ମେଲବୋର୍ଣ୍ଣ ଟେଷ୍ଟ : ଫଲୋଅନ୍ ଏଡ଼ାଇବାକୁ ୨୭୫ ରନ୍ ଦରକାର, ଭାରତ ୧୬୪/୫
ମେଲବୋର୍ଣ୍ଣ : ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟର ଆଜି ଦ୍ବିତୀୟ ଦିନ ଖେଳ ସରିଛ । ଅଷ୍ଟ୍ରେଲିଆକୁ ୪୭୪ ରନରେ ଅଲଆଉଟ୍ କରିବା ପରେ ଭାରତ ପ୍ରଥମ ଇନିଂସର ୫ଟି ୱିକେଟ୍ ହରାଇ କରିଛି ମାତ୍ର ୧୬୪ ରନ୍ । ଟିମ୍ ଇଣ୍ଡିଆ ୩୧୦ ରନ୍ ପଛରେ ଥାଇ ସଂଘର୍ଷ କରୁଛି । ୨୭୫ ରନ୍ କରି ପାରିଲେ ଭାରତୀୟ ଦଳ ଫଲୋଅନ୍ ଏଡ଼ାଇ ପାରିବ ।
ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ଦଳ ବହୁତ ଭଲ ସ୍ଥିତିରେ ରହିଛି । ଷ୍ଟିଆଜିର ଖେଳରେ ଷ୍ଟିଭ୍ ସ୍ମିଥ ୧୪୦ ରନ୍ ଏବଂ ଅଧିନାୟକ ପ୍ୟାଟ କମିନ୍ସ ୪୯ ରନ୍ କରିଥିବା ବେଳେ ଆଲେକ୍ସ କ୍ୟାରୀ ୩୧ ରନ୍ କରିଥିଲେ । ସ୍ମିଥଙ୍କର ଏହା ହେଉଛି ୩୪ତମ ଟେଷ୍ଟ ଶତକ । ସେ ଲଗାତର ଦୁଇଟି ଟେଷ୍ଟରେ ଦୁଇଟି ଶତକ ହାସଲ କରିଛନ୍ତି । ଭାରତ ବିପକ୍ଷରେ ଏହା ତାଙ୍କର ୧୧ ନମ୍ବର ସେଞ୍ଚୁରୀ । ଫଳରେ ଅଷ୍ଟ୍ରେଲିଆ ୪୭୪ ରନ୍ କରି ପାରିଥିଲା । ଭାରତ ପକ୍ଷରୁ ବୁମରା ୪ ଏବଂ ରବୀନ୍ଦ୍ର ଜାଡେଜା ୩ଟି ଓ ଆକାଶଦୀପ ୨ଟି ୱିକେଟ୍ ନେଇଥିଲେ ।
କଙ୍ଗାରୁ ଦଳର ଏତେବଡ଼ ସ୍କୋର ପରେ ଭାରତ ତାର ପାଳି ଆରମ୍ଭ କରି ପ୍ରଥମ ୱିକେଟ ଭାବେ ଅଧିନାୟକ ରୋହିତ ଶର୍ମାଙ୍କୁ ମାତ୍ର ୮ ରନରେ ହରାଇଥିଲା । ଏହାପରେ ଯୁବ ସପ୍ନର ଯଶସ୍ବୀ ଜୟସ୍ବାଲ ଓ କେଏଲ୍ ରାହୁଲ ୫୩ ରନ୍ ଯାଏ ଇନିଂସକୁ ଟାଣିଥିଲେ । ହେଲେ ରାହୁଲ ୨୪ ରନ୍ କରିବା ପରେ କମିନ୍ସଙ୍କ ଏକ ଚମତ୍କାର ବଲରେ ବୋଲଡ୍ ହୋଇ ଯାଇଥିଲେ ।
ଏହାପରେ ଜୟସ୍ବାଲ ଓ ବିବାଦରେ ଥିବା ବିରାଟ କୋହଲିଙ୍କ ଭାଗିଦାରୀ ଆରମ୍ଭ ହୋଇଥିଲା । ସେମାନେ ୩ୟ ୱିକେଟରେ ଅତି ସତର୍କତାର ସହ ଖେଳି ୧୦୨ ରନ୍ ଯୋଡ଼ିଥିଲେ । ତେବେ ଦୁହେଁ ମାତ୍ର ୧ ରନ୍ ବ୍ୟବଧାନରେ ଆଉଟ୍ ହୋଇଥିଲେ । ଜୟସ୍ବାଲ ୧୧୮ ବଲ ଖେଳି ୮୨ ଏବଂ କୋହଲି ୩୬ ରନ୍ କରି ଆଉଟ୍ ହୋଇଥିଲେ । ଜୟସ୍ବାଲ ରନଆଉଟ୍ ହୋଇଥିବା ବେଳେ ବୋଲାଣ୍ଡଙ୍କ ବଲରେ ଆଉଟ୍ ହୋଇଥିଲେ କୋହଲି । ଆକାଶଦୀପ ପରବର୍ତ୍ତୀ ମ୍ୟାଟର ଭାବେ ପାଭିଲିୟନ ଫେରିଥିଲେ । ଏହି ସମୟରେ ମାତ୍ର ୬ ରନ୍ ଭିତରେ ଭାରତର ୩ଟି ୱିକେଟ୍ ପଡ଼ି ଯାଇଥିଲା । ଆଜିର ଖେଳ ଶେଷ ବେଳକୁ ଭାରତୀୟ ଦଳ ୫ ୱିକେଟ୍ ହରାଇ ୧୬୪ ରନ୍ କରିଥିଲା । ପନ୍ତ ୬ ଏବଂ ଜାଡେଜା ୪ ରନ୍ କରି ଅପରାଜିତ ଅଛନ୍ତି । ଅଷ୍ଟ୍ରେଲିଆ ବୋଲର କମିନ୍ସ ଓ ବୋଲାଣ୍ଡଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଛି ।
ସ୍କୋର : ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍-୪୭୪
ଭାରତ ପ୍ରଥମ ଇନିଂସ୍-୧୬୪/୫