ଭୁବନେଶ୍ୱର : ଏସିଆନ୍ ରଗ୍ ବି ଅଣ୍ଡର-୧୮ ଚାମ୍ପିୟନ୍ ସିପ୍ ପାଇଁ ଭାରତୀୟ ଦଳରେ କିସର ୪ ଛାତ୍ରଛାତ୍ରୀ। ଆସନ୍ତା ସେପ୍ଟେମ୍ବର ୫ ଓ ୬ ତାରିଖରେ ଚୀନରେ ଆୟୋଜିତ ହେବାକୁ ଥିବା ଏସିଆନ୍ ରଗବି ଅଣ୍ଡର-୧୮ ଚାମ୍ପିୟନ୍ ସିପ୍ ପାଇଁ ଭାରତୀୟ ଦଳରେ କିସର ୪ ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି। ମହିଳା ବର୍ଗରେ +୩ ପ୍ରଥମ ବର୍ଷର ଛାତ୍ରୀ ଅନିତା ମୁର୍ମୁ ଓ ଦଶମ ଶ୍ରେଣୀର ଛାତ୍ରୀ ଖାମେଶ୍ୱରୀ ମାଝୀ ଚୟନୀତ ।
ପୁରୁଷ ବର୍ଗରେ +୩ ପ୍ରଥମ ବର୍ଷର ଛାତ୍ର ରାହୁଲ ମାଝୀ ଏବଂ ଈଶ୍ୱର ପୂଜାରୀ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।ଏହି ଚାମ୍ପିୟନ୍ ସିପ୍ ପାଇଁ ଭାରତୀୟ ଦଳର ପ୍ରସ୍ତୁତି ନିମନ୍ତେ ନିକଟରେ କିଟ୍ ଓ କିସ୍ ପରିସରରେ ଜାତୀୟ ରଗବି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ରଗବି ଖେଳ ପାଇଁ ଆବଶ୍ୟକ ସମସ୍ତ ଆଧୁନିକ ଭିତ୍ତିଭୂମି, ଉନ୍ନତ ଖେଳ ପଡ଼ିଆ, ରହଣି, ଖାଦ୍ୟ ଓ ପ୍ରଶିକ୍ଷଣ ସୁବିଧା କିସ୍ ରେ ଉପଲବ୍ଧ ଥିବାରୁ ଭାରତୀୟ ରଗ୍ ବି ସଂଘ ପକ୍ଷରୁ ଏହି କ୍ୟାମ୍ପ ପାଇଁ କିସକୁ ବାଛି ନିଆଯାଇଥିଲା।
ଚୀନ୍ ଗସ୍ତ ପୂର୍ବରୁ ଆଜି ଛାତ୍ରଛାତ୍ରୀ ମାନେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଡକ୍ଟର ସାମନ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରତିଯୋଗିତାରେ ସେମାନଙ୍କ ଉଜ୍ଜ୍ୱଳ ପ୍ରଦର୍ଶନ କାମନା କରିଛନ୍ତି। ଏହା ସହ ଓଡ଼ିଶା ରଗବି ଫୁଟବଲ୍ ସଂଘ (ORFA) ପକ୍ଷରୁ ସଭାପତି ପ୍ରିୟଦର୍ଶୀ ମିଶ୍ର ଓ ଉପସଭାପତି ଉପେନ୍ଦ୍ର ମହାନ୍ତିଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।