ସୁପରିଚିତ ଫୁଟ୍‌ବଲ୍‌ ଖେଳାଳି ଦେବେନ୍ଦ୍ର ସିଂହଙ୍କ ପରଲୋକ, ଡିଫେଣ୍ଡର ଭାବେ ଖେଳିଥିଲେ ମ୍ୟାଚ

ଫୁଟ୍‌ବଲ୍‌ କିଂବଦନ୍ତି ତଥା ତଥା ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଦେବେନ୍ଦ୍ର ସିଂହଙ୍କ ପରଲୋକ ଘଟିଛି । ସୋମବାର ସକା‌ଳେ ତୁଳସୀପୁର ମଧୁସୂଦନନଗର ବାସଭବନରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ୮୨ ବର୍ଷ ହୋଇଥିଲା । କିଛିଦିନ ହେବ ସେ ଅସୁସ୍ଥ ଥିଲେ । ଦେବେନ୍ଦ୍ର ସିଂହଙ୍କ ପାର୍ଥିବ ଶରୀରକୁ ବିଶିଷ୍ଟ ବ୍ୟକ୍ତି ଶେ‌ଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ସତୀଚଉରା ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ବଡ଼ପୁଅ ରାଜେନ୍ଦ୍ର ମୁଖାଗ୍ନି ଦେଇଥିଲେ ।

ଢେଙ୍କାନାଳରେ ଜନ୍ମିତ ଶ୍ରୀ ସିଂହ ଜଣେ ସୁଦକ୍ଷ ଫୁଟ୍‌ବଲ୍‌ ଖେଳାଳି ଭାବେ ଜଣାଶୁଣା ଥିଲେ । ସ୍ବର୍ଗତ ସିଂହ ଭାରତ ପାଇଁ ୧୯୬୭-୬୮ରେ ଗୋଟିଏ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ । ବର୍ମା (ବର୍ତ୍ତମାନର ମିଆଁମାର) ବିପକ୍ଷରେ ଖେଳିଥିବା ଭାରତୀୟ ଦଳରେ ସେ ଡିଫେଣ୍ଡର ଭାବେ ସାମିଲ ଥିଲେ । ଦେବେନ୍ଦ୍ର ଓଡ଼ିଶାକୁ ଏକାଧିକ ଥର ସନ୍ତୋଷ ଟ୍ରଫିରେ ପ୍ରତିନିଧିତ୍ବ କରିଛନ୍ତି ।

୧୯୬୭-୬୮ ମସିହାରେ ସେ ଓଡ଼ିଶାକୁ ସନ୍ତୋଷ ଟ୍ରଫି ସେମିଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚାଇଥିଲେ । କ୍ଲବ୍‌ସ୍ତରୀୟ ପ୍ରତିଯୋଗିତାରେ ସେ ଓଡ଼ିଶା ପୋଲିସ୍ ପକ୍ଷରୁ ଖେଳୁଥିଲେ । ଓଡ଼ିଶା ପୁଲିସ୍‌ରୁ ଅବସର ନେବା ପରେ ଦେବେନ୍ଦ୍ର କିଛି ସମୟ ଧରି ପ୍ରଶିକ୍ଷଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ପରବର୍ତ୍ତୀ ସମୟରେ ଶ୍ରୀ ସିଂହ ଓଡ଼ିଶା ପୋଲିସ୍‌ ଫୁଟ୍‌ବଲ୍‌‌ ଦଳର ପ୍ରଶିକ୍ଷକ ତଥା କ୍ରୀଡ଼ା ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ ଅବସର ନେଇଥିଲେ । ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ପକ୍ଷରୁ ୨୦୧୮ରେ ତାଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଛି  ।

You might also like