ବ୍ୟାଡମିଣ୍ଟନ ଷ୍ଟାର ଲକ୍ଷ୍ୟ ସେନଙ୍କ ନାମରେ ମାମଲା, ବୟସ ଜାଲିଆତି କରିଥିବା ଅଭିଯୋଗ

ଦେଶର ଏକ ନମ୍ୱର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବେଙ୍ଗାଲୁରୁରେ ଏହି ମାମଲା ଦାଏର ହୋଇଛି । ଲକ୍ଷ୍ୟ ସେନଙ୍କ ଉପରେ ବୟସ ଜାଲିଆତି କରିଥିବା ଅଭିଯୋଗ ହୋଇଛି । ଏଫଆଇଆରରେ ତାଙ୍କ ଏକାଡେମୀ(ପ୍ରକାଶ ପାଦୁକୋନ ଏକାଡେମୀ)ର କୋଚ ବିମଲ କୁମାର, ବାପା ଧିରେନ୍ଦ୍ର ସେନ, ମାଆ ନିର୍ମଳା ଏବଂ ଭାଇ ଚିରାଗଙ୍କ ନାଁ ସାମିଲ ରହିଛି । ଚିରାଗ ମଧ୍ୟ ଜଣେ ବ୍ୟାଡମିଣ୍ଟନ ଖେଳାଳି ।
ସୂଚନା ଅନୁସାରେ, ବେଙ୍ଗାଲୁରୁରେ ବ୍ୟାଡମିଣ୍ଟନ ଏକାଡେମୀ ପରିଚାଳନା କରୁଥିବା ନାଗରାଜ ଏମଜିଙ୍କ ଅଭିଯୋଗରେ ପରେ ଏହି ମାମଲା ରୁଜୁ କରାଯାଇଛି । ନାଗରାଜାଙ୍କ ଅଭିଯୋଗ ଅନୁସାରେ, ୨୦୧୦ରେ ଲକ୍ଷ୍ୟ ସେନଙ୍କ କୋଚ୍ ଏବଂ ତାଙ୍କ ବାପା-ମାଆ ମିଛ ଜନ୍ମ ପ୍ରମାଣପତ୍ର କରିଥିଲେ । ଏହି କାରଣରୁ ଲକ୍ଷ୍ୟଙ୍କ ବୟସ ଅଧିକ ହେବା ପରେ ମଧ୍ୟ ଭିନ୍ନ ଭିନ୍ନ ବୟସ ବର୍ଗରେ ଖେଳି ପାରୁଛନ୍ତି । ଲକ୍ଷ୍ୟ ସେନଙ୍କ ଜନ୍ମ ୨୦୦୧ରେ ହୋଇଥିଲା କିନ୍ତୁ ନାଗରାଜଙ୍କ କହିବା ଅନୁସାରେ ୧୯୯୮ରେ ଲକ୍ଷ୍ୟ ଜନ୍ମ ହୋଇଥିଲେ । ଆଇପିସିର ଧାରା ୪୨୦, ୪୬୮, ଏବଂ ୪୭୧ରେ ମାମଲା ରୁଜୁ କରାଯାଇଛି । ପୋଲିସ ବର୍ତ୍ତମାନ ଏହି ମାମଲାର ତଦନ୍ତ ଜାରି ରଖିଛି ।
ଲକ୍ଷ୍ୟ ସେନ ପୁରୁଷ ସିଙ୍ଗଲ୍ସରେ ବିଶ୍ୱର ଷଷ୍ଠ ନମ୍ୱର ଖେଳାଳି । ସେ ଗତ ୨ ବର୍ଷରେ ଦେଶ ପାଇଁ ପ୍ରତିଟି ବଡ଼ ଟୁର୍ଣ୍ଣାମେଣ୍ଟରେ ପଦକ ଜିତିଛନ୍ତି । ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘ ଅନୁସାରେ ୨୦୦୧ ଅଗଷ୍ଚ ୧୬ରେ ଜନ୍ମ ହୋଇଥିବା ଲକ୍ଷ୍ୟ ସେନଙ୍କ ବୟସ ଏବେ ୨୧ ବର୍ଷ। ତେବେ ଲକ୍ଷ୍ୟଙ୍କ କୋଚ ବିମଲ କୁମାର ଅଭିଯୋଗକୁ ଖାରଜ କରି କହିଛନ୍ତି, ମୁଁ ଜାଣିନାହିଁ କି, ଅଭିଯୋଗ କ’ଣ ପାଇଁ ହୋଇଛି। ଏଥିରେ ମୋର କୌଣସି ଭୂମିକା ନାହିଁ। ୨୦୧୦ରେ ଲକ୍ଷ୍ୟ ଏକାଡେମୀକୁ ଆସିଥିଲେ ଆଉ ମୁଁ ସବୁ ପିଲାଙ୍କ ଭଳି ତାଙ୍କୁ ମଧ୍ୟଟ୍ରେନ କରିଛି । କିଏ କ’ଣ କହୁଛି, ମୋତେ କିଛି ଫରକ ପଡୁନାହିଁ ।
ଲକ୍ଷ୍ୟ ସେନ ଚଳିତ ବର୍ଷ ବର୍ମିଘଂମରେ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଗତ ନଭେମ୍ୱର ୩୦ରେ ତାଙ୍କୁ ରାଷ୍ଟ୍ରପତି ଭବନରେ ଅର୍ଜୁନ ସମ୍ମାନରେ ସମ୍ମାନିତ କରାଯାଇଥିଲା।