ପ୍ୟାରିସ ଅଲିମ୍ପିକ୍ସ ୨୦୨୪ : ଆର୍ଜେଣ୍ଟିନା ଖେଳାଳିଙ୍କ ଉପରକୁ ବାଣ ପକାଇଲେ ଦର୍ଶକ, ପଡିଆ ଛାଡି ଦୌଡିଲେ ଖେଳାଳି

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଉଦ୍‌ଘାଟନୀ ସମାରୋହ ଆସନ୍ତାକାଲି ହେବ । ହେଲେ ଏଥିପାଇଁ ଓପନିଂ ଏବଂ ଗ୍ରୁପ ଷ୍ଟେଜ ମ୍ୟାଚ ଆରମ୍ଭ ହୋଇଛି । ଆର୍ଜେଣ୍ଟିନା ଓ ମରକ୍କୋ ମଧ୍ୟରେ ହୋଇଥିବା ମ୍ୟାଚ ସମୟରେ ଅଜବ ଘଟଣା ଦେଖିବାକୁ ମିଳିଥିଲା । ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଦର୍ଶକ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ ଓ ଆର୍ଜେଣ୍ଟିନା ଟିମର ଖେଳାଳିଙ୍କ ଉପରେ ବାଣ ଫୁଟାଇ ଆକ୍ରମଣ କରିଦେଇଥିଲେ । ଏହା ଦେଖିବା ପରେ ଭୟରେ ଖେଳାଳିମାନେ ପଡ଼ିଆ ଛାଡ଼ି ଦୌଡ଼ିବାରେ ଲାଗିଲେ । ଏହି ଘଟଣାର ଭିଡିଓ ଭାଇରଲ ହେବା ପରେ ଏହି ଅଘଟଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

ଆର୍ଜେଣ୍ଟିନା ଓ ମରକ୍କୋ ମଧ୍ୟରେ ସେଣ୍ଟ-ଇଟିୟେନ ଠାରେ ଖେଳାଯାଇଥିବା ପ୍ରଥମ ଅଲିମ୍ପିକ୍ସ ମ୍ୟାଚରେ ଆର୍ଜେଣ୍ଟିନା ୨-୧ରେ ପରାସ୍ତ ହୋଇଥିଲା । ମ୍ୟାଚ ଚାଲିଥିବା ବେଳେ ଆର୍ଜେଣ୍ଟିନା ଖେଳାଳିଙ୍କ ଉପରେ ବାଣ ପକାଇଥିଲେ ଦର୍ଶକ । ଏଥିପାଇଁ ମ୍ୟାଚକୁ ଅଧାରେ ବନ୍ଦ କରିବାକୁ ପଡିଥିଲା । ୨ ଘଣ୍ଟା ପରେ ଦର୍ଶକଙ୍କୁ ଷ୍ଟାଡିୟମରୁ ବାହାର କରାଯାଇ ମ୍ୟାଚ ପୁଣିଥରେ ଆରମ୍ଭ କରାଯାଇଥିଲା । ଏଭଳି ଅଘଟଣ ପୂର୍ବରୁ କେବେ ବି ଦେଖିବାକୁ ମିଳିନଥିଲା ।

ଆର୍ଜେଣ୍ଟିନା ଏବଂ ମରକ୍କୋ ମଧ୍ୟରେ ହୋଇଥିବା ଅଲିମ୍ପିକ୍ସ ଟୁର୍ଣ୍ଣାମେଣ୍ଟରେ ଓପନିଂ ଏବଂ ଗ୍ରୁପ ଷ୍ଟେଜ ମ୍ୟାଚ ଥିଲା । କିନ୍ତୁ ଏହି ମ୍ୟାଚରେ ଫ୍ୟାନ୍ସଙ୍କ ଅରାଜକତା ଦେଖିବାକୁ ମିଳିଥିଲା । ଖେଳ ସ୍ଥଗିତ ହେବା ପରେ ଭିଡିଓ ରେଜିଷ୍ଟାନ୍ସ ରେଫ୍ରି(VAR) ରିଭ୍ୟୁ ଆଧାରରେ ଆର୍ଜେଣ୍ଟିନାକୁ ୨-୧ରେ ପରାଜୟ ସ୍ୱୀକାର କରିବାକୁ ପଡିଥିଲା ।

ସୂଚନାଯୋଗ୍ୟ, ୨୦୦୪ ଏବଂ ୨୦୦୮ରେ ସ୍ୱର୍ଣ୍ଣ ଜିତିଥିବା ଆର୍ଜେଣ୍ଟିନା ଟିମ୍‌ ନିକଟରେ କୋପା ଆମେରିକା ଜିତିଥିବା ଜୁଲିଅନ ଅଲଭୋରେଜ, ନିକୋଲସ ଓଟୋମେଣ୍ଡି ଏବଂ ଗେରୋନିମୋ ରୁଲି ସହିତ ଖେଳି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାରେ ବିଫଳ ରହିଥିଲା ।