କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ଗୁରୁବାର ସକାଳେ ବେଙ୍ଗାଲୁରୁରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୭୧ ଅକ୍ଟୋବର ୧୬ରେ ଜନ୍ମ ହୋଇଥିବା ଡେଭିଡ ଜନସନ ୯୦ ଦଶକରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଖେଳିଥିଲେ । ସେ ୧୯୯୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତରଫରୁ ଟେଷ୍ଟ ଡେବ୍ୟୁ କରିଥିଲେ । ଜନସନ୍‌ ତାଙ୍କ କ୍ୟାରିୟରରେ ମାତ୍ର ୨ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ।

ବର୍ତ୍ତମାନ ତାଙ୍କ ଦେହାନ୍ତରେ ଭାରତୀୟ କ୍ରିକେଟ ଜଗତରେ ଶୋକର ଛାଇ ଖେଳିଯାଇଛି । ଭାରତର ପୂର୍ବତନ ହେଡ୍‌ କୋଚ୍‌ ଅନିଲ କୁମ୍ବଲେଙ୍କଠାରୁ ଆରମ୍ଭ କରି ବିସିସିଆଇ ସଚିବ ଜୟ ଶାହଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପୂର୍ବତନ କ୍ରିକେଟରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ରିପୋର୍ଟ ମୁତାବକ, ଗୁରୁବାର ସକାଳେ ବେଙ୍ଗାଲୁରୁସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ଡେଭିଡ ଜନସନ ମୃତ ଅବସ୍ଥାରେ ମିଳିଥିଲେ । ଆପାର୍ଟମେଣ୍ଟରୁ ତାଙ୍କର ମୃତଦେହ ମିଳିଥିଲା । କହି ରଖୁଛୁ ଯେ ଜନସନ୍‌ ୧୯୯୬ ମସିହାରେ ଡବରନ୍‌ରେ ନିଜ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ । କିନ୍ତୁ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଅଧିକ ସମୟ ଧରି ଚାଲିପାରି ନ ଥିଲା ଏବଂ ସେ ଭାରତ ପାଇଁ ଦିନିକିଆ ଫର୍ମାଟ ଖେଳିପାରି ନ ଥିଲେ ।

ତାଙ୍କର ଘରୋଇ କ୍ୟାରିୟର ବଢ଼ିଆ ରହିଥିଲା । ସେ କର୍ଣ୍ଣାଟକ ପାଇଁ ଖେଳି ଅନେକ ଘରୋଇ ପ୍ରତିଯୋଗିତାରେ ଭାଗ ନେଇଥିଲେ । ୧୯୯୫-୯୬ ରଣଜୀ ଟ୍ରଫି ସିଜନରେ ତାଙ୍କର ଶ୍ରେଷ୍ଠ ବୋଲିଂ ଫିଗର ଦେଖିବାକୁ ମିଳିଥିଲା ।

ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତରେ ବିସିସିଆଇ ସଚିବ ଜୟ ଶାହ କହିଛନ୍ତି, ‘ଆମର ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ଗଭୀର ସମବେଦନା । ଖେଳ ପ୍ରତି ତାଙ୍କର ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ’ ।

ଏହିପରି ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ ‘ଏକ୍ସ’ରେ ଲେଖିଛନ୍ତି ଯେ ‘କ୍ରିକେଟ୍‌ରେ ମୋର ସାଥୀ ଡେଭିଡ ଜନସନ ଆଉ ନାହାନ୍ତି । ଏହା ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କ ପରିବାର ପ୍ରତି ମୋର ସମବେଦନା । ଶୀଘ୍ର ଚାଲିଗଲେ ‘ବେନି’ ।

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ ନିଜର ‘ଏକ୍ସ’ରେ ଟ୍ୱିଟ କରି ଲେଖିଛନ୍ତି, ‘ଡେଭିଡ ଜନସନଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ । ଈଶ୍ୱର ତାଙ୍କ ପରିବାର ଏବଂ ଘନିଷ୍ଠ ଲୋକଙ୍କୁ ଶକ୍ତି ଦିଅନ୍ତୁ’ ।

Leave A Reply

Your email address will not be published.