିତ ହୋଇ ବିଶ୍ୱକପରୁ ବାଦ ପଡ଼ିଛି । ଏହି ମ୍ୟାଚ୍‌ ପର୍ତ୍ତୁଗାଲ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ରୋନାଲ୍ଡୋଙ୍କୁ ଏକ ସୁଖଦ ବିଦାୟ ଦେବା ପାଇଁ ହେଲେ ଟିମ୍‌କୁ ଏହି ମ୍ୟାଚ୍‌ ଜିତିବାକୁ ପଡ଼ିବ । ନ ହେଲେ ରୋନାଲ୍ଡୋଙ୍କର ବିଶ୍ୱକପ ଜିତିବା ସ୍ୱପ୍ନ ଅଧା ରହିଯିବ ।

ଆଜିର ରାଉଣ୍ଡ-୧୬ ମ୍ୟାଚ୍‌:

• ମରକ୍କୋ ବନାମ ସ୍ପେନ, ରାତି ୮.୩୦
• ପର୍ତ୍ତୁଗାଲ ବନାମ ସ୍ୱିଜରଲାଣ୍ଡ, ରାତି ୧୨.୩୦

କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ତାଲିକା:

• ୯ ଡିସେମ୍ବର- ବ୍ରାଜିଲ ବନାମ କ୍ରୋଏସିଆ, ୮.୩୦
• ୧୦ ଡିସେମ୍ବର- ନେଦରଲାଣ୍ଡସ ବନାମ ଆର୍ଜେଣ୍ଟିନା, ୧୨.୩୦
• ୧୦ ଡିସେମ୍ବର- ସ୍ଥିର ହୋଇନାହିଁ
• ୧୧ ଡିସେମ୍ବର ଇଂଲଣ୍ଡ ବନାମ ଫ୍ରାନ୍ସ, ୧୨.୩୦

Leave A Reply

Your email address will not be published.